ଭୁବନେଶ୍ୱର: ‘ସମ୍ୱାଦ’ ସାଧାରଣ ଲୋକଙ୍କ ସ୍ୱର ଉଠାଏ ନାହିଁ, ସତ ଖବର ଛାପେ ନାହିଁ। ନିଜକୁ ସୁହାଇଲା ଭଳି ଏବଂ ବ୍ୟାବସାୟିକ ସ୍ୱାର୍ଥ ପାଇଁ ସତ ଖବରକୁ ଦଳି ମକଚି ମିଛ ଦେଖାଏ ବୋଲି ଅଭିଯୋଗ କରିଛନ୍ତି ଜେଡ୍ ୱାନ୍ ହାଉସିଂରେ ପ୍ରକଳ୍ପରେ ରହୁଥିବା ଏକାଧିକ ଘର ମାଲିକ। ଅତୀତରେ ସେମାନଙ୍କ ସହ ଜେଡ଼୍ ଇଷ୍ଟେଟ ମାଲିକ ଯେପରି ଜଘନ୍ୟ ବ୍ୟବହାର କରିଛନ୍ତି ସେ ସମ୍ପର୍କରେ ‘ସମ୍ବାଦ’ରେ ଧାଡ଼ିଟିଏ ବି ଖବର ବାହାରି ନାହିଁ। ‘ସମ୍ବାଦ’କୁ ଢ଼ାଲ କରି ଜେଡ଼୍ ଇଷ୍ଟେଟ ମାଲିକ ସବୁ ପ୍ରକାର ଆଇନ୍ ଉଲ୍ଲଙ୍ଘନ କରି ଗୃହ କ୍ରେତାଙ୍କ ଅଧିକାର କ୍ଷୁଣ୍ଣ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।
୨୦୧୧ରେ ଜେଡ୍ ୱାନ୍ ହାଉସିଂ ପ୍ରକଳ୍ପର ପ୍ଲାନ ଅନୁମୋଦିତ ହେବା ପରେ ଏହାକୁ ଦେଖି ଲୋକେ ଏଠାରେ ଘର କିଣିଲେ। ୨୦୧୬ରେ ଲୋକେ ରହିଲା ବେଳକୁ କ୍ରେତାଙ୍କୁ ଦେଖାଇଥିବା ପ୍ଲାନ ବେଆଇନ ଭାବେ ବଦଳିଗଲା। ୨୬ ଏକର ଜମି ହଠାତ ୪ ଏକର ହୋଇଯିବା ସହିତ ରାସ୍ତା ଜାଗାରେ ଟାୱାର ଏବଂ ଗଛ ଲାଗିବା ଜାଗାରେ କଂକ୍ରିଟର ଗାଲିଚା ନିର୍ମାଣ କରାଗଲା। ଏସବୁ କ୍ରେତାଙ୍କ ଅଧିକାରକୁ କ୍ଷୁଣ୍ଣ କରୁଥଲେ ମଧ୍ୟ ‘ସମ୍ୱାଦ’ ଏକଥା ନ ଲେଖି ଜେଡ଼୍ ଇଷ୍ଟେଟ ସପକ୍ଷରେ ମିଛ ଲେଖିଲା ବୋଲି ଆସୋସିଏସନ ଅଭିଯୋଗ କରିଛି। ସେହିପରି ୨୦୧୬ର ପ୍ଲାନ ପୁଣି ୨୦୨୧ରେ ବଦଳିବା ପରେ ସେମାନେ ଏକାଠି ହୋଇ ଲଢିବାକୁ ନିଷ୍ପତ୍ତି ନେଲେ। ଏଥିରେ ଜେଡ୍ ଇଷ୍ଟେଟ୍ ସବୁପ୍ରକାର ବାଧା ସୃଷ୍ଟି କରିବା ସହିତ ରାଜନୈତିକ ଓ ମିଡିଆ ପାୱାର ଦେଖାଇ ଧମକାଇଲା। ମାନବାଧିକାର କମିସନଙ୍କ ହସ୍ତକ୍ଷେପ ଯୋଗୁଁ ଏଠାରେ ସଂଘ ଗଠନ ହୋଇଥିଲା। ଏପରିକି