୧୫,୦୦୦ କୋଟିର ଛାଡ଼ପତ୍ର ମାମଲା! ଜୋହୋ ସିଇଓ ଶ୍ରୀଧର ଭେମ୍ବୁଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ପ୍ରମିଳା

ଜୋହୋ (Zoho) କର୍ପୋରେସନର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀଧର ଭେମ୍ବୁ ଏବଂ ତାଙ୍କ ପତ୍ନୀ ପ୍ରମିଳା ଶ୍ରୀନିବାସନଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ମାମଲା ବର୍ତ୍ତମାନ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଏହା କୌଣସି ସାଧାରଣ ଛାଡପତ୍ର ମାମଲା ନୁହେଁ, ବରଂ ଏଥିରେ ପ୍ରାୟ ୧.୭ ବିଲିୟନ ଡଲାର ବା ୧୫,୦୦୦ କୋଟି ଟଙ୍କାର ବଣ୍ଡ୍ ଅର୍ଡର ସାମିଲ ରହିଛି, ଯାହା ଭାରତୀୟ ବ୍ୟବସାୟିକ ଜଗତରେ ଏକ ବିରଳ ଘଟଣା। ଦୀର୍ଘ ୩୦ ବର୍ଷର ବୈବାହିକ ଜୀବନ ପରେ ଉଭୟ ସମ୍ପତ୍ତି, ପୁଅର କଷ୍ଟଡି ଏବଂ ଜୋହୋର ଭବିଷ୍ୟତକୁ ନେଇ ଆଇନଗତ ଲଢେଇ କରୁଛନ୍ତି।

ମାଡ୍ରାସ ହାଇକୋର୍ଟରେ ପହଞ୍ଚିଲା ମାମଲା

ଏହି ମାମଲାରେ ଏକ ନୂତନ ମୋଡ଼ ଆସିଛି। ରିପୋର୍ଟ ଅନୁଯାୟୀ, ପ୍ରମିଳା ବର୍ତ୍ତମାନ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କାଲିଫର୍ଣ୍ଣିଆରେ ଚାଲିଥିବା ଛାଡପତ୍ର ମାମଲା ପାଇଁ ତାମିଲନାଡୁରୁ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନ ସଂଗ୍ରହ କରିବାକୁ ସେ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ବୁଧବାର ଦିନ ବିଚାରପତି ପି. ଧନପାଲଙ୍କ ସମ୍ମୁଖରେ ତାଙ୍କ ଓକିଲ କାଲିଫର୍ଣ୍ଣିଆ ସୁପିରିଅର କୋର୍ଟର 'ଲେଟର ଅଫ୍ ରୋଗେଟୋରୀ' (Letter of Rogatory) ବିଷୟରେ ଉଲ୍ଲେଖ କରିଥିଲେ, ଯାହା ଅନ୍ତର୍ଜାତୀୟ ମାମଲାଗୁଡ଼ିକରେ ଆଇନଗତ ସହାୟତା ପାଇଁ ବ୍ୟବହୃତ ହୁଏ।

ପ୍ରେମରୁ ବିବାଦ: ଏକ ଲମ୍ବା ଯାତ୍ରା

୧୯୮୯ ମସିହାରେ ଆମେରିକାର ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରେ ପାଠ ପଢିବା ସମୟରେ ଶ୍ରୀଧର ଏବଂ ପ୍ରମିଳାଙ୍କ ସାକ୍ଷାତ ହୋଇଥିଲା। ଉଭୟ ୧୯୯୩ରେ ବିବାହ କରିଥିଲେ ଏବଂ କାଲିଫର୍ଣ୍ଣିଆରେ ରହୁଥିଲେ। କିନ୍ତୁ ୨୦୧୯-୨୦ରେ ଶ୍ରୀଧର ନିଜର ଚେର ସନ୍ଧାନରେ ତାମିଲନାଡୁର ଏକ ଗ୍ରାମକୁ ଚାଲି ଆସିଥିଲେ, ଯେତେବେଳେ କି ପ୍ରମିଳା ଏବଂ ତାଙ୍କର ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପୁଅ ଆମେରିକାରେ ରହିଥିଲେ। ପ୍ରମିଳାଙ୍କ ଅଭିଯୋଗ ଅନୁଯାୟୀ, ନଭେମ୍ବର ୨୦୨୦ରେ ଶ୍ରୀଧର ହ୍ୱାଟ୍ସଆପ୍ ମାଧ୍ୟମରେ ଛାଡପତ୍ର କଥା ଜଣାଇଥିଲେ। କାଲିଫର୍ଣ୍ଣିଆ ନିୟମ ଅନୁସାରେ ବିବାହ ପରେ ଅର୍ଜିତ ସମସ୍ତ ସମ୍ପତ୍ତିରେ ସ୍ୱାମୀ-ସ୍ତ୍ରୀଙ୍କ ସମାନ ଅଧିକାର ଥାଏ, ତେଣୁ ଜୋହୋର ସେୟାର ଏବଂ ସମ୍ପତ୍ତି ବର୍ତ୍ତମାନ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି।

ଗୁରୁତର ଅଭିଯୋଗ ଏବଂ ସଫେଇ

ପ୍ରମିଳା ଅଭିଯୋଗ କରିଛନ୍ତି ଯେ ଶ୍ରୀଧର ତାଙ୍କୁ ଏବଂ ପୁଅକୁ ପରିତ୍ୟାଗ କରିଛନ୍ତି ଏବଂ ତାଙ୍କ ଅଜାଣତରେ ସମ୍ପତ୍ତିକୁ ପରିବାରର ଅନ୍ୟ ସଦସ୍ୟଙ୍କ ନାମକୁ ହସ୍ତାନ୍ତର କରିଛନ୍ତି। ସେ ଦାବି କରିଛନ୍ତି ଯେ ଶ୍ରୀଧର ଗୁପ୍ତ ଭାବରେ ଆଇପି (IP) ବିକ୍ରି କରିଛନ୍ତି ଏବଂ ସେୟାରଗୁଡ଼ିକୁ ହେରଫେର କରିଛନ୍ତି। ଅନ୍ୟପକ୍ଷରେ, ଶ୍ରୀଧର ଭେମ୍ବୁ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଦାବି କରିଛନ୍ତି ଯେ ଜୋହୋରେ ତାଙ୍କର ମାତ୍ର ୫% ଅଂଶଧନ ରହିଛି। ତାଙ୍କ ଓକିଲଙ୍କ କହିବା ଅନୁଯାୟୀ, ଶ୍ରୀଧର ନିଜ ଅଂଶଧନର ୫୦% ପ୍ରମିଳାଙ୍କୁ ଦେବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ପ୍ରମିଳା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଏହି ଘଟଣା ବର୍ତ୍ତମାନ ବିଲ୍ ଗେଟ୍ସ ଏବଂ ଜେଫ୍ ବେଜୋସ୍‌ଙ୍କ ଭଳି ହାଇ-ପ୍ରୋଫାଇଲ୍ ଛାଡପତ୍ର ମାମଲା ସହ ତୁଳନା କରାଯାଉଛି। କୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଯାହା ହେଉନା କାହିଁକି, ଏହି ଘଟଣା ଭାରତୀୟ କର୍ପୋରେଟ୍ ଜଗତ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି।

About The Author: Tapas Ranjan Nanda