୧୦୦ ଅଶ୍ଳୀଳ ଭିଡିଓ, ୧୫୦୦ କୋଟିର ସମ୍ପତ୍ତି: ମହାରାଷ୍ଟ୍ରର ଭଣ୍ଡବାବା ଅଶୋକ ଖରାତଙ୍କ କଳାକାରନାମାର ପର୍ଦ୍ଦାଫାଶ

ମହାରାଷ୍ଟ୍ରର ନାସିକରୁ ଗିରଫ ହୋଇଥିବା କଥିତ ଭଣ୍ଡବାବା ଅଶୋକ ଖରାତଙ୍କୁ ନେଇ ଦିନକୁ ଦିନ ନୂଆ ଏବଂ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଏକ ଦୁଷ୍କର୍ମ ମାମଲାରେ ଗିରଫ ହେବା ପରେ ଏସ୍.ଆଇ.ଟି (SIT) ର ତଦନ୍ତରୁ ତାଙ୍କର କଳା ସାମ୍ରାଜ୍ୟର ପର୍ଦ୍ଦାଫାଶ ହୋଇଛି। ଯାଞ୍ଚ ବେଳେ ପ୍ରାୟ ୧୫୦୦ କୋଟି ଟଙ୍କାର ସମ୍ପତ୍ତି ଏବଂ ମହିଳାମାନଙ୍କର ୧୦୦ରୁ ଅଧିକ ଅଶ୍ଳୀଳ ଭିଡିଓ ଜବତ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୨୦୧୮ ମସିହାରେ ଖରାତଙ୍କ ସହ ଜଡ଼ିତ ଏକ ମନ୍ଦିରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାରୁ ଅଧିକ ପାଣ୍ଠି ମଧ୍ୟ ମିଳିଥିଲା।

୧୦୦ ଅଶ୍ଳୀଳ ଭିଡିଓ ଓ ବିପୁଳ ସମ୍ପତ୍ତି ଠାବ

ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଦ୍ୱାରା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ଯେ, ନିଜକୁ ଆଧ୍ୟାତ୍ମିକ ଗୁରୁ କହୁଥିବା ଏହି ବାବାଙ୍କ ପାଖରୁ ପ୍ରାୟ ୧୦୦ଟି ଆପତ୍ତିଜନକ ଭିଡିଓ ମିଳିଛି। ପୂର୍ବରୁ ପୋଲିସ ତାଙ୍କ କାର୍ଯ୍ୟାଳୟରୁ ଗୋଟିଏ ପେନ୍ ଡ୍ରାଇଭ୍ ଜବତ କରିଥିଲା ଯେଉଁଥିରେ ୫୮ଟି ଅଶ୍ଳୀଳ ଭିଡିଓ ଥିଲା। ଏହି ଭିଡିଓଗୁଡ଼ିକୁ ବ୍ୟବହାର କରି ସେ ମହିଳାମାନଙ୍କୁ ବ୍ଲାକମେଲ୍ କରୁଥିଲେ। ଏଥିସହ ତାଙ୍କର ପ୍ରାୟ ୧୫୦୦ କୋଟି ଟଙ୍କାର ବିପୁଳ ସମ୍ପତ୍ତି ଥିବା ମଧ୍ୟ ଖୁଲାସା ହୋଇଛି। ବର୍ତ୍ତମାନ ଏହି ମାମଲାରେ ଆୟକର ବିଭାଗ (Income Tax Department) ମଧ୍ୟ ସାମିଲ ହୋଇଛି ଏବଂ ଖରାତଙ୍କ ଆର୍ଥିକ କାରବାରର ଖୋଳତାଡ଼ କରୁଛି। ସାଇବର ପୋଲିସ ମଧ୍ୟ ଜବତ ହୋଇଥିବା ଭିଡିଓଗୁଡ଼ିକର ଫରେନ୍ସିକ୍ ଯାଞ୍ଚ କରୁଛି।

ମନ୍ଦିର ବିକାଶ ନାଁରେ ମିଳିଥିଲା ୧ କୋଟିର ସରକାରୀ ପାଣ୍ଠି

ଏହି ମାମଲାରେ ସରକାରୀ ସ୍ତରରେ ମଧ୍ୟ ଏକ ବଡ଼ ଖୁଲାସା ହୋଇଛି। ଆଧିକାରୀକ ସୂତ୍ର ଅନୁଯାୟୀ, ନାସିକ ଜିଲ୍ଲାର ସିନ୍ନର ଅଞ୍ଚଳରେ ଥିବା ଶ୍ରୀ ଇଶାନ୍ୟେଶ୍ୱର ଦେବସ୍ଥାନ ଟ୍ରଷ୍ଟକୁ ୩୧ ମାର୍ଚ୍ଚ ୨୦୧୮ରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ୧.୦୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ପର୍ଯ୍ୟଟନ ବିକାଶ ଯୋଜନା ଅଧୀନରେ ଏହି ଅର୍ଥ ମଞ୍ଜୁର କରାଯାଇଥିଲା, ଯାହାର ଦାୟିତ୍ୱ ସେତେବେଳେ ବିଜେପି ନେତା ଜୟକୁମାର ରାୱଲଙ୍କ ପାଖରେ ଥିଲା। ଏହି ଟ୍ରଷ୍ଟର ସମ୍ପୂର୍ଣ୍ଣ ଦାୟିତ୍ୱ ଅଶୋକ ଖରାତ ହିଁ ବୁଝୁଥିଲେ।

କିପରି ହେଲା ଖୁଲାସା ଓ ରାଜନୈତିକ ହଟଚମଟ

ଗତ ମାର୍ଚ୍ଚ ୧୮ ତାରିଖରେ ଜଣେ ୩୫ ବର୍ଷୀୟା ମହିଳା ଅଶୋକ ଖରାତଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପୂଜାପାଠ ଏବଂ ସମସ୍ୟା ସମାଧାନ ବାହାନାରେ ସେ ମହିଳାମାନଙ୍କୁ ନିଶାଦ୍ରବ୍ୟ ଦେଇ ଶାରୀରିକ ଶୋଷଣ କରୁଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ବିଧାନସଭାରେ ସୂଚନା ଦେଇଛନ୍ତି ଯେ ଖରାତଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ୮ଟି ଏଫ୍.ଆଇ.ଆର୍ (FIR) ରୁଜୁ ହୋଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଖରାତଙ୍କ ପାଦ ଧୋଉଥିବାର ଏକ ପୁରୁଣା ଭିଡିଓ ଭାଇରାଲ ହେବା ପରେ ମହାରାଷ୍ଟ୍ର ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ରୂପାଲି ଚାକଣକରଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ଏହି ସମ୍ପୂର୍ଣ୍ଣ ଘଟଣାକୁ ବିରୋଧୀ ଦଳ 'ମହାରାଷ୍ଟ୍ରର ଏପ୍‌ଷ୍ଟାଇନ୍ ଫାଇଲ୍ସ' ବୋଲି ଆଖ୍ୟା ଦେଇ ସରକାରଙ୍କୁ ଘେରିଛନ୍ତି।

About The Author: Suryakanta