ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକିଂ ମାମଲାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହ୍ୟାକିଂ ପଛରେ ଚୀନ୍ ଷଡ଼ଯନ୍ତ୍ର ରହିଛି। ଯାଞ୍ଚ ଅଧିକାରୀମାନେ ଏହି ଦିଗକୁ ସଙ୍କେତ ଦେଇଛନ୍ତି। ସେମାନେ ଏମ୍ସର ୫ଟି ସର୍ଭର ହ୍ୟାକ୍ କରିଥିଲେ। ଆଇଏଫ୍ଏସ୍ଓ ଅନୁଯାୟୀ ହ୍ୟାକିଂ ସମୟରେ ବ୍ୟକ୍ତିଗତ ଡାଟା ମଧ୍ୟ ଲିକ୍ ହୋଇଥିଲା। ଏହି ଡାଟା ଡାର୍କ ୱେବ୍ର ମୁଖ୍ୟ ଡୋମେନ୍ ରେ ଥିବାର ସମ୍ଭାବନା ରହିଛି। ଏହି ତଥ୍ୟରେ ଭାରତର ଭିଭିଆଇପିଙ୍କ ସହିତ ଲକ୍ଷ ଲକ୍ଷ ଲୋକଙ୍କ ଗୋପନୀୟ ଡାଟା ଲିକ୍ ହୋଇଥିବା ଆଶଙ୍କା କରାଯାଉଛି।
ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପଛରେ ଚୀନ୍ର ୨ ରାନ୍ସମ୍ୱାର ଗୋଷ୍ଠୀ ସମ୍ରାଟ ଡ୍ରାଗନଫ୍ଲାଇ ଏବଂ ବ୍ରାଞ୍ଜ ଷ୍ଟାରଲାଇଟ (ଡିଇଭି-୦୪୦୧) ର ହାତ ଥିବାର ଆଶଙ୍କା କରାଯାଉଛି। ସେହିପରି ‘ଲାଇଫ’ ନାମକ ଅନ୍ୟ ଏକ ଗୋଷ୍ଠୀ ଉପରେ ମଧ୍ୟ ସନ୍ଦେହ ରହିଛି। ଏହା ୱାନାରେନ ନାମକ ରାନ୍ସମ୍ୱାରର ନୂଆ ଭର୍ସନ। ହ୍ୟାକର୍ସମାନେ ଡାଟା ବିକ୍ରି କରିବା ପାଇଁ ଏହାକୁ ଡାର୍କ ୱେବରେ ଅପ୍ଲୋଡ କରିଥିବା କୁହାଯାଉଛି। କାରଣ ସେମାନଙ୍କ ଦାବି ପୂରଣ ହୋଇ ନ ଥିଲା। ହ୍ୟାକର୍ସ ଏମ୍ସକୁ ୨୦୦ କୋଟି ଟଙ୍କା ମାଗିଥିଲେ ଏବଂ କ୍ରିପ୍ଟୋକରେନ୍ସିରେ ଅର୍ଥ ପୈଠ କରିବାକୁ କହିଥିଲେ। ତେବେ ଦିଲ୍ଲୀ ପୁଲିସ ଅର୍ଥ ମାଗିବା ଦାବିକୁ ଖାରଜ କରି ଦେଇଥିଲା।