ଯେଉଁମାନେ ଜେଡ଼୍ ଇଷ୍ଟେଟ କର୍ତ୍ତୃପକ୍ଷଙ୍କୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ କଲେ, ସେମାନଙ୍କ ବିରୋଧରେ ମାନହାନି ମକଦ୍ଦମା କରାଗଲା। ଯାହା କେବଳ ‘ସମ୍ବାଦ’ରେ ହିଁ ପ୍ରକାଶ ପାଇଥିଲା।
‘ଜେଡ୍ ୱାନ୍’ ହାଉସିଂ ପ୍ରକଳ୍ପରେ ବିଲ୍ଡର ଜେଡ୍ ଇଷ୍ଟେଟର ଅନିୟମିତତାର ଲମ୍ବା ତାଲିକା ରହିଛି। ପ୍ରକଳ୍ପ ଅଞ୍ଚଳରେ ପରିବେଶର ସୁରକ୍ଷା ପାଇଁ ଯେଉଁ ପଦକ୍ଷେପ ନେବା କଥା ତାହା ନିଆଯାଇ ନାହିଁ। ଏନଜିଟି ଏ ନେଇ ଜେଡ୍ ଇଷ୍ଟେଟକୁ ଭର୍ତ୍ସନା କରିଛନ୍ତି। କ୍ରେତାଙ୍କଠାରୁ ବେଆଇନ ଭାବେ ଆଦାୟ ହୋଇଥିବା ପ୍ରାୟ ୬ କୋଟି ଟଙ୍କା ଭାଟ୍ (ଟିକସ)କୁ ଜେଡ଼୍ ଇଷ୍ଟେଟ କର୍ତ୍ତୃପକ୍ଷ ଏଯାଏ ରାଜକୋଷରେ ଜମା ନ କରି ନିଜେ ହଡ଼ପ କରି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ନିମ୍ନମାନର କାମ ହୋଇଥିବାରୁ ଏଠାକାର ବାସିନ୍ଦା ଦୂଷିତ ପାଣି ପିଉଛନ୍ତି। ହେଲେ ଲୋକଙ୍କ ଏସବୁ ଅସୁବିଧା ବାବଦରେ ‘ସମ୍ୱାଦ’ ପଦୁଟିଏ ନ ଲେଖି ତାଙ୍କ ବିଜନେସ୍ ପାର୍ଟନରକୁ ସୁହାଇଲା ଭଳି ମିଛ ଖବର ଛାପିଥିବା ମଳୟ ପାଣିଗ୍ରାହୀ ଓ ଆର୍ତ୍ତତ୍ରାଣ ପାଣିଗ୍ରାହୀ ପ୍ରମୁଖ ଅଭିଯୋଗ କରିଛନ୍ତି। ସବୁବେଳେ ସତ ଲେଖୁଥିବା ଦାବି କରି ଆସୁଥିବା ସମ୍ୱାଦ ଏହି ଘଟଣାରେ କିପରି ସାଧାରଣ ଲୋକଙ୍କୁ ଛାଡ଼ି ବିଲ୍ଡରଙ୍କ ସ୍ୱାର୍ଥ ଦେଖୁଥିଲା ତାକୁ ନେଇ ଘର ମାଲିକ ପ୍ରଶ୍ନ ଉଠାଇଛନ୍ତି। ନିଜ ବ୍ୟବସାୟର ସାମ୍ରାଜ୍ୟକୁ ସୁରକ୍ଷିତ ରଖିବା, ସମ୍ପର୍କୀୟଙ୍କ ଦୋଷ ଦୁର୍ବଳତାକୁ ଘଣ୍ଟ ଘୋଡ଼ାଇବା ଭଳି କାମ କରୁଥିବା ‘ସମ୍ୱାଦ’କୁ ଏଥିପାଇଁ ଜେଡ୍ ୱାନ ହାଉସିଂ ପ୍ରକଳ୍ପ ବାସିନ୍ଦା କଡ଼ା ସମାଲୋଚନା କରିଛନ୍ତି।