ମୁମ୍ବାଇ: ମୁମ୍ବାଇର କୁର୍ଲାଅଞ୍ଚଳରେ ଏକ ୪ ମହଲା କୋଠା ଭୂଷୁଡି ପଡିଥିଲା। ଏହି ବିଲ୍ଡିଂ ଭୂଷୁଡିବା ଘଟଣାରେ ୧୯ ଜଣଙ୍କର ମୃତ୍ଯୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଭଙ୍ଗା କୋଠା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯଉଛି। ଭଙ୍ଗା କୋଠା ତଳେ ଆହୁରି ଲୋକେ ଥିବାର ଆଶଙ୍କା କରାଯାଉଛି। ଏଣୁ ଦମକଳ ଓ ଏନଡିଆରଏଫଙ୍କୁ ସତର୍କତାର ସହ ଲୋକଙ୍କ ଉଦ୍ଧାର ଲାଗି ନିବେଦନ କରାଯାଇଛି।
ସୂଚନା ଅନୁଯାୟୀ, ଦୀର୍ଘ ବର୍ଷରୁ ଏହି ବିଲ୍ଡିଂର ମରାମତି ହେଉ ନଥିଲା ବୋଲି ଅତିରିକ୍ତ ବିଏମସି କମିଶନର ଅଶ୍ୱିନୀ ଭିଡେ ଗଣମାଧ୍ୟମକୁ କହିଛନ୍ତି। ଏଣୁ ୨୦୧୩ ମସିହାରେ ବିଲ୍ଡିଂର ମରାମତି ଲାଗି କୁହାଯାଇଥିଲା। ତେବେ ମରାମତି କରା ନ ଯିବା ଯୋଗୁ ଏହାକୁ ଖାଲି କରିବାକୁ ଓ ଭାଙ୍ଗି ଦେବାକୁ ନୋଟିସ ଜାରି ହୋଇଥିଲା। ଏହା ସତ୍ତ୍ୱେ ବିଲ୍ଡିଂରେ ଲୋକେ ରହୁଥିଲେ ବୋଲି ସେ କହିଛନ୍ତି।
ଖବର ଅନୁଯାୟୀ, ମହାରାଷ୍ଟ୍ର ମନ୍ତ୍ରୀ ସୁଭାଷ ଦେଶାଇ କହିଛନ୍ତି ଯ, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ସହ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ।