ସମ୍ବାଦ ବ୍ୟାଙ୍କ ସ୍କାମ୍‌ : ଜାଲିଆତି ଢାଙ୍କିବାକୁ ‘ସ୍ତମ୍ଭ’ ଭରସା

ଭୁବନେଶ୍ୱର : ଗଡୁଛି ଦିନ; ଦିନକୁ ଦିନ ବଢ଼଼ୁଛି ‘ସମ୍ବାଦ ବ୍ୟାଙ୍କ୍‌‌ ସ୍କାମ’ରେ ପୀଡ଼ିତଙ୍କ ଅଭିଯୋଗ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ତଦନ୍ତ ପରେ ଗୋଟିକ ପରେ ଗୋଟିଏ ନୂଆ ତଥ୍ୟ ମିଳିବାରେ ଲାଗିଛି। ‘ସମ୍ବାଦ’ ଓ ଇଷ୍ଟର୍ଣ୍ଣ ମିଡିଆର କର୍ମଚାରୀଙ୍କୁ ଚାକିରି ହରାଇବା ଭୟ ଦେଖାଇ କିପରି ଯୋଜନାବଦ୍ଧ ଭାବରେ ସେମାନଙ୍କ ନାମରେ ଋଣ ନିଆଯାଉଥିଲା ସେ ସମ୍ପର୍କରେ ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ଇଓଡବ୍ଲ୍ୟୁରେ ଅଭିଯୋଗ କରିଛନ୍ତି। ଏହି ବ୍ୟାଙ୍କ ସ୍କାମରେ […]

ଭୁବନେଶ୍ୱର : ଗଡୁଛି ଦିନ; ଦିନକୁ ଦିନ ବଢ଼଼ୁଛି ‘ସମ୍ବାଦ ବ୍ୟାଙ୍କ୍‌‌ ସ୍କାମ’ରେ ପୀଡ଼ିତଙ୍କ ଅଭିଯୋଗ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ତଦନ୍ତ ପରେ ଗୋଟିକ ପରେ ଗୋଟିଏ ନୂଆ ତଥ୍ୟ ମିଳିବାରେ ଲାଗିଛି। ‘ସମ୍ବାଦ’ ଓ ଇଷ୍ଟର୍ଣ୍ଣ ମିଡିଆର କର୍ମଚାରୀଙ୍କୁ ଚାକିରି ହରାଇବା ଭୟ ଦେଖାଇ କିପରି ଯୋଜନାବଦ୍ଧ ଭାବରେ ସେମାନଙ୍କ ନାମରେ ଋଣ ନିଆଯାଉଥିଲା ସେ ସମ୍ପର୍କରେ ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ଇଓଡବ୍ଲ୍ୟୁରେ ଅଭିଯୋଗ କରିଛନ୍ତି। ଏହି ବ୍ୟାଙ୍କ ସ୍କାମରେ ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଥିବା ବେଳେ କାର୍ପଟଦାର ମାନବସମ୍ବଳ ମୁଖ୍ୟ ବୈଜୟନ୍ତୀ କର ଥିଲେ ବୋଲି ଅଭିଯୋଗ ହୋଇଛି। ଋଣ ନେବାକୁ କର୍ମଚାରୀ ମନା କଲେ ମାନସିକ ନିର୍ଯାତନା, ଚାକିରି ହରାଇବାର ଭୟ, ବଦଳି ବା ଚାକିରିରୁ ବିଦା କରାଯାଉଥିବା ନେଇ ଏହି କର୍ମଚାରୀମାନେ ବଖାଣିଛନ୍ତି। କର୍ମଚାରୀଙ୍କ ବେତନ ପ୍ରମାଣପତ୍ରକୁ ଜାଲିଆତି କରି ଏକାଧିକ ବ୍ୟାଙ୍କରୁ ଋଣ ନିଆଯାଇଥିବା ପ୍ରସଙ୍ଗରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଜାରି ରହିଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ସେଭଳି ସମ୍ବାଦ ଏଚ୍‌‌ଆର୍‌‌ ବିଭାଗରେ କାର୍ଯ୍ୟରତ ଅନ୍ୟ ଜଣେ କର୍ମଚାରୀଙ୍କୁ ଇଓଡବ୍ଲ୍ୟୁ ଜେରା କରିଛି।

