ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏଡ୍ଟେକ୍ କମ୍ପାନୀ ବାଇଜୁସ୍ (Byju's) ର ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ୍ (Byju Raveendran) ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଅଦାଲତ ଅବମାନନା (Contempt of Court) ମାମଲାରେ ସିଙ୍ଗାପୁରର ଏକ ଅଦାଲତ ତାଙ୍କୁ ୬ ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସମ୍ପତ୍ତି ସମ୍ବନ୍ଧୀୟ ତଥ୍ୟ ଲୁଚାଇବା ଏବଂ କୋର୍ଟଙ୍କ ନିର୍ଦ୍ଦେଶକୁ ବାରମ୍ବାର ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଏବଂ ଜୋରିମାନା
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ଏପ୍ରିଲ୍ ୨୦୨୪ ଠାରୁ ରବୀନ୍ଦ୍ରନ୍ ନିଜର ସମ୍ପତ୍ତି ସମ୍ବନ୍ଧୀୟ ଏକାଧିକ କୋର୍ଟ ନିର୍ଦ୍ଦେଶକୁ ପାଳନ କରିନଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ଜେଲ୍ ଦଣ୍ଡ ଭୋଗିବା ସହ ତୁରନ୍ତ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆଇନଗତ ଖର୍ଚ୍ଚ ବାବଦକୁ ତାଙ୍କୁ ୯୦,୦୦୦ ସିଙ୍ଗାପୁର ଡଲାର୍ ଅର୍ଥାତ୍ ପ୍ରାୟ ୭୦,୫୦୦ ଆମେରିକୀୟ ଡଲାର (ପାଖାପାଖି ୬୭.୫୦ ଲକ୍ଷ ଟଙ୍କା) ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ ମଧ୍ୟ ରବୀନ୍ଦ୍ରନ୍ଙ୍କୁ ବିଆର୍ ଇନଭେଷ୍ଟକୋ ପ୍ରାଇଭେଟ୍ ଲିମିଟେଡ୍ (Beeaar Investco Pte) କମ୍ପାନୀ ଉପରେ ତାଙ୍କର ଆଇନଗତ ମାଲିକାନା ପ୍ରମାଣିତ କରିବା ପାଇଁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ କହିଛନ୍ତି।
ବଢୁଛି ଆଇନଗତ ବିବାଦ
ଏହି ରାୟ ଏପରି ଏକ ସମୟରେ ଆସିଛି, ଯେତେବେଳେ ବାଇଜୁସ୍ ଅନ୍ତର୍ଜାତୀୟ ସ୍ତରରେ ଅନେକ ଆଇନଗତ ଆହ୍ୱାନର ସମ୍ମୁଖୀନ ହେଉଛି। ଯୁକ୍ତରାଷ୍ଟ୍ର ଆମେରିକାରେ ବିଦେଶୀ ନିବେଶକମାନେ ୧.୨ ବିଲିୟନ ଡଲାର୍ ର ଏକ ଋଣ ଅସୁଲି ପାଇଁ ତାଙ୍କ ବିରୋଧରେ ସଂଘର୍ଷ କରୁଛନ୍ତି। ବର୍ତ୍ତମାନ ସିଙ୍ଗାପୁରରେ କାତାର ଇନଭେଷ୍ଟମେଣ୍ଟ୍ ଅଥରିଟିର ଏକ ସହଯୋଗୀ ସଂସ୍ଥା ଦ୍ୱାରା ରବୀନ୍ଦ୍ରନ୍ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଦଣ୍ଡାଦେଶ ପ୍ରସଙ୍ଗରେ ବାଇଜୁ ରବୀନ୍ଦ୍ରନ୍ଙ୍କ ପକ୍ଷରୁ କୌଣସି ସର୍ବସାଧାରଣ ପ୍ରତିକ୍ରିୟା ମିଳିପାରିନାହିଁ ଏବଂ ସେ ବର୍ତ୍ତମାନ ସିଙ୍ଗାପୁରରେ ଅଛନ୍ତି ନା ଅନ୍ୟ କୌଣସି ସ୍ଥାନରେ, ତାହା ସ୍ପଷ୍ଟ ହୋଇନାହିଁ।