ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି। ଏହି ଯୋଜନାରେ ପେନ୍ସନ୍ ସୁବିଧା ନାହିଁ ଏବଂ ଚାକିରି କାଳ କେବଳ ଚାରି ବର୍ଷରେ ସୀମିତ ରଖାଯାଇଛି । ଯାହାକୁ ନେଇ ଆଶାୟୀ ଯୁବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥି ସହିତ ବିଭିନ୍ନ ବିରୋଧୀ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। କିଛି ସଙ୍ଗଠନ ପକ୍ଷରୁ ମଧ୍ୟ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାରି ମଧ୍ୟରେ ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଏକ ବଡ଼ ଘୋଷଣା କରିଛନ୍ତି। ଅଗ୍ନିପଥ ଯୋଜନା ବିରୋଧରେ ହିଂସା ଘଟଣାରେ ଦୁଃଖ ପ୍ରକାଶ କରି ଆନନ୍ଦ ମହିନ୍ଦ୍ରା ‘ଅଗ୍ନିବୀର’ ମାନଙ୍କୁ ମହିନ୍ଦ୍ରା ଗ୍ରୁପରେ ନିଯୁକ୍ତି ସୁଯୋଗ ଦିଆଯିବ ବୋଲି କହିଛନ୍ତି ।
୪ ବର୍ଷ ମଧ୍ୟରେ ଅଗ୍ନିବୀର ଯେଉଁ ଜ୍ଞାନ କୌଶଳ ହାସଲ କରିବେ ଏବଂ ଯେପରି ଶୃଙ୍ଖଳିତ ହେବେ ତାହା ଦ୍ୱାରା ସେମାନଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ପାଇଁ ଭଲ ସୁଯୋଗ ସୃଷ୍ଟିହେବ । ସେନାରେ ଶୃଙ୍ଖଳିତ ଏପରି ଯୁବକଙ୍କୁ ମହିନ୍ଦ୍ରା ଗ୍ରୁପ ସ୍ୱାଗତ କରୁଛି ବୋଲି ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରି ଜଣାଇଛନ୍ତି ।ମହିନ୍ଦ୍ରା ଗ୍ରୁପ୍ ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସେନାରେ ନିଯୁକ୍ତିର ନୂଆ ଯୋଜନା ‘ଅଗ୍ନିପଥ’ କୁ ବିରୋଧ କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଯୋଜନା ଅଧୀନରେ ତାଲିମ ପ୍ରାପ୍ତ ଯୁବକମାନଙ୍କୁ ଚାକିରି ପ୍ରଦାନ କରିବାକୁ ଏକ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ଏହି ଅଫର ଏପରି ସମୟରେ ଆସିଛି ଯେତେବେଳେ ସରକାର ଏବଂ ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ବିରୋଧ ହେବା ପରେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ୩ ସେନାର ଅଧିକାରୀ । ଏହା ସତ୍ତ୍ୱେ ଏହି ଯୋଜନାକୁ ବିରୋଧ ହେଉଛି ।
ଆନନ୍ଦ ମହିନ୍ଦ୍ରା ସୋମବାର ସକାଳେ ଟ୍ୱିଟ୍ କରି କହିଛନ୍ତି ଯେ ‘ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ବିକ୍ଷୋଭରେ ସେ ଦୁଃଖିତ। ଗତ ବର୍ଷ ଯେତେବେଳେ ଏହି ଯୋଜନାର ସୂଚନା ଆସିଲା, ଏହାକୁ ନେଇ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଥିଲା । ଏହା ଅଧୀନରେ ଶିଖିଥିବା ଅନୁଶାସନ ଏବଂ ଦକ୍ଷତା ସେମାନଙ୍କୁ ସର୍ବୋତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ମହିନ୍ଦ୍ରା ଗ୍ରୁପ୍ ଏଭଳି ତାଲିମପ୍ରାପ୍ତ, ଦକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ସ୍ୱାଗତ କରୁଛି’ ।
ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ସତ୍ତ୍ୱେ ଏହି ଯୋଜନା ପ୍ରତ୍ୟାହାର ହେବନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ କରିଥିଲା । ତୀବ୍ର ବିରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାରେ କିଛି କୋହଳ କରିଛନ୍ତି । ଏହାଛଡ଼ା ଅଗ୍ନିବୀର ମାନଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦% ସଂରକ୍ଷଣ ସହ ନିଯୁକ୍ତି ପ୍ରତିଶ୍ରୁତି ଦେଇଛନ୍ତି । ତଥାପି ଏହି ଯୋଜନା ବିରୋଧରେ ଆଶାୟୀ ଯୁବକଙ୍କ ଆକ୍ରୋଶ ଥମିନାହିଁ ।