ନୂଆଦିଲ୍ଲୀ : ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ୪ ଦିନର ଘମାଘୋଟ ଲଢ଼େଇ ପରେ ଶନିବାର ସନ୍ଧ୍ୟାରେ ହୋଇଥିବା ଅସ୍ତ୍ରବିରତି ଘୋଷଣା ଏବେ ସନ୍ଧିକ୍ଷଣରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ମଧ୍ୟସ୍ଥତା ପରେ ପାକିସ୍ତାନ ପଟୁ ପ୍ରଥମେ ଅସ୍ତ୍ରବିରତି ପାଇଁ ଭାରତକୁ ପ୍ରସ୍ତାବ ଦିଆଯାଇଥିଲେ ହେଁ, ଯୁଦ୍ଧ ବନ୍ଦ ଘୋଷଣାର ମାତ୍ର ୩ ଘଣ୍ଟା ପରେ ଅମାନିଆ ପାକିସ୍ତାନ ତା’ର ଅସଲ ରୂପ ଦେଖାଇଛି। ଅସ୍ତ୍ରବିରତି ପାଇଁ ସହମତି ପରେ ପାକିସ୍ତାନ ପୁଣି ସୀମାରେ ଗୁଳିଗୋଳା ବର୍ଷଣ କରିଥିବାରୁ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଶନିବାର ସନ୍ଧ୍ୟା ୫ଟାରେ ଅସ୍ତ୍ରବିରତି ଘୋଷଣାକୁ ନେଇ ଦୁଇପକ୍ଷ ରାଜି ହୋଇଥିବା ବେଳେ ରାତି ୮ଟାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଜମ୍ମୁ-କଶ୍ମୀର ଉଦ୍ଧାମପୁର, ବାରମୁଲା ଓ ଶ୍ରୀନଗର ଓ ରାଜସ୍ଥାନର ବାର୍ମେର୍ରେ ଡ୍ରୋନ୍ ମାଡ଼ କରିବା ସହିତ ପ୍ରବଳ ଗୁଳିଗୋଳା ବର୍ଷଣ କରିଥିବାର ସୂଚନା ମିଳିଛି। ଏପରିକି କଶ୍ମୀରରେ ବିସ୍ଫୋରଣ ହୋଇଥିବାର ଖବର ମଧ୍ୟ ମିଳିଛି। ଫଳରେ ସୀମାବର୍ତ୍ତୀ ଜମ୍ମୁ, ରାଜସ୍ଥାନ, ହରିୟାଣା, ଗୁଜରାଟ ଓ ପଞ୍ଜାବରେ ପୁଣି ବ୍ଲାକ୍ଆଉଟ୍ ଘୋଷଣା କରାଯାଇଛି। ଭାରତୀୟ ସେନା ଏହାର ମୁହଁତୋଡ଼ ଜବାବ ଦେବା ପରେ ପାକିସ୍ତାନ ପଟୁ ଗୁଳି ଓ ଡ୍ରୋନ୍ ମାଡ଼ ବନ୍ଦ ହୋଇଛି ଏବଂ ପରିସ୍ଥିତି ଏବେ ଶାନ୍ତ ରହିଛି। ତେବେ ଶନିବାର ରାତିରେ ଆଭାସୀ ବୈଠକରେ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବଙ୍କ ସହ କେନ୍ଦ୍ର ଗୃହ ସଚିବ କଥା ହୋଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଛନ୍ତି।
ଅସ୍ତ୍ରବିରତି ଉଲ୍ଲଂଘନ ନେଇ ଭାରତ ଉଦ୍ବେଗ ପ୍ରକାଶ କରିବା ସହିତ ଏଥିରୁ ବିରତ ରହିବା ଲାଗି ପାକିସ୍ତାନକୁ ପରାମର୍ଶ ଦେଇଛି। ଶନିବାର ବିଳମ୍ବିତ ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିଛି। ଭାରତୀୟ ସେନା ସତର୍କ ଓ ସଜାଗ ରହିଛନ୍ତି। ଏହାର କଡ଼ା ଜବାବ ଦେବାଲାଗି ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଲେ ଯେ ଦୁଇ ଦେଶର ଡିଜିଏମ୍ଓଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଏହି ବୁଝାମଣା ହୋଇଥିଲା। ପାକିସ୍ତାନୀ ସେନା ଏହାର ଘୋର ଉଲ୍ଲଂଘନ କରିଛି। ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ପାକିସ୍ତାନ ଦାୟୀ। ଏହାକୁ ନିନ୍ଦା କରି ସେ କହିଛନ୍ତି, ପାକିସ୍ତାନ ସରକାର ଏହାର ସେନାକୁ ନିୟନ୍ତ୍ରଣ କରିବା ସହିତ ଅସ୍ତ୍ରବିରତି ପାଳନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ।
ସୂଚନାଯୋଗ୍ୟ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପାଇଁ ଉଦ୍ଦିଷ୍ଟ ଭାରତୀୟ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର୍’ର ଚତୁର୍ଥ ଦିନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଥିଲା। ଭାରତ ନିଜ ସର୍ତ୍ତରେ ଅସ୍ତ୍ରବିରତି ପାଇଁ ରାଜି ହେବା ସହିତ ସ୍ପଷ୍ଟ କରିଦେଇଛି ଯେ ଆତଙ୍କବାଦକୁ ନେଇ ଏହାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଥିବା ବେଳେ ନାଟକୀୟ ଭାବେ ଅସ୍ତ୍ରବିରତି ଘୋଷଣା ବିଶ୍ବବାସୀଙ୍କୁ ଆଶ୍ବସ୍ତ କରିଛି। ବ୍ୟାପକ କୂଟନୈତିକ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି। ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ମେ ୭ ତାରିଖରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ (ଅପରେସନ୍ ସିନ୍ଦୂର) କରି ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କଲା। ଭାରତୀୟ କାର୍ଯ୍ୟାନୁଷ୍ଠାନରେ ବିଚଳିତ ହୋଇ ପାକିସ୍ତାନ ଭାରତୀୟ ଅଞ୍ଚଳରେ ଆକ୍ରମଣ ଉଦ୍ୟମ କଲା। ଏହାପରେ ଭାରତର ଭୟଙ୍କର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନର ଅଧିକାଂଶ ସାମରିକ ପ୍ରତିଷ୍ଠାନ ଧ୍ବଂସ ହୋଇଯାଇଥିଲା। ଦୁଇ ଦେଶ ମଧ୍ୟରେ ଡ୍ରୋନ ଓ କ୍ଷେପଣାସ୍ତ୍ର ଯୁଦ୍ଧ ଚାଲିଥିବା ବେଳେ ପାକିସ୍ତାନର ଡିଜିଏମ୍ଓ (ମହାନିର୍ଦ୍ଦେଶକ, ମିଲିଟାରୀ ଅପରେସନ) ମେଜର ଜେନେରାଲ କାସିଫ୍ ଅବଦୁଲ୍ଲା ଆଜି ଅପରାହ୍ନ ୩ଟା ୩୫ରେ ଭାରତର ଡିଜିଏମ୍ଓ ଲେଫନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ଫୋନ କରିଥିଲେ ଏବଂ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲେ। ଏହାଉପରେ ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ କେତେକ ସର୍ତ୍ତ ସହିତ ଭାରତ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା। ସନ୍ଧ୍ୟା ୫ଟାରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ଅସ୍ତ୍ରବିରତି ବିଷୟ ଘୋଷଣା କରି କହିଥିଲେ ଯେ ସନ୍ଧ୍ୟା ୫ଟାରୁ ହିଁ ଅସ୍ତ୍ରବିରତି ଲାଗୁ ହୋଇଛି। ଆସନ୍ତା ୧୨ ତାରିଖରେ ଉଭୟ ଦେଶର ସାମରିକ ଅଧିକାରୀ ଏବିଷୟରେ ଆଲୋଚନା ପାଇଁ ଭେଟିବେ ବୋଲି ସେ ସୂଚନା ଦେଇଥିଲେ।
