ନିଦ୍ରା କେବଳ ଶରୀରକୁ ବିଶ୍ରାମ ଦେବାର ସମୟ ନୁହେଁ, ବରଂ ଦିନସାରା ପରିଶ୍ରମ ପରେ ହୃତ୍ପିଣ୍ଡ ଏବଂ ରକ୍ତବାହୀ ନଳୀଗୁଡ଼ିକ ଏହି ସମୟରେ ହିଁ ସୁସ୍ଥ ହେବାର ସୁଯୋଗ ପାଇଥାନ୍ତି। ତେଣୁ, ହୃଦରୋଗରେ ପୀଡ଼ିତ ଥିବା ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଓ ଗୁଣାତ୍ମକ ନିଦ୍ରା ନିହାତି ଜରୁରୀ। କିନ୍ତୁ ଆପଣ କିପରି ଶୋଉଛନ୍ତି, ତାହା ମଧ୍ୟ ଆପଣଙ୍କ ଶ୍ୱାସକ୍ରିୟା ଏବଂ ହୃଦୟର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ବୋଲି ପ୍ରସିଦ୍ଧ କାର୍ଡିଓ-ଥୋରାସିକ୍ ସର୍ଜନ ଡା. ସୌରଭ ଜୁନେଜା ପ୍ରକାଶ କରିଛନ୍ତି।
ସବୁଠାରୁ ଭଲ ଶୋଇବା ସ୍ଥିତି କେଉଁଟି?
ସମସ୍ତ ହୃଦରୋଗୀଙ୍କ ପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଶୋଇବା ସ୍ଥିତି ନାହିଁ। ବ୍ୟକ୍ତିଙ୍କ ହୃଦରୋଗର ଅବସ୍ଥା, ଶ୍ୱାସକ୍ରିୟା ସମସ୍ୟା ଏବଂ ଶରୀରର ଲକ୍ଷଣ ଉପରେ ଏହା ନିର୍ଭର କରେ। ତଥାପି ଏପରି କିଛି ସ୍ଥିତି ରହିଛି, ଯାହା ଶୋଇବା ସମୟରେ ଆରାମ ଦେବା ସହ ଶ୍ୱାସକ୍ରିୟାରେ ହେଉଥିବା ଅସୁବିଧାକୁ କମ୍ କରିଥାଏ।
କଡ଼ ଲେଉଟାଇ ଶୋଇବା କେତେ ସୁରକ୍ଷିତ?
ଅନେକ ହୃଦରୋଗୀଙ୍କ ପାଇଁ କଡ଼ ଲେଉଟାଇ ଶୋଇବା ଏକ ଆରାମଦାୟକ ବିକଳ୍ପ ହୋଇପାରେ। ଖାସ୍ କରି ବାମ ପାର୍ଶ୍ୱକୁ କଡ଼ ଲେଉଟାଇ ଶୋଇବା ବିଷୟରେ ପ୍ରାୟତଃ ଆଲୋଚନା କରାଯାଏ, କାରଣ ଏହା ଅନେକଙ୍କୁ ଭଲ ଲାଗିଥାଏ। ତେବେ ଡାକ୍ତରଙ୍କ ମତରେ ଏହି ସ୍ଥିତି ସମସ୍ତ ହୃଦରୋଗୀଙ୍କ ପାଇଁ ସର୍ବୋତ୍ତମ ନୁହେଁ। ଯେଉଁମାନେ ସିଧା ଶୋଇଲେ ଶ୍ୱାସରୁଦ୍ଧ ଅନୁଭବ କରନ୍ତି, ସେମାନେ ସାମାନ୍ୟ ଉଚ୍ଚାରେ ବା କଡ଼ ଲେଉଟାଇ ଶୋଇବା ଦ୍ୱାରା ନିଃଶ୍ୱାସ ନେବାରେ ସହଜ ହୋଇଥାଏ। ହାର୍ଟ ଫେଲ୍ୟୁଅର୍ (Heart Failure) ରୋଗୀମାନେ ତକିଆ ବା ଆଡଜଷ୍ଟେବଲ୍ ବେଡ୍ ବ୍ୟବହାର କରି ନିଜ ଶରୀରର ଉପର ଭାଗକୁ ଟିକେ ଟେକି ରଖିଲେ ଅଧିକ ଆରାମ ପାଇଥାନ୍ତି ବୋଲି ଡା. ଜୁନେଜା ପରାମର୍ଶ ଦେଇଛନ୍ତି।
ପିଠି ମାଡ଼ି ବା ସିଧା ଶୋଇବା କେତେ ଠିକ୍?
ପିଠି ମାଡ଼ି ସିଧା ଶୋଇବା ହୃଦରୋଗୀଙ୍କ ପାଇଁ ସବୁବେଳେ ଖରାପ ନୁହେଁ ଏବଂ କେତେକଙ୍କୁ ଏହା ଆରାମଦାୟକ ଲାଗିଥାଏ। କିନ୍ତୁ ଡା. ଜୁନେଜା ସତର୍କ କରାଇଛନ୍ତି ଯେ, ଯେଉଁ ରୋଗୀଙ୍କ ଶରୀରରେ ତରଳ ପଦାର୍ଥ ଜମା ହେବାର ସମସ୍ୟା ଥାଏ କିମ୍ବା ଯେଉଁମାନେ ହାର୍ଟ ଫେଲ୍ୟୁଅର୍ ର ଶିକାର, ସେମାନେ ସମ୍ପୂର୍ଣ୍ଣ ସିଧା ଶୋଇଲେ ନିଃଶ୍ୱାସ ନେବାରେ ଅଧିକ କଷ୍ଟ ଅନୁଭବ କରିପାରନ୍ତି।
କ'ଣ କରିବା ଉଚିତ୍ ଏବଂ କ'ଣ ନୁହେଁ?
ଯଦିଓ କୌଣସି ଶୋଇବା ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇ ନାହିଁ, ତଥାପି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ:
* ଯଦି ସମ୍ପୂର୍ଣ୍ଣ ସିଧା ଶୋଇଲେ ଶ୍ୱାସ ନେବାରେ କଷ୍ଟ ହେଉଛି, ତେବେ ତାହା ତୁରନ୍ତ ବନ୍ଦ କରିବା ଉଚିତ୍।
* ଶୋଇବା ବେଳେ ବେକ, ପିଠି ଏବଂ ଗୋଡ଼କୁ ଆରାମ ଦେବା ପାଇଁ ତକିଆର ବ୍ୟବହାର କରନ୍ତୁ।
* ଏପରି ଏକ ସ୍ଥିତି ବାଛନ୍ତୁ ଯେଉଁଥିରେ ଆପଣଙ୍କୁ ଛାତିରେ କୌଣସି ପ୍ରକାରର କଷ୍ଟ ନହେବ ଏବଂ ଆପଣ ସହଜରେ ଶ୍ୱାସକ୍ରିୟା କରିପାରିବେ।
* ଶୋଇବା ସମୟରେ ଅତ୍ୟଧିକ ନିଃଶ୍ୱାସ କଷ୍ଟ ହେବା କିମ୍ବା ହଠାତ୍ ଓଜନ ବଢ଼ିବା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ପରିଶେଷରେ, ଯେଉଁଥିରେ ଆପଣ ଆରାମ ପାଉଛନ୍ତି ଏବଂ ବିନା ବାଧାରେ ନିଃଶ୍ୱାସ ନେଇପାରୁଛନ୍ତି ତାହା ହିଁ ଆପଣଙ୍କ ପାଇଁ ସର୍ବୋତ୍ତମ ଶୋଇବା ସ୍ଥିତି ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି।