ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ (ECI) ଶୁକ୍ରବାର ଦିନ ପୂର୍ବତନ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ (AITC) ର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀକୁ ନୂଆ ନାମ ଏବଂ ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି। ନିର୍ବାଚନ କମିଶନ ମମତା ବାନାର୍ଜୀ ଏବଂ ଋତବ୍ରତ ବାନାର୍ଜୀଙ୍କ ଦୁଇଟି ଅଲଗା ଦଳର ନାମ ଓ ନିର୍ବାଚନୀ ଚିହ୍ନ ଆବଣ୍ଟନ କରିଛନ୍ତି। ମମତା ବାନାର୍ଜୀଙ୍କୁ ‘ଫୁଟବଲ ଖେଳାଳି’ ଚିହ୍ନ ମିଳିଛି। ତାଙ୍କ ଦଳର ନାମ ଏବେ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ରହିବ। ସେହିପରି ଋତବ୍ରତ ବାନାର୍ଜୀଙ୍କୁ ‘ଲଫାପା’ ଚିହ୍ନ ମିଳିଥିବା ବେଳେ ତାଙ୍କ ଦଳର ନାମ ‘ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ’ ରହିବ। ଦଳର ମୂଳ ନାମ ଏବଂ ପାରମ୍ପରିକ “ଜୋଡ଼ା ଫୁଲ ଓ ଘାସ” ଚିହ୍ନର ମାଲିକାନା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଏହି ନୂତନ ନାମ ଓ ଚିହ୍ନ ବଳବତ୍ତର ରହିବ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି।
ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁଯାୟୀ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ଆୟୋଗ ଦଳର “ମୂଳ କିନ୍ତୁ ସଂଖ୍ୟାଲଘୁ” ଗୋଷ୍ଠୀ ଭାବରେ ବର୍ଣ୍ଣନା କରିଛନ୍ତି। ଏହି ଗୋଷ୍ଠୀକୁ “ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ନାମ ଏବଂ “ଫୁଟବଲ୍ ଖେଳାଳି” ନିର୍ବାଚନ ଚିହ୍ନ ପ୍ରଦାନ କରାଯାଇଛି। ସେହିପରି ଏହି ଗୋଷ୍ଠୀକୁ ପଶ୍ଚିମବଙ୍ଗ, ମେଘାଳୟ ଏବଂ ତ୍ରିପୁରାରେ ଏକ ରାଜନୈତିକ ଦଳ ଭାବରେ ସ୍ୱୀକୃତି ଦିଆଯାଇଛି।
ଅନ୍ୟପକ୍ଷରେ, ବହିଷ୍କୃତ ତୃଣମୂଳ କଂଗ୍ରେସ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀକୁ ନିର୍ବାଚନ ଆୟୋଗ “ବିଦ୍ରୋହୀ କିନ୍ତୁ ସଂଖ୍ୟାଗରିଷ୍ଠ” ଦଳ ଭାବରେ ଦର୍ଶାଇଛନ୍ତି। ଏହି ଗୋଷ୍ଠୀକୁ “ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ” ନାମ ଏବଂ ‘ଲଫାପା’ (Envelope) ଚିହ୍ନ ପ୍ରଦାନ କରାଯାଇଛି। ଏହି ଦଳ ମଧ୍ୟ ପଶ୍ଚିମବଙ୍ଗ, ମେଘାଳୟ ଏବଂ ତ୍ରିପୁରାରେ ରାଜନୈତିକ ଦଳ ଭାବରେ ସ୍ୱୀକୃତି ଲାଭ କରିଛି। ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଦଳର ମୂଳ ନାମ ଏବଂ ଚିହ୍ନ ଉପରେ ଚୂଡ଼ାନ୍ତ ରାୟ ନଆସିବା ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀ ନିଜର ନୂତନ ପରିଚୟ ସହ ନିର୍ବାଚନ ଲଢ଼ିବେ।
ନିର୍ବାଚନ ଆୟୋଗଙ୍କ ଏହି ନିର୍ଦ୍ଦେଶ ଆଗାମୀ ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ପୂର୍ବ ମେଦିନୀପୁରର ନନ୍ଦିଗ୍ରାମ ଏବଂ ମୁର୍ସିଦାବାଦ ଜିଲ୍ଲାର ରେଜିନଗର ବିଧାନସଭା ଉପନିର୍ବାଚନ ଉପରେ ଲାଗୁ ହେବ। ଏହି ନିର୍ବାଚନର ଭୋଟ୍ ଗଣତି ଅକ୍ଟୋବର ୯ ତାରିଖରେ ହେବ। ସେହିପରି ଆସାମର ନାଗାଓଁ ଲୋକସଭା ଉପନିର୍ବାଚନରେ ମମତା ବାନାର୍ଜୀଙ୍କ ଗୋଷ୍ଠୀର ପ୍ରାର୍ଥୀ ନୂତନ “ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ବ୍ୟାନର ଏବଂ “ଫୁଟବଲ୍ ଖେଳାଳି” ଚିହ୍ନରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ।
ସୂଚନାଯୋଗ୍ୟ ଯେ, ୧୯୯୮ ମସିହାରେ କଂଗ୍ରେସରୁ ଅଲଗା ହେବା ପରେ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ଗଠନ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଦଳ “ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ନାମ ଏବଂ “ଜୋଡ଼ା ଫୁଲ ଓ ଘାସ” ଚିହ୍ନରେ ସମସ୍ତ ନିର୍ବାଚନ ଲଢ଼ି ଆସୁଥିଲା। ୨୦୧୧ ମସିହାରେ ଦଳ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଥିଲା ଏବଂ ସେବେଠାରୁ ରାଜ୍ୟରେ ଶାସକ ଦଳ ଭାବରେ ରହିଆସିଥିଲା । ତେବେ ତାଜା ନିର୍ଦ୍ଦେଶନାମା ପରେ ପଶ୍ଚିମବଙ୍ଗ ରାଜନୀତିରେ ୧୯୯୮ ପରେ ପ୍ରଥମ ଥର ପାଇଁ ବାଲାଟ୍ ପେପରରେ ମୂଳ ତୃଣମୂଳ କଂଗ୍ରେସର ନାମ ଓ ଚିହ୍ନ ଦେଖିବାକୁ ମିଳିବ ନାହିଁ।