ବୃନ୍ଦାବନ କେଶି ଘାଟରେ ଅଘଟଣ: ଯମୁନା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ବୃନ୍ଦାବନ କେଶି ଘାଟରେ ଅଘଟଣ । ଯମୁନା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯିବା ଯୋଗୁଁ  ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ପ୍ରଶାସନ, ପୋଲିସ୍ ଏବଂ ବିପର୍ଯ୍ୟୟ ମୁକାବିଲା ବାହିନୀ (SDRF) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନଦୀରୁ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତାହତଙ୍କ ସଠିକ୍ ସଂଖ୍ୟା ଏବଂ ଉଦ୍ଧାର ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଉଛି।

ମଥୁରା ଗ୍ରାମାଞ୍ଚଳ ଏସପି ସୁରେଶ ଚନ୍ଦ୍ର ରାୱତ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ, ଯମୁନା ନଦୀର କେଶୀ ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯାଇଛି। ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କୁ ପାଣିରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ଆମ୍ବୁଲାନ୍ସ ଏବଂ ୮ଟି ପୋଲିସ୍ ରେସପନ୍ସ ଭେହିକିଲ୍ (PRV) ମାଧ୍ୟମରେ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଛି। ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଠାବ କରିବା ପାଇଁ ଉଦ୍ଧାରକାରୀ ଦଳ ସେଠାରେ ତଲାସି ଅଭିଯାନ ଜାରି ରଖିଛନ୍ତି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଡଙ୍ଗାଟିରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ, ଯେଉଁ କାରଣରୁ ମଝି ନଦୀରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ କିମ୍ବା ସେମାନେ କେଉଁ ଅଞ୍ଚଳର ତୀର୍ଥଯାତ୍ରୀ ଥିଲେ ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।ଏହି ଅଘଟଣର ପ୍ରକୃତ କାରଣ ଅନୁସନ୍ଧାନ କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ୟାକୁ ନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

About The Author: Madhusudan Das