ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀର ଚାଓ୍ୱାଡି ବଜାର ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଗୁରୁବାର ସକାଳେ ଏଠାରେ ଏକ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଭଙ୍ଗା କୋଠା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁଯାୟୀ, ଚାଓ୍ୱାଡି ବଜାର ମେଟ୍ରୋ ଷ୍ଟେସନ ନିକଟସ୍ଥ ଗଳି ସିତାରାରେ ସକାଳ ପ୍ରାୟ ୯:୫୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି କୋଠାଟିର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା। ଘଟଣାସ୍ଥଳରେ ଆତଙ୍କର ବାତାବରଣ ଖେଳିଯାଇଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଅତିକମରେ ୬ଟି ଦମକଳ ଗାଡ଼ି ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜଳ ଟେଣ୍ଡର ଏବଂ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଭଗ୍ନାବଶେଷ ହଟାଇବା କାର୍ଯ୍ୟ ଚାଲିଛି। ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୩୧ ତାରିଖରେ ଚାନ୍ଦିନୀ ଚୌକ ଅଞ୍ଚଳରେ ଥିବା ୧୬୦ ବର୍ଷର ପୁରୁଣା ଏମସିଡି (MCD) ଟାଉନ୍ ହଲ୍ର ଏକ ଅଂଶ ବିଶେଷ ଭୁଶୁଡ଼ି ପଡ଼ିଥିଲା। ବାରମ୍ବାର ପୁରୁଣା ଦିଲ୍ଲୀ ଅଞ୍ଚଳରେ ଏପରି କୋଠା ଭୁଶୁଡ଼ିବା ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।