ନୂଆଦିଲ୍ଲୀ: ରାଜନୀତିରେ ଅପରାଧୀକରଣକୁ ନେଇ ପୁଣି ଥରେ ଦେଶରେ ଆରମ୍ଭ ହୋଇଛି ବିତର୍କ। ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରିଙ୍କ ପକ୍ଷରୁ ଦାଖଲ ତଥ୍ୟ ଅନୁଯାୟୀ, ଦେଶର ୫୪୩ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୫୧ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୧୭୦ ଜଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଥିବା କୁହାଯାଇଛି। ତେବେ ଉଦ୍ବେଗଜନକ ବିଷୟଟି ହେଉଛି ଯେ ନିର୍ବାଚିତ ସାଂସଦଙ୍କ ସଂଖ୍ୟା ଓ ଅପରାଧ ହାର ଦୃଷ୍ଟିରୁ ଓଡ଼ିଶା ବି ପଛରେ ନାହିଁ । ୨୧ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୬ ଜଣ, ଅର୍ଥାତ୍ ପ୍ରାୟ ୭୬ ପ୍ରତିଶତଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଏହି ହାର ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ସ୍ଥାନ ଦେଇଛି। ରାଜ୍ୟଭିତ୍ତିକ ତାଲିକାରେ କେରଳ ପରେ ତେଲେଙ୍ଗାନା, ଓଡ଼ିଶା ଓ ଝାଡ଼ଖଣ୍ଡର ସ୍ଥିତି ଉଦ୍ବେଗଜନକ ରହିଛି ।
୨୦୨୪ ଲୋକସଭା ନିର୍ବାଚନ ସମୟରେ ଦାଖଲ ହୋଇଥିବା ସ୍ୱ-ଘୋଷିତ ଶପଥପତ୍ର ଆଧାରରେ ଏଡ଼ିଆର୍ ବିଶ୍ଳେଷଣ ଅନୁଯାୟୀ ଓଡ଼ିଶାର ୧୬ ଜଣ ବିଜୟୀ ସାଂସଦ ବିଭିନ୍ନ ଅପରାଧରେ ଅଭିଯୁକ୍ତ ପ୍ରତାପ ଷଡ଼ଙ୍ଗୀ, ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ ପୁରୋହିତ, ରୁଦ୍ର ନାରାୟଣ ପାଣି, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ସୁକାନ୍ତ ପାଣିଗ୍ରାହୀ, ବିଭୁ ପ୍ରସାଦ ତରାଇ, ଜୁଏଲ ଓରାମ, ବଳଭଦ୍ର ମାଝୀ, ନବ ଚରଣ ମାଝୀ, ସଙ୍ଗୀତା କୁମାରୀ ସିଂହଦେଓ, ଭର୍ତ୍ତୃହରି ମହତାବ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର ଓ ଅନନ୍ତ ନାୟକ ପ୍ରମୁଖ ନିଜ ସତ୍ୟପାଠରେ ସେମାନଙ୍କ ନାମରେ ରହିଥିବା ଅପରାଧ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ୧୬ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ବିରୋଧରେ ଗୁରୁତର ମାମଲା ରହିଥିବା ଜଣାପଡ଼ିଛି। ଅନୁରୂପ ଭାବରେ ପ୍ରତାପ ଷଡ଼ଙ୍ଗୀ ଓ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସର୍ବାଧିକ ୯ଟି ଲେଖାଏଁ ମାମଲା ରହିଥିବାବେଳେ ପ୍ରଦୀପ ପୁରୋହିତ, ରୁଦ୍ର ନାରାୟଣ ପାଣି ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ୮ଟି ଲେଖାଏଁ, ଧର୍ମେନ୍ଦ୍ର ପ୍ରଧାନଙ୍କ ନାମରେ ୫ଟି ଏବଂ ସୁକାନ୍ତ ପାଣିଗ୍ରାହୀଙ୍କ ନାମରେ ୪ଟି ମାମଲା ରହିଥିବା ଜଣାପଡ଼ିଛି ।
ବରିଷ୍ଠ ଆଇନଜୀବୀ ତଥା ଆମିକସ କ୍ୟୁରି ବିଜୟ ହାନସାରିଆଙ୍କ ତଥ୍ୟ ଅନୁସାରେ ୨୫୧ ଜଣ ଲୋକସଭା ସାଂସଦ ଏବଂ ୭୫ ଜଣ ରାଜ୍ୟସଭା ସାଂସଦଙ୍କ ବିରୋଧରେ ଗୁରୁତର ମାମାଲା ରହିଛି। ଅଭିଯୁକ୍ତ ୨୫୧ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୭୦ ଜଣଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ରହିଛି। ଯେଉଁଥିରେ ଅତିକମରେ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ସେହିଭଳି ରାଜ୍ୟସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ବିରୋଧରେ ମାମଲା ଥିବାବେଳେ ୪୦ ଜଣଙ୍କ ନାମରେ ଗୁରୁତର ଅଭିଯୋଗ ରହିଛି। କେରଳ (୯୫%) ଏବଂ ତେଲେଙ୍ଗାନା (୮୨%) ପରେ ଓଡ଼ିଶା (୭୬%)ଦେଶର ଶୀର୍ଷ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି। ଝାଡ଼ଖଣ୍ଡରେ ୭୧% ଏବଂ ତାମିଲନାଡୁରେ ୬୭% ସାଂସଦଙ୍କ ନାମରେ ମାମଲା ରହିଥିବା ବେଳେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏହି ହାର ପ୍ରାୟ ୫୦% ରହିଛି। ଅନୁରୂପ ଭାବରେ ଦେଶର ୨୮ଟି ରାଜ୍ୟ ମଧ୍ୟରୁ ୧୪ ଜଣ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଛି।
ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ କୋର୍ଟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪,୧୯୨ଟି ମାମଲା ବିଚାରାଧୀନ ରହିଛି। ୨୦୨୫ ବର୍ଷ ମଧ୍ୟରେ ୧,୨୪୩ଟି ମାମଲାର ସମାଧାନ ହୋଇଥିବା ବେଳେ ୧,୦୫୦ଟି ନୂଆ ମାମଲା ରୁଜୁ ହୋଇଛି। ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟକୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆମିକସ କ୍ୟୁରି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୨୩ ମସିହାରେ ସୁପ୍ରିମକୋର୍ଟ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟଗୁଡ଼ିକୁ ସ୍ୱତନ୍ତ୍ର ବେଞ୍ଚ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ବି ବହୁ ସଂଖ୍ୟକ ମାମଲା ପଡ଼ି ରହିଥିବାରୁ କୋର୍ଟ ଏହା ଉପରେ କଡ଼ା ନଜର ରଖିବାକୁ ଆବେଦନ କରାଯାଇଛି।