ନୂଆଦିଲ୍ଲୀ: ମୁହାଁମୁହିଁ ସ୍ଥିତରେ ଏଏନଆଇ ଓ ୟୁଟ୍ୟୁବର। ଖବର ସରବରାହ ସଂସ୍ଥା ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଣ୍ଟେଣ୍ଟ କ୍ରିଏଟର। ଏଏନଆଇ ୟୁଟ୍ୟୁବର କପିରାଇଟ ଷ୍ଟ୍ରାଇକ ସିଷ୍ଟମକୁ ଦୁରୁପଯୋଗ କରିବା ସହ ଲୋକପ୍ରିୟ ୟ୍ୟୁଟ୍ୟୁବରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରୁଥିବା ନେଇ କଣ୍ଟେଣ୍ଟ କ୍ରିଏଟରମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ୟୁଟ୍ୟୁବର କପିରାଇଟ ଷ୍ଟ୍ରାଇକ ସିଷ୍ଟମକୁ ଢାଲ କରି ଏଏନଆଇ ଏକ ପ୍ରକାର ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି। ଜଣାଶୁଣା ୟୁଟ୍ୟୁବର ମୋହକ ମଙ୍ଗଳ ଦାବି କରିଛନ୍ତି ଯେ, କେବଳ ୧୧ ସେକେଣ୍ଡ ଏବଂ ୯ ସେକେଣ୍ଡର ଫୁଟେଜ ବ୍ୟବହାର ପାଇଁ ଏଏନଆଇ ତାଙ୍କ ଚ୍ୟାନେଲରେ କପିରାଇଟ ଷ୍ଟ୍ରାଇକ ଦେଇଛି। କେବଳ ମୋହକ ମଙ୍ଗଳ ନୁହଁନ୍ତି ଏକାଧିକ ୟୁଟ୍ୟୁବରଙ୍କୁ ଏଏନଆଇ କପିରାଇଟ ଷ୍ଟ୍ରାଇକ ଦେଇଛି। ଆଉ ଷ୍ଟ୍ରାଇକ ହଟାଇବା ପାଇଁ ମୋଟା ଅଙ୍କର ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି।
ଭାରତୀୟ କପିରାଇଟ ଆଇନ ଅନୁଯାୟୀ, ସମାଲୋଚନା, ବିଶ୍ଲେଷଣ ଏବଂ ରିପୋର୍ଟିଂ ପାଇଁ ସୀମିତେ ମାତ୍ରାରେ କପିରାଇଟ ସାମଗ୍ରୀ ବ୍ୟବହାର କରାଯାଇପାରିବ। ଅର୍ଥାତ ଅନ୍ୟର ଭିଡିଓକୁ ନିଜ କଂଟେଟରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ବ୍ୟବହାର ଅନୁମତି ଥାଏ। ଯାହାକୁ ଭାରତୀୟ କପିରାଇଟ ଆଇନ ଅନୁଯାୟୀ ଫେୟାର ୟୁଜ୍ ବୋଲି କୁହାଯାଏ। କିନ୍ତୁ ୟୁଟ୍ୟୁବର କପିରାଇଟ ପଲିସିକୁ ଏଏନଆଇ କଂଟେଟ କ୍ରିୟଟରଙ୍କୁ ଆର୍ଥିକ ଶୋଷଣ କରିବାରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ୟୁଟ୍ୟୁବର କପିରାଇଟ ପଲିସି ଅନୁସାରେ, ଯଦି ଜଣଙ୍କ ଚ୍ୟାନେଲରେ ୩ଟି କପିରାଇଟ ଷ୍ଟ୍ରାଇକ ଲାଗେ ତେବେ ଉକ୍ତ ଚ୍ୟାନେଲଟି ସବୁଦିନ ପାଇଁ ଡିଲିଟ ହୋଇଯିବ। ମୋହକ ମଙ୍ଗଲଙ୍କ ଅଭିଯୋଗ ଅନୁଯାୟୀ, ମାତ୍ର ୧୧ ସେକେଣ୍ଡ ଏବଂ ୯ ସେକେଣ୍ଡର ଫୁଟେଜ ବ୍ୟବହାର ପାଇଁ ଏଏନଆଇ ତାଙ୍କ ଚ୍ୟାନେଲରେ ୨ଟି ଷ୍ଟ୍ରାଇକ ଲଗାଇଛି। ଆଉ ଗୋଟିଏ ଷ୍ଟ୍ରାଇକ ଲାଗିଲେ ତାଙ୍କ ଚ୍ୟାନେଲ ଡିଲିଟ ହେବାର ସମ୍ଭାବନା ରହିଛି। ଆଉ ଏହି ଷ୍ଟ୍ରାଇକ ଉଠାଇବା ପାଇଁ ଏଏନଆଇ ମୋହକ ମଙ୍ଗଲଙ୍କ ଠାରୁ ୪୫-୫୦ ଲକ୍ଷ ଟଙ୍କା ଦାବି କରୁଥିବା ସେ ଅଭିଯୋଗ କରିଛନ୍ତି।
ଏଏନଆଇର ଏହି ଶୋଷଣ ବିରୋଧରେ ମୋହକଙ୍କ ସାଥିରେ ଠିଆ ହୋଇଛନ୍ତି ଅନ୍ୟ ଲୋକପ୍ରିୟ ୟୁଟ୍ୟୁବର। ଦ୍ରୁଭ ରାଠୀ, ନୀତିଶ ରାଜପୁତ, କୁନାଲ କାମ୍ରା, ଏବଂ ମହେଶ କେଶବାଲାଙ୍କ ପରି ୟୁଟ୍ୟୁବରମାନେ ମୋହକଙ୍କୁ ସମର୍ଥନ କରିଛନ୍ତି। ଆଉ ଜଣେ ୟୁଟ୍ୟୁବର ମହେଶ କେଶବାଲା ଅଭିଯୋଗ କରିଛନ୍ତି ଯେ, ସେ ବ୍ୟବହାର କରିଥିବା ୨ ସେକେଣ୍ଡର ଫୁଟେଜ ପାଇଁ ଏଏନଆଇ ତାଙ୍କଠାରୁ ୧୫ ଲକ୍ଷ ଟଙ୍କା ଦାବି କରିଛନ୍ତି। ୟୁଟ୍ୟୁବର ଏବଂ ଏଏନଆଇ ମଧ୍ୟରେ ଲାଗି ରହିଥିବା ଏହି ବିବାଦ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ମୋହକ ମଙ୍ଗଳ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଚିଠି ଲେଖି ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସେପଟେ ଏଏନଆଇ ଦାବି କରିଛି ଯେ, ନିଜର କପିରାଇଟ କଂଟେଟକୁ ସୁରକ୍ଷା ଦେବା ପାଇଁ ସେ ଆଇନଗତ ଅଧିକାର ବ୍ୟବହାର କରୁଛନ୍ତି। ୟୁଟ୍ୟୁବରମାନେ ତାଙ୍କର ଭିଜୁଆଲ ବ୍ୟବହାର କରି ଆର୍ଥିକ ଲାଭ କରୁଛନ୍ତି, ତେଣୁ ଲାଇସେନ୍ସ ଫି ଦେବା ଆବଶ୍ୟକ ବୋଲି ଏଏନଆଇ ଯୁକ୍ତି ବାଢିଛି।
ବିବାଦକୁ ନେଇ ଭାରତରେ ଡିଜିଟାଲ କଂଟେଟ କ୍ରିଏଟର ଏବଂ କପିରାଇଟ ଆଇନ ସମ୍ପର୍କରେ ନିର୍ଦ୍ଦିଷ୍ଟ ଆଇନ ଆସିବା ଆବଶ୍ୟକ ବୋଲି ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଛନ୍ତି ଅନେକ ୟୁଜର୍ସ।