ନୂଆଦିଲ୍ଲୀ : ଜାତିଗତ ଜନଗଣନା ପୂର୍ବରୁ କେନ୍ଦ୍ର ସରକାର ଜାତି ତାଲିକା ପ୍ରସ୍ତୁତ କରିବେ। ୧୯୩୧ ମସିହାରେ ସାରା ଦେଶରେ ୪୧୪୭ ଜାତି ବିଭିନ୍ନ ବର୍ଗରେ ସାମିଲ ହୋଇଥିଲେ, ପରବର୍ତ୍ତୀ ସମୟରେ ଦେଶରେ ଅନୁସୂଚୀତ ଜାତିଙ୍କ ମଧ୍ୟରେ ୧୨୭୦ ଉପଜାତି ଓ ଅନୁସୂଚୀତ ଜନଜାତିଙ୍କ ମଧ୍ୟରେ ୭୪୮ ଉପଜାତିଙ୍କୁ ଚିହ୍ନଟ କରାଯାଇଥିଲା। ଏବେ ବି ଅନେକ ବର୍ଗ ନିଜକୁ ଜନଜାତି ଓ ଅନୁସୂଚୀତ ଜାତି ସୂଚୀରେ ସାମିଲ ହେବାକୁ ଦାବି କରି ଆସୁଛନ୍ତି। ଓଡ଼ିଶାରୁ ପାଖାପାଖି ୧୬୦ ବର୍ଗର ଜନସାଧାରଣ ଅନୁସୂଚୀତ ଜନଜାତି ବର୍ଗରେ ସାମିଲ ନିମନ୍ତେ କେନ୍ଦ୍ରକୁ ତତ୍କାଳୀନ ବିଜେଡି ସରକାର ପ୍ରସ୍ତାବ ଦେଇଥିଲେ। ଏହି ଆଧାରରେ ଜାତିଗତ ଜନଗଣନା ପୂର୍ବରୁ ସବୁ ରାଜନୈତିକ ଦଳ ସହ ଆଲୋଚନା କରି କେନ୍ଦ୍ର ସରକାର ଏକ ଜାତି ତାଲିକା ପ୍ରସ୍ତୁତ କରିବେ ଓ ଏଥିପାଇଁ ଖୁବ୍ଶୀଘ୍ର କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡାକିବେ ବୋଲି ସୂଚନା ମିଳିଛି।
୨୦୧୧ରେ ଜନଗଣନାରେ ଦେଶରେ ଜାତି-ଉପଜାତି ସଂଖ୍ୟା ୪୬.୭୩ ଲକ୍ଷ କୁହାଯାଉଥିଲା। ଏହାକୁ ନେଇ ସେତେବେଳେ ଯାବତୀୟ ବିବାଦ ସୃଷ୍ଟି ହୋଇଥିଲା ଓ ଏହି ରିପୋର୍ଟ ଅବିଶ୍ୱସନୀୟ ବୋଲି ବିବେଚନା କରାଯାଉଥିଲା। ପୁନଶ୍ଚ ଜାତି ଆଧାରରେ ସଂରକ୍ଷଣକୁ ନେଇ ଏବେ ବିଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଥିବାରୁ ଏବେ ଏହାକୁ ସରଳ କରାଯିବା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜନସଂଖ୍ୟା ଆଧାର ସହ ଆର୍ଥିକ ସ୍ଥିତିକୁ ନେଇ ବିଚାର କରାଯିବାକୁ ମଧ୍ୟ ବିଭିନ୍ନ ସମାଜତତ୍ୱବିତ୍ମାନେ ମତ ପ୍ରକାଶ କରିଛନ୍ତି। ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଅନୁସୂଚୀତ ଜାତି, ଜନଜାତି ଓ ପଛୁଆ ଜାତିମାନଙ୍କ ପାଇଁ ଦୀର୍ଘବର୍ଷ ହେଲା ସଂରକ୍ଷଣ ହେବା ସତ୍ତେ୍ୱ ଏହି ବର୍ଗର ବୃହତ୍ ଅଂଶ ଏଥିରୁ ଉପକୃତ ହୋଇ ପାରୁନାହାନ୍ତି । ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ଭାବରେ କିଛି ଗୋଷ୍ଠୀ ପିଢ଼ି ପରେ ପିଢ଼ି ସଂରକ୍ଷଣଦ୍ୱାରା ଫାଇଦା ପାଉଛନ୍ତି। ଏ ସମ୍ପର୍କରେ ଏକ ଜାତୀୟ ନୀତି ପ୍ରସ୍ତୁତ କରାଯିବା ପାଇଁ ସବୁ ରାଜନୈତିକ ଦଳ ସହ କେନ୍ଦ୍ର ସରକାର ଆଲୋଚନା କରିବେ ବୋଲି ସୂଚନା ମିଳିଛି ।
ନିକଟରେ ବସିଥିବା ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏବଂ ସାମାଜିକ ନ୍ୟାୟ ମନ୍ତ୍ରାଳୟର ବୈଠକରେ ରାଜନୈତିକ ଦଳଙ୍କ ପ୍ରସ୍ତାବ ଏବଂ ଅଭିଯୋଗକୁ ଆଧାର କରି ଜାତି ତାଲିକା ଚୂଡ଼ାନ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହା ସହ ଜନଗଣନା ପାଇଁ ସାମାଜିକ ନ୍ୟାୟ ମନ୍ତ୍ରାଳୟକୁ ସଂଯୋଜକ ରଖାଯିବାକୁ ଧାର୍ଯ୍ୟ ହୋଇଛି। ଅନୁସୂଚିତ ଜାତି ଏବଂ ଜନଜାତି ଗଣନା କରାଯାଉଥିବାରୁ ଏହାର ଏକ ବୈଧ ତାଲିକା ଆବଶ୍ୟକ। କିନ୍ତୁ ଅନ୍ୟାନ୍ୟ ପଛୁଆ ବର୍ଗର ଜାତିକୁ ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି। ୨୦୨୬ରେ ଦେଶରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏ ସଂକ୍ରାନ୍ତରେ ବୈଠକ କରାଯିବ ବୋଲି ସୂଚନା ମିଳିଛି ।