ଅନ୍ୟପକ୍ଷରେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କ ସହଯୋଗୀଙ୍କ ଏହି ସାଂଘାତିକ ‘ସଙ୍ଗଠିତ ବ୍ୟାଙ୍କ ଠକେଇ’ର ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ତାଙ୍କ ପରିଚାଳିତ ଦୁଇ ଗଣମାଧ୍ୟମ ‘ସମ୍ବାଦ’ ଓ ‘କନକ ଟିଭି’ ପକ୍ଷରୁ ରୀତିମତ ଉଦ୍ୟମ ଆରମ୍ଭ ହୋଇଛି। ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ବାଦ’ରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଉଲ୍ଲେଖ କରି ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଦେଖାଯାଉଛି। ଏପରିକି ବିଭିନ୍ନ ସ୍ଥାନରେ ପ୍ରାୟୋଜିତ ପ୍ରତିବାଦ କରାଯାଉଥିବା ମଧ୍ୟ ଦେଖାଯାଉଛି। ଅଭିଯୋଗରୁ ଲୋକଙ୍କ ନଜର ହଟାଇବା ଲାଗି ସମ୍ୱାଦ ଓ କନକ ନ୍ୟୁଜ୍‌‌ ଦିନ ରାତି ଲାଗି ପଡ଼ିଛନ୍ତି। ସମ୍ୱାଦ ସପକ୍ଷରେ କହିବା ପାଇଁ ବିଭିନ୍ନ ବ୍ୟକ୍ତି ଓ ସଙ୍ଗଠନ ପାଖରେ ନେହୁରା ହେଉଛନ୍ତି। ସମ୍ୱାଦର ଏହି ବ୍ୟାଙ୍କ ସ୍କାମ୍‌‌ ଲୋକଲୋଚନକୁ ଆଣିବାରୁ ‘ନନ୍ଦିଘୋଷ ଟିଭି’ ଓ ‘ସକାଳ’ ବିରୋଧରେ ସମ୍ୱାଦ ଓ କନକ ନ୍ୟୁଜ୍‌‌ ରକ୍ତ ଚାଉଳ ଚୋବାଇବାରେ ଲାଗିଛନ୍ତି।

