ସପ୍ତାହ ଶେଷରେ ଅଧିକ ଶୋଇଲେ କର୍ପୋରେଟ୍ ଥକ୍କାପଣ ଦୂର ହୁଏ କି? ଜାଣନ୍ତୁ ଡାକ୍ତରଙ୍କ ପ୍ରକୃତ ପରାମର୍ଶ

କର୍ପୋରେଟ୍ ଜଗତରେ କାମ କରୁଥିବା ଅଧିକାଂଶ କର୍ମଚାରୀ ଭାବନ୍ତି ଯେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦୈନିକ ୧୨ ଘଣ୍ଟିଆ କଠିନ ପରିଶ୍ରମ ପରେ ସପ୍ତାହ ଶେଷରେ (ୱିକେଣ୍ଡ୍) ଦୀର୍ଘ ସମୟ ଧରି ଶୋଇଲେ ସବୁ ଥକ୍କାପଣ ମେଣ୍ଟିଯିବ। କିନ୍ତୁ ଏହା ଏକ ବଡ଼ ଭ୍ରମ। ଡାକ୍ତରୀ ବିଶେଷଜ୍ଞଙ୍କ ମତରେ, ୱିକେଣ୍ଡ୍‌ରେ ଅଧିକ ସମୟ ଶୋଇବା ଦ୍ୱାରା ସପ୍ତାହସାରା ହୋଇଥିବା ଶାରୀରିକ ଏବଂ ମାନସିକ ଚାପ ବା 'ବର୍ଣ୍ଣଆଉଟ୍' କେବେବି ଠିକ୍ ହୁଏ ନାହିଁ।

'ସାମାଜିକ ଜେଟ୍ ଲ୍ୟାଗ୍' ଓ ଶରୀର ଉପରେ ଏହାର ପ୍ରଭାବ

ବେଙ୍ଗାଲୁରୁ ସ୍ଥିତ ଆଷ୍ଟର୍ ସିଏମ୍‌ଆଇ ହସ୍ପିଟାଲ୍‌ର ଇଣ୍ଟରନାଲ୍ ମେଡିସିନ୍ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ବୃନ୍ଦା ଏମ୍. ଏସ୍.ଙ୍କ ଅନୁଯାୟୀ, ସପ୍ତାହ ଶେଷରେ ଆବଶ୍ୟକତାଠାରୁ ଅଧିକ ଶୋଇବା ଅଭ୍ୟାସକୁ 'ସୋସିଆଲ୍ ଜେଟ୍ ଲ୍ୟାଗ୍' କୁହାଯାଏ। ସେ ସତର୍କ କରାଇଛନ୍ତି ଯେ, "ଯଦି ଆପଣଙ୍କର ସାଧାରଣ ଦିନର ଶୋଇବା ଏବଂ ଉଠିବା ସମୟଠାରୁ ୱିକେଣ୍ଡ୍‌ର ସମୟ ଭିନ୍ନ ହୁଏ, ତେବେ ଏହା ଆପଣଙ୍କ ଶରୀରର ସର୍କାଡିଆନ୍ ରିଦିମ୍ (Circadian Rhythm) କୁ ନଷ୍ଟ କରିଦିଏ।" ଏଭଳି ଅଭ୍ୟାସ ଶରୀରର ଥକ୍କାପଣକୁ କମ୍ କରିବା ପରିବର୍ତ୍ତେ ଦୀର୍ଘକାଳୀନ କ୍ଳାନ୍ତି ବା କ୍ରୋନିକ୍ ଏକ୍ସଜସନ୍ ସୃଷ୍ଟି କରିଥାଏ।

ଥକ୍କାପଣ ଦୂର କରିବାର ପ୍ରକୃତ ଉପାୟ

କେବଳ ଦୁଇ ଦିନର ଛୁଟି ଉପରେ ନିର୍ଭର ନକରି, ପ୍ରତ୍ୟେକ ଦିନ ନିଜ କାମକୁ ସମାପ୍ତ କରିବାର ଏକ ସଠିକ୍ 'ଡେଲି ସଟ୍‌ଡାଉନ୍ ପ୍ଲାନ୍' (Daily Shutdown Plan) ପ୍ରସ୍ତୁତ କରିବା ନିହାତି ଆବଶ୍ୟକ। ୧୫ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ଥିବା ଡାକ୍ତର ବୃନ୍ଦା ପରାମର୍ଶ ଦେଇଛନ୍ତି ଯେ କର୍ମଚାରୀମାନେ ନିୟମିତ ଚାପ ମୁକ୍ତ ରହିବା ଉଚିତ୍। ଅନେକେ ସାମୟିକ ଆରାମ ପାଇଁ ମେଲାଟୋନିନ୍ ବା ମ୍ୟାଗ୍ନେସିୟମ୍ ଭଳି ସପ୍ଲିମେଣ୍ଟ୍ ବ୍ୟବହାର କରିଥାନ୍ତି, ଯାହାକି କିଛି ସମୟ ପାଇଁ ନିଦ୍ରାରେ ସାହାଯ୍ୟ କରେ। କିନ୍ତୁ ଦୀର୍ଘକାଳୀନ ଭିତ୍ତିରେ 'ବର୍ଣ୍ଣଆଉଟ୍'ର ମୁକାବିଲା କରିବା ପାଇଁ ଏହା ସଠିକ୍ ବିକଳ୍ପ ନୁହେଁ। ପ୍ରତିଦିନ ସମାନ ସମୟରେ ଶୋଇବା ଏବଂ ଉଠିବା, କାମ ମଝିରେ ବିରତି ନେବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ହେଉଛି କର୍ପୋରେଟ୍ ଷ୍ଟ୍ରେସ୍ ଦୂର କରିବାର ପ୍ରକୃତ ଉପାୟ ।

About The Author: Suryakanta