ନୂଆଦିଲ୍ଲୀ: ଆମେରିକା ଗସ୍ତ ଅବସରରେ କେନ୍ଦ୍ରକୁ ଆକ୍ଷେପ କଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ୩ ଦିନିଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାହୁଲ। ଏହି ଅବସରରେ ରାହୁଲ ଗାନ୍ଧି ବିଭିନ୍ନ ମୁଦ୍ଦା ଉପରେ ଆଲୋଚନା କରିଛନ୍ତି । ଟେକ୍ସାସର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ସେ ବିଜେପି ସରକାର ଉପରେ ବର୍ଷିଥିଲେ । ରାହୁଲ କହିଥିଲେ, ଆରଏସଏସ୍ ବିଶ୍ୱାସ କରେ ଯେ ଭାରତ ଏକ ନୂଆ ବିଚାର । କିନ୍ତୁ କଂଗ୍ରେସ ବିଶ୍ୱାସ କରେ ଯେ, ଭାରତ ବିଚାରର ବହୁଳତା ଅଟେ । ଆମେ ଭାବୁଛୁ ସମସ୍ତ ଭାରତୀୟଙ୍କୁ ସ୍ୱପ୍ନ ଦେଖିବା ପାଇଁ ଅନୁମତି ଦେବା ଉଚିତ୍ । ସେମାନଙ୍କର ଜାତି, ଭାଷା, ଧର୍ମ, ପରମ୍ପରା କିମ୍ବା ଇତିହାସ ନିର୍ବିଶେଷରେ ସେମାନଙ୍କୁ ଏକ ସ୍ଥାନ ଦିଆଯିବା ଉଚିତ୍ । ଆଉ କହିଛନ୍ତି ମୋଦି ସରକାର ଆମ ଭାଷା, ରାଜ୍ୟ ଏବଂ ଇତିହାସ ଉପରେ ହମଲା କରୁଛନ୍ତି । ଆମ ଧାର୍ମିକ ପରମ୍ପରା ଉପରେ ଆକ୍ରମଣ କରୁଥିବା କହିଛନ୍ତି ରାହୁଲ ।
ଏହି ସମୟରେ ରାହୁଲ ଭାରତ ଯୋଡ଼ୋ ଯାତ୍ରା ଉପରେ ଆଲୋକପାତ କରିଛନ୍ତି । ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କିଭଳି ତାଙ୍କ ରାଜନୈତିକ ଦୃଶ୍ୟପଟ୍ଟକୁ ବଦଳାଇ ଦେଇଥିଲା ତାହା କହିଛନ୍ତି । ରାହୁଲ ଗାନ୍ଧି କହିଛନ୍ତି, ଏହି ଯାତ୍ରାର ଉଦ୍ଦେଶ୍ୟ ଥିଲା ଭାରତୀୟ ରାଜନୀତିରେ ଭଲ ପାଇବା ବଢ଼ାଇବା । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ମିଳିଥିଲା ବୋଲି ରହୁଲ ଗାନ୍ଧି କହିଛନ୍ତି । ଯେଉଁଥିରେ ସବୁଠୁ ପ୍ରମୁଖ ହେଉଛି, ରାଜନୀତିରେ ଲୋକଙ୍କ ପ୍ରତି ଭଲ ପାଇବା ଅବଧାରଣକୁ ଲାଗୁ କରାଯାଇପାରିବ ?
ସେହିପରି ବିଶ୍ବରେ ବେକାରୀ ପ୍ରସଂଗରେ ରାହୁଲ କହିଛନ୍ତି, ଆମେରିକା ଓ ଅନ୍ୟ ପଶ୍ଚିମ ଦେଶ ଗୁଡିକରେ ଅଧିର ବେକାରୀ ସମସ୍ୟା ଦେଖାଦେଇଛି । ହେଲେ ଚୀନ ଭଳି ଦେଶ ବିଶ୍ବ ବଜାରକୁ ନିଜ କବଜାରେ ରଖିଛି । ଭିଏତନାମ ଭଳି ଦେଳରେ ବେକାରୀ ସମସ୍ୟା ନାହି । ଏଣୁ ଆଗାମୀ ଭବିଷ୍ୟତ ପାଇଁ ଏବେଠାରୁ ଯୋଜନା କରିବାକୁ ପଡିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।