NVIDIA CEO ଜେନସେନ ହୁଆଙ୍ଗଙ୍କୁ ବଡ଼ ଝଟକା: ମାତ୍ର ୩୦ ମିନିଟରେ ହରାଇଲେ ୭.୪ ବିଲିୟନ ଡଲାର

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ AI ଚିପ୍ ନିର୍ମାତା କମ୍ପାନୀ Nvidiaର CEO ଜେନସେନ୍ ହୁଆଙ୍ଗଙ୍କ ବିବାଦ ବଢ଼ିବାରେ ଲାଗିଛି । ୱାଲ ଷ୍ଟ୍ରିଟରେ କାରବାର ଆରମ୍ଭର ପ୍ରଥମ ଦିନରେ ହିଁ ପ୍ରତିଷ୍ଠିତ ଚିପ୍ ନିର୍ମାତା କମ୍ପାନୀ ଏନଭିଡିଆ (Nvidia) ର ସିଇଓ ଜେନସେନ ହୁଆଙ୍ଗଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ରିପୋର୍ଟ ଅନୁଯାୟୀ, କାରବାର ଆରମ୍ଭ ହେବାର ମାତ୍ର ୩୦ ମିନିଟ ମଧ୍ୟରେ ହୁଆଙ୍ଗ ପ୍ରାୟ ୭.୪ ବିଲିୟନ ଡଲାର (ପ୍ରାୟ ୬୨,୦୦୦ କୋଟିରୁ ଅଧିକ ଟଙ୍କା) ହରାଇଛନ୍ତି। କମ୍ପାନୀର ସେୟାର ମୂଲ୍ୟରେ ହଠାତ୍ ହ୍ରାସ ଘଟିବା କାରଣରୁ ତାଙ୍କ ସମ୍ପତ୍ତିରେ ଏହି ବଡ଼ ଧରଣର ହ୍ରାସ ଦେଖାଦେଇଛି।

କମ୍ପାନୀର ସେୟାର ଉପରେ ବିକ୍ରି ଚାପ ବଢ଼ିବା ସହ ହୁଆଙ୍ଗଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ବିବାଦ ଏବଂ କମ୍ପାନୀ ବିରୋଧରେ ବିଦେଶୀ ଗୁପ୍ତଚର ସଂସ୍ଥାର ଗତିବିଧିକୁ ନେଇ ଚାଲିଥିବା ଚର୍ଚ୍ଚା ଏହି ପରିସ୍ଥିତି ସୃଷ୍ଟି କରିଛି। ବିଶେଷ କରି ଚୀନ୍‌ର ଗୁପ୍ତଚର ବିବାଦ ଏବଂ ହୁଆଙ୍ଗଙ୍କ ବ୍ୟକ୍ତିଗତ ବ୍ୟାପାରକୁ ନେଇ ବଜାରରେ ଏକ ନକାରାତ୍ମକ ପ୍ରଭାବ ପଡ଼ିଛି, ଯାହାକି ବିନିଯୋଗକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।

ଫୋର୍ବସ (Forbes) ର ରିଅଲ-ଟାଇମ ବିଲିୟନେୟାର ତାଲିକା ଅନୁଯାୟୀ, ହୁଆଙ୍ଗଙ୍କ ମୋଟ ସମ୍ପତ୍ତି ହ୍ରାସ ପାଇ ଏବେ ୧୫୪.୭ ବିଲିୟନ ଡଲାରରେ ପହଞ୍ଚିଛି। ଏହି କାରଣରୁ ସେ ବିଶ୍ୱର ଧନୀ ତାଲିକାରେ ଅଷ୍ଟମ ସ୍ଥାନରୁ ୧୦ମ ସ୍ଥାନକୁ ଖସି ଆସିଛନ୍ତି। ତାଙ୍କୁ ପଛରେ ପକାଇ ୱାରେନ୍ ବଫେଟ୍ ଏବଂ ଓରାକଲ୍ ସହ-ପ୍ରତିଷ୍ଠାତା ଲ୍ୟାରି ଏଲିସନ ଆଗକୁ ବଢ଼ିଛନ୍ତି।

ଗତ ନଭେମ୍ବର ୯ ତାରିଖରେ ଏନଭିଡିଆର ସେୟାର ମୂଲ୍ୟରେ ୪.୩ ପ୍ରତିଶତ ହ୍ରାସ ଘଟିଥିଲା। ଏହା ଫଳରେ କମ୍ପାନୀର ମୋଟ ବଜାର ପୁଞ୍ଜି ପ୍ରାୟ ୧୯୦ ବିଲିୟନ ଡଲାର ହ୍ରାସ ପାଇଛି। ପ୍ରି-ମାର୍କେଟ୍ ଟ୍ରେଡିଂରେ ଏହି ସେୟାର ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଥିଲା।

ଜେନସେନ ହୁଆଙ୍ଗ ଏନଭିଡିଆର ପ୍ରାୟ ୩.୫ ପ୍ରତିଶତ ଅଂଶଧନର ମାଲିକ, ଯାହା ତାଙ୍କୁ କମ୍ପାନୀର ସବୁଠାରୁ ବଡ଼ ବ୍ୟକ୍ତିଗତ ଅଂଶଧନକାରୀ ଭାବେ ପରିଚିତ କରେ। ତାଙ୍କର ଅଧିକାଂଶ ସମ୍ପତ୍ତି ସେୟାର ବଜାର ଉପରେ ନିର୍ଭରଶୀଳ ହୋଇଥିବାରୁ, ବଜାରର ସାମାନ୍ୟ ପରିବର୍ତ୍ତନ ତାଙ୍କ ନେଟ୍ ୱର୍ଥ ଉପରେ ବଡ଼ ପ୍ରଭାବ ପକାଇଥାଏ। ୧୯୯୩ରେ ଏନଭିଡିଆ ପ୍ରତିଷ୍ଠା କରିଥିବା ହୁଆଙ୍ଗଙ୍କ ନେତୃତ୍ୱକୁ କମ୍ପାନୀ ବୋର୍ଡ ସମର୍ଥନ କରୁଥିଲେ ମଧ୍ୟ, ବର୍ତ୍ତମାନର ତଦନ୍ତ ଏବଂ ମାମଲାଗୁଡ଼ିକ ଏହି ଏଆଇ ଚିପ୍ ନିର୍ମାତା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

About The Author: Madhusudan Das