ମାଲକାନଗିରି: ଛତିଶଗଡରୁ ଆସିଲା ଦୁଃଖଦ ଖବର। ଛତିଶଗଡ଼ର ସୁକମା-ବିଜାପୁର ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ସହ ଯବାନଙ୍କ ଏନକାଉଣ୍ଟରେ ୨୨ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ଏ ନେଇ ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି।
ଗତକାଲି ଛତିଶଗଡ଼ର ତରେମ୍ ଜଙ୍ଗଲରେ ନକ୍ସଲ୍ମାନଙ୍କ ସହ ଗୁଳି ବିନିମୟ ହୋଇଥିଲା। ଆଜି ସକାଳ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଥିଲା । ଅନ୍ୟପଟେ ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଗୁଳି ବିନମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି । ତେବେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଏବେ ବି ଆଉ ଜଣେ ଯବାନ ନିଖୋଜ ଅଛନ୍ତି ଏବଂ ୩୦ ଜଣ ଆହତ ଯବାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।
ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର ସିଲେଗୁର ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ୍ କରି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ସିଆରପିଏଫର ଯବାନ ମାନେ ମିଳିତ ଭାବେ କମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ।। ଜବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିବା ପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ ।