ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଡରାଇବା ଆରମ୍ଭ କରିଛି। ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜେଶ ଭୂଷଣଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ‘କରୋନା ଏବେ ବି ଶେଷ ହୋଇ ନାହିଁ, ଗତ ସପ୍ତାହର ଡାଟା ଅନୁସାରେ ଦୁନିଆରେ ଦୈନିକ ୯୩୯୭୭ ମାମଲା ଚିହ୍ନଟ ହୋଇଛି । ଆମେରିକାରେ ୧୯ %, ରୁଷରେ ୧୨.୬ %, ଚୀନରେ ୮.୩ %, ଦକ୍ଷିଣ କୋରିଆରେ ୮ % ଏବଂ ଭାରତରେ ୧ % ମାମଲା ଚିହ୍ନଟ ହୋଇଛି ।
କରୋନା ମାମଲା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଦୁନିଆରେ ଛଅ ଲହର ଆସିଛି ଏବଂ ଭାରତରେ ଆମେ ତିନୋଟି ଲହର ଦେଖିଛୁ । ଉଲ୍ଲେଖଯୋଗ୍ୟ ଯେ ପିଏମ ନରେନ୍ଦ୍ର ମୋଦୀ ବୁଧବାର କରୋନା ଏବଂ ସିଜନଲ ଏନଫ୍ଲୁଏଞ୍ଜା ଉପରେ ବୈଠକ କରିଥିଲେ ।
ସେ କହିଛନ୍ତି ଯେ, ଭାରତରେ ଏବେ ଦୈନିକ ହାରାହାରି ୯୬୬ ମାମଲା ସାମ୍ନାକୁ ଆସୁଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ପଜିଟିଭିଟି ହାର ୦.୦୯ ପ୍ରତିଶତ ଥିବା ବେଳେ ଏବେ ତାହା ୧ ପ୍ରତିଶତକୁ ବୃଦ୍ଧି ପାଇଛି। ଫେବ୍ରୁଆରିରେ ଦୈନିକ ହାରାହାରି ପରୀକ୍ଷା ସଂଖ୍ୟା ୧ ଲକ୍ଷ ଥିଲା, ଯାହା ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲା। ଏବେ ଦୈନିକ ୧ ଲକ୍ଷ ନମୁନା ପରୀକ୍ଷା କରାଯାଉଛି। ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ଏବଂ ରାଜସ୍ଥାନ ଭଳି ୮ଟି ରାଜ୍ୟରେ ଏବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଠାରେ ଅଧିକ ମାମଲା ରହିଛି, ସେଠାରେ ଅଧିକ ଟେଷ୍ଟିଂ ହେଉଛି। ବର୍ତ୍ତମାନ ଦେଶରେ ଓମିକ୍ରୋନ୍ ଭାରିଏଣ୍ଟର ଉପସ୍ଥିତି ରହିଛି ।