ପୁଏର୍ତ୍ତୋ ରିକୋର ଜେନିଫର ବାରେଟୋ ହେଲେ ‘ମିସ୍ ୟୁନିଭର୍ସ ୨୦୨୬’, ଭାରତର କାଜିଆ ଲିଜ୍‌ ମିଜୋ ରାଉଣ୍ଡ ଅଫ ୧୨ରୁ ବାଦ୍

ନୂଆଦିଲ୍ଲୀ: ପୁଏର୍ତ୍ତୋ ରିକୋର ଜେନିଫର ବାରେଟୋ ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ମିସ୍ ୟୁନିଭର୍ସ ୨୦୨୬’ର ବିଜେତା ହୋଇଛନ୍ତି। ସାନ ଜୁଆନର ଜୋସ୍ ମିଗୁଏଲ୍ ଅଗ୍ରେଲୋଟ୍ କୋଲିସିୟମ୍ଠାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମର ୭୫ତମ ସଂସ୍କରଣରେ ଜେନିଫରଙ୍କୁ ଏହି ସମ୍ମାନଜନକ ମୁକୁଟ ପିନ୍ଧାଇ ଦିଆଯାଇଛି। ମେକ୍ସିକୋର ପୂର୍ବତନ ମିସ୍ ୟୁନିଭର୍ସ ଫାତିମା ବୋଶ୍ ତାଙ୍କୁ ଏହି ବିଜୟୀ ମୁକୁଟ ପିନ୍ଧାଇଥିଲେ। ଭାରତ ପକ୍ଷରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କେରଳର ୧୯ ବର୍ଷୀୟା ଆଇନ ଛାତ୍ରୀ କାଜିଆ ଲିଜ୍ ମେଜୋ ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। 

ଏହି ପ୍ରତିଯୋଗିତାରେ ଡୋମିନିକାନ୍ ରିପବ୍ଲିକ୍‌ର ମେଲିସା ନୁନେଜ୍ ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ଭେନେଜୁଏଲାର କ୍ଲାରା ଭେଗାସ୍ ଗୋଏଟ୍ଜ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି। ଶେଷ ପାଞ୍ଚ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଫିଲିପାଇନ୍ସ, ନ୍ୟୁଜିଲାଣ୍ଡ, ଭେନେଜୁଏଲା, ଡୋମିନିକାନ୍ ରିପବ୍ଲିକ୍ ଏବଂ ପୁଏର୍ତ୍ତୋ ରିକୋ ସାମିଲ ଥିଲେ। 

ତେବେ ଭାରତ ପକ୍ଷରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କେରଳର ୧୯ ବର୍ଷୀୟା ଆଇନ ଛାତ୍ରୀ କାଜିଆ ଲିଜ୍ ମେଜୋ ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। କେରଳର ପ୍ରଥମ ଯୁବତୀ ଭାବେ ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ ଜିତି ସେ ପୂର୍ବରୁ ଇତିହାସ ରଚିଥିଲେ। ତେବେ ମୁଖ୍ୟ ପ୍ରତିଯୋଗିତାରେ ତାଙ୍କ ଯାତ୍ରା ଇଭିନିଂ ରାଉଣ୍ଡ ପୂର୍ବରୁ ଶେଷ ହୋଇଯାଇଛି। ସେ ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ମଧ୍ୟ ସ୍ଥାନ ପାଇପାରିନାହାନ୍ତି। 

ଅନ୍ତିମ ପର୍ଯ୍ୟାୟରେ ପ୍ରତିଯୋଗୀମାନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, “ବର୍ତ୍ତମାନ ସମୟରେ ବିଶ୍ୱକୁ ନେତାମାନଙ୍କଠାରୁ ସବୁଠାରୁ ଅଧିକ କ’ଣ ଆବଶ୍ୟକ?” ଏହାର ଉତ୍ତରରେ ଜେନିଫର କହିଥିଲେ, “ମୁଁ ବିଶ୍ୱାସ କରେ ଯେ ବିଶ୍ୱକୁ ବର୍ତ୍ତମାନ ଏମିତି ନେତାଙ୍କ ଆବଶ୍ୟକତା ଅଛି ଯେଉଁମାନେ ବୃତ୍ତିଗତ ଭାବେ ସମ୍ବେଦନଶୀଳ (Professionally Empathetic)। ଆମେ ଏଭଳି ଏକ ଦୁନିଆରେ ରହୁଛୁ ଯେଉଁଠି ପ୍ରାୟତଃ ଅନ୍ୟମାନଙ୍କୁ ବିଚାର କରାଯାଏ, କିନ୍ତୁ ଜଣେ ନେତା ନିଜର ମୂଲ୍ୟବୋଧ ପାଇଁ ଠିଆ ହେବା ଉଚିତ୍ ଏବଂ ଏକ ଉଦାହରଣ ସୃଷ୍ଟି କରିବା ଆବଶ୍ୟକ।” 

ଚଳିତ ବର୍ଷ ମିସ୍ ୟୁନିଭର୍ସର ୭୫ତମ ବାର୍ଷିକୀ ଅବସରରେ ଏକ ନୂତନ ମୁକୁଟ ଉନ୍ମୋଚନ କରାଯାଇଥିଲା, ଯାହାର ନାମ “ଦି ରେଡିଏନ୍ସ ଅଫ୍ ଆନ୍ ଇଟର୍ଣ୍ଣାଲ୍ ଲେଗାସି” ରଖାଯାଇଛି। ଏହି ମୁକୁଟରେ ୩,୧୫୦ଟି ହୀରା ଖଚିତ ହୋଇଥିବା ବେଳେ ଏହାକୁ ୧୮-କ୍ୟାରେଟ୍ ଧଳା ସୁନାରେ ତିଆରି କରାଯାଇଛି। ଗହଣା ଡିଜାଇନର୍ ଜର୍ଜ ୱିଟେଲ୍ସ ଏବଂ ପ୍ୟାରିସ୍‌ର ମୈସନ୍ ଡି’ଓର୍‌ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି। 

About The Author: Madhusudan Das