କନକ ନ୍ୟୁଜର ମିଛ କାରଖାନାର ସଦ୍ୟତମ ଉଦାହରଣଟି ହେଉଛି ଯେ ୧୪ ବର୍ଷ ତଳେ ଅସୀମ ମହାପାତ୍ରଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ଲୋନ୍‌‌ କରିଥିଲା।ମାତ୍ର ସତ କଥାଟି ହେଲା, ୨୦୧୫ ମସିହାରେ ଅସୀମଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ବା ସମ୍ୱାଦ ଲୋନ୍‌‌ କରାଇଥିଲା। ୨୦୨୦ ପର୍ଯ୍ୟନ୍ତ ଅସୀମ ସମ୍ୱାଦରେ କାର୍ଯ୍ୟରତ ଥିଲେ। ଅର୍ଥାତ୍‌‌ ୮ ବର୍ଷ ତଳେ ଲୋନ୍‌‌ କରାଯାଇଥିଲା। ଏହି ଲୋନକୁ ନେଇ ବିବାଦ ହେବାରୁ ଦୁଇ ବର୍ଷ ତଳେ ସମ୍ୱାଦ ଛାଡ଼ିଥିଲେ ଅସୀମ। ଅବଶ୍ୟ ଏଭଳି ଭ୍ରମାତ୍ମକ ଖବର ପ୍ରସାରଣ କରିବା ଛଳରେ କନକ ନ୍ୟୁଜ୍‌‌ ସ୍ୱୀକାର କରିଛି ଯେ, ଅସୀମଙ୍କ ନାଁରେ ସମ୍ୱାଦ ଜାଲିଆତି କରି ଋଣ କରିଥିଲା। କେବଳ ଋଣ କଥା ନୁହେଁ, ଗୋଟିଏ ପରେ ଗୋଟିଏ ସମ୍ୱାଦର ଜଘନ୍ୟ କେଳେଙ୍କାରୀ ଏବେ ସାମ୍ନାକୁ ଆସିବାରେ ଲାଗିଛି। ସମ୍ୱାଦ ଏବଂ କନକ ନ୍ୟୁଜରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ବହୁ କର୍ମଚାରୀ ଇପିଏଫ୍‌‌ କି ଇଏସଆଇ ପରିସରଭୁକ୍ତ ହୋଇନାହାନ୍ତି। ଇପିଏଫ୍‌‌ ଏବଂ ଇଏସଆଇ ପରିସରଭୁକ୍ତ ହୋଇନଥିବା ଏହି କର୍ମଚାରୀଙ୍କ ନାଁରେ ମଧ୍ୟ ସମ୍ୱାଦ ଋଣ କରି ଋଣ ଟଙ୍କା ହଡ଼ପ କରିଛି। ଗତକାଲି ଇଓଡବ୍ଲ୍ୟୁ ଦେଇଥିବା ପ୍ରେସ ରିଲିଜରେ ସ୍ପଷ୍ଟ କୁହାଯାଇଛି ଯେ, ସମ୍ୱାଦ କେତେବଡ଼ ବ୍ୟାଙ୍କ ସ୍କାମ କରିଆସୁଥିଲା। ଆଉ ଏକ ସୂଚନା ଦେବା ଏଠାରେ ଯଥାର୍ଥ ହେବ ଯେ, ଇଓଡବ୍ଲ୍ୟୁରେ ଯେଉଁ ମାମଲା ହୋଇଛି ତାହା ସକାଳର କର୍ମଚାରୀ କରିଛନ୍ତି। କିନ୍ତୁ କନକ ନ୍ୟୁଜ୍‌‌, ସମ୍ୱାଦ କାହିଁକି ସ୍ୱୀକାର କରିବାକୁ ଭୟ କରୁଛନ୍ତି ଯେ, ସକାଳର କର୍ମଚାରୀ ହେବା ପୂର୍ବରୁ ସେ ସମ୍ୱାଦର କର୍ମଚାରୀ ଥିଲେ। ଏହା ସତ୍ୟ ଯେ, ସମ୍ୱାଦର ଦୁଇ ଚାରି ଜଣ ପୂର୍ବତନ କର୍ମଚାରୀ ସକାଳରେ ଏବେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅଧେ ଇଓଡବ୍ଲ୍ୟୁରେ ମାମଲା ରୁଜୁ କରିଛନ୍ତି। କିନ୍ତୁ ଅନ୍ୟ ୫ରୁ ୭ ଜଣ ଯେ ସକାଳର କର୍ମଚାରୀ ନୁହଁନ୍ତି। ସେ ଖବର ପ୍ରସାରଣ କରିବାକୁ କନକ ନ୍ୟୁଜ୍‌‌ ଓ ସମ୍ୱାଦ ଏତେ କୁଣ୍ଠିତ କାହିଁକି ? ଋଣ ଠକେଇ ଅଭିଯୋଗ କରିଥିବା ପୂର୍ଣ୍ଣଚନ୍ଦ୍ର ଦେଓ, ଭୈରବ ବ୍ରହ୍ମା ସକାଳର କର୍ମଚାରୀ କି ?

ସେପଟେ ଇଓଡବ୍ଲ୍ୟୁର ଏକ ଟିମ୍‌‌ ଋଣ ପ୍ରଦାନ କରିଥିବା ବ୍ୟାଙ୍କକୁ ଯାଞ୍ଚ ପରିସରଭୁକ୍ତ କରିଛି। ଗ୍ରାମ୍ୟ ବ୍ୟାଙ୍କରୁ ୩୫୦ କର୍ମଚାରୀଙ୍କ ନାମରେ ଋଣ ନେଇଥିବାର ଅଭିଯୋଗ ପରେ ଋଣ ଦେଇଥିବା ଅନ୍ୟ ବ୍ୟାଙ୍କ ଲାଗି ବଢ଼଼ିଛି ଅଡୁଆ। ଇଓଡବ୍ଲ୍ୟୁର ଗୋଟିଏ ଟିମ୍‌‌ ବ୍ୟାଙ୍କ ବିଷୟରେ ତଥ୍ୟ ହାସଲ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଇଓଡବ୍ଲ୍ୟୁର ଏସ୍‌‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି, ଆଜି ୫ଜଣଙ୍କୁ ପଚରାଉଚରା କରାଯାଇଛି। ଆଉ କେତେ ଜଣଙ୍କୁ ହଜାର ହେବାକୁ ନୋଟିସ୍‌‌ କରାଯାଇଛି। ଆସନ୍ତାକାଲି ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯିବ। ଏହି ମାମଲାର ତଦନ୍ତ ଜାରି ରହିଥିବା ଏସ୍‌‌ପି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

About The Author: The Sakala