ଠିକ୍ ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଟୁଇଟ୍ ବା ଏକ୍ସ ଜରିଆରେ ସୂଚନା ଦେଇଥିଲେ ଯେ ଉଭୟ ଭାରତ ଏବଂ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ଏବଂ ଏଥିପାଇଁ ଉଭୟ ଦେଶକୁ ସେ ଅଭିନନ୍ଦନ ଜଣାଇଥିଲେ। ଏହା ପରେ ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ମଧ୍ୟ ଟୁଇଟ୍ କରି କହିଥିଲେ ଯେ ଆମେରିକାର ମଧ୍ୟସ୍ଥତା ଯୋଗୁଁ ଅସ୍ତ୍ରବିରତି ସମ୍ଭବ ହୋଇପାରିଛି। ସେ କହିଥିଲେ ଯେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ସେ ନିଜେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ଗତ ୨୪ ଘଣ୍ଟା ଧରି ଆଲୋଚନା ଚଳାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, କେବଳ ଆମେରିକା ନୁହେଁ; ଅନ୍ୟ କେତେକ ଦେଶର ନେତା ଓ ଅଧିକାରୀ ମଧ୍ୟ ଏହି କଥାବାର୍ତ୍ତାରେ ସାମିଲ ହୋଇଥିଲେ। ସେମାନେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ କଥାବାର୍ତ୍ତା କରିଥିଲେ। ତେବେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ କି ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ସିଧାସଳଖ କୌଣସି ଆଲୋଚନା ହୋଇନଥିଲା। କେବଳ ଦୁଇ ଦେଶର ଡିଜିଏମ୍ଓଙ୍କ ମଧ୍ୟରେ ଆଜି ଯାହା ସିଧା ଆଲୋଚନା ହୋଇଥିଲା। ଆତଙ୍କବାଦକୁ ସମର୍ଥନ ବନ୍ଦ କରିବା ଲାଗି ପାକିସ୍ତାନ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରୁ ଅସ୍ତ୍ରବିରତି ଲାଗୁ ହୋଇଥିଲେ ମଧ୍ୟ ପାକିସ୍ତାନ ବିରୋଧରେ ରହିଥିବା ଭିସା ଓ ଅନ୍ୟ କଟକଣା ବଳବତ୍ତର ରହିଛି। ସିନ୍ଧୁ ନଦୀ ଚୁକ୍ତି ବାତିଲ ନିଷ୍ପତ୍ତିରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଅସ୍ତ୍ରବିରତି ପରେ ପାକିସ୍ତାନକୁ ବଡ଼ ଧରଣର ଆଶ୍ବସ୍ତି ମିଳିଛି। ଅସ୍ତ୍ରବିରତି ଲାଗୁ ହେବା ସହିତ ପାକିସ୍ତାନ ଏହାର ଆକାଶ ସୀମାକୁ ବିମାନ ସେବା ପାଇଁ ତତ୍କ୍ଷଣାତ୍ ଖୋଲି ଦେଇଛି। ସନ୍ଧ୍ୟା ବେଳେ ନୂଆଦିଲ୍ଲୀରେ ଭାରତୀୟ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଦିଆଯାଇଥିଲା। ଏଥିରେ ଅସ୍ତ୍ରବିରତି କଥା କୁହାଯାଇଥିଲା।
ତେବେ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଅସ୍ତ୍ରବିରତି ସତ୍ତ୍ବେ ଆତଙ୍କବାଦକୁ ନେଇ ଭାରତର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତ ଏହାର ସାର୍ବଭୌମତ୍ବ ଏବଂ ଅଖଣ୍ଡତାର ସୁରକ୍ଷା ଲାଗି ପ୍ରତିବଦ୍ଧ। ସେନା ସଂପୂର୍ଣ୍ଣ ରୂପେ ସତର୍କ ଓ ସଜାଗ ରହିଛି। ଭାରତର ସାମରିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ସାମରିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଆଜି ପାକିସ୍ତାନ ଭାରତର ୪ଟି ବାୟୁସୀମା ଘାଟୀ ଉପରେ ଆକ୍ରମଣ କରିଥିଲା, କିନ୍ତୁ ବିଶେଷ କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ଏହାର ଜବାବରେ ଭାରତ ପାକିସ୍ତାନର ୮ଟି ସାମରିକ ଘାଟୀ ଉପରେ ଆକ୍ରମଣ କରି ଏହାକୁ ଧ୍ବଂସ କରିଦେଇଛି। ପାକିସ୍ତାନ କେତେକ ମିଛ ପ୍ରଚାର କରୁଛି ବୋଲି ଉଳ୍ଲେଖ କରି ସାମରିକ ଅଧିକାରୀ କହିଲେ ଯେ ଏସ-୪୦୦ ଏବଂ ବ୍ର॥ହ୍ମୋସ କ୍ଷେପଣାସ୍ତ୍ର ଆଦୌ କ୍ଷତିଗ୍ରସ୍ତ ହୋଇନହିଁ। ଏହାସଂପୂର୍ଣ୍ଣ ରୂପେ ସୁରକ୍ଷିତ ରହିଛି। ପାକିସ୍ତାନର ଧାର୍ମିକ ଅନୁଷ୍ଠାନ ଉପରେ ଭାରତ ଆକ୍ରମଣ କରିଥିବା ଅଭିେଯାଗକୁ ଖଣ୍ଡନ କରି କର୍ଣ୍ଣଲ ସୋଫିଆ କୁରେସି ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କହିଲେ ଯେ ଏଥିରେ କୌଣସି ସତ୍ୟତା ନାହିଁ। ଭାରତୀୟ ସେନା ସଂପୂର୍ଣ୍ଣ ରୂପେ ଧର୍ମନିରପେକ୍ଷ ଏବଂ ଏହାର ମୂଲ୍ୟବୋଧ ନେଇ ସଚେତନ। ଭାରତୀୟ ସେନା ସମ୍ବେଦନଶୀଳତା ସହିତ କାର୍ଯ୍ୟ କରିଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ ପହଲଗାମର ପ୍ରତିଶୋଧ ପାଇଁ ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂର ସଫଳ ରହିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କରିବା ଏବଂ ଏଥିରେ ସଫଳତା ମିଳିଛି। ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରାଯାଇଛି ଏବଂ ୫ ଜଣ ଦୁର୍ଦାନ୍ତ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଇତିମଧ୍ୟରେ ଅସ୍ତ୍ରବିରତି ପରେ ଗତକାଲି ରାତିରେ ତିନି ସେନାର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନକୁ ଯାଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଇତିମଧ୍ୟରେ ଜମ୍ମୁସ୍ଥିତ ଆର୍ଏସ୍ପୁରା ସେକ୍ଟର ଅନ୍ତର୍ଜାତୀୟ ସୀମା ନିକଟରେ ହୋଇଥିବା ଗୁଳିଗୋଳା ମାଡ଼ରେ ବିଏସ୍ଏଫ୍ ଏସ୍ଆଇ ମହମ୍ମଦ ଇମ୍ତିଆଜ୍ ସହିଦ ହୋଇଛନ୍ତି। ପାକିସ୍ତାନ ପଟୁ ଭାରତୀୟ ପୋଷ୍ଟ ଉପରକୁ ଅତର୍କିତ ଗୁଳି କରାଯିବାରୁ ସେଠାରେ ମୁତୟନ ଥିବା ମହମ୍ମଦ ଇମତିଆଜ୍ଙ୍କ ସମେତ ଅନ୍ୟ ୭ ଯବାନ ଆହତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ଇମତିଆଜ୍ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।