ରାଜ୍ୟର ମହିଳାମାନଙ୍କ କ୍ଷେତ୍ରରେ ବଢୁଛି ମଦ୍ୟପାନ ହାର, ପ୍ରତିଷ୍ଠା ହେବ ମହିଳା ନିଶା ନିବାରଣ କେନ୍ଦ୍ର

ଭୁବନେଶ୍ୱର : ନିଶା ନିବାରଣ କେନ୍ଦ୍ରରେ ସାଧାରଣତଃ ପୁରୁଷ ଅନ୍ତେବାସୀ ରହୁଥିବା ଦେଖିବାକୁ ମିଳିଥାଏ; କିନ୍ତୁ ପ୍ରଥମ ଥର ପାଇଁ ସରକାରୀ ଉଦ୍ୟମରେ ମହିଳାମାନଙ୍କ ପାଇଁ ନିଶାନିବାରଣ କେନ୍ଦ୍ର ପ୍ରତିଷ୍ଠା ହେବ। ଜଟଣୀ ସ୍ଥିତ ଇଣ୍ଟିଗ୍ରେଟେଡ୍‍ ଇନଫ୍ରାଷ୍ଟ୍ରକ୍‍ଚର୍‍ କମ୍ପେ୍ଲକ୍ସ (ଆଇଆଇସି)ରେ ମହିଳା ମାନଙ୍କ ପାଇଁ ନିଶା ନିବାରଣ କେନ୍ଦ୍ର କାର୍ଯ୍ୟକାରୀ ହେବ। ରାଜ୍ୟର ମହିଳାମାନଙ୍କ କ୍ଷେତ୍ରରେ ମଦ୍ୟପାନ ହାର ବଢ଼଼ୁଥିବା ଦୃଷ୍ଟିରୁ ଆଇଆଇସିରେ ମହିଳା ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ […]

ଭୁବନେଶ୍ୱର : ନିଶା ନିବାରଣ କେନ୍ଦ୍ରରେ ସାଧାରଣତଃ ପୁରୁଷ ଅନ୍ତେବାସୀ ରହୁଥିବା ଦେଖିବାକୁ ମିଳିଥାଏ; କିନ୍ତୁ ପ୍ରଥମ ଥର ପାଇଁ ସରକାରୀ ଉଦ୍ୟମରେ ମହିଳାମାନଙ୍କ ପାଇଁ ନିଶାନିବାରଣ କେନ୍ଦ୍ର ପ୍ରତିଷ୍ଠା ହେବ। ଜଟଣୀ ସ୍ଥିତ ଇଣ୍ଟିଗ୍ରେଟେଡ୍‍ ଇନଫ୍ରାଷ୍ଟ୍ରକ୍‍ଚର୍‍ କମ୍ପେ୍ଲକ୍ସ (ଆଇଆଇସି)ରେ ମହିଳା ମାନଙ୍କ ପାଇଁ ନିଶା ନିବାରଣ କେନ୍ଦ୍ର କାର୍ଯ୍ୟକାରୀ ହେବ। ରାଜ୍ୟର ମହିଳାମାନଙ୍କ କ୍ଷେତ୍ରରେ ମଦ୍ୟପାନ ହାର ବଢ଼଼ୁଥିବା ଦୃଷ୍ଟିରୁ ଆଇଆଇସିରେ ମହିଳା ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

କେନ୍ଦ୍ର ସରକାର ଜାରି କରିଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ-୫ ଅନୁସାରେ ଓଡ଼ିଶାରେ ୧୫ ବର୍ଷରୁ ଅଧିକ ବୟସର ୪.୩% ମହିଳା ମଦ୍ୟପାନ ସହ ଅଭ୍ୟସ୍ତ। ସେଥିରୁ ଗ୍ରାମାଞ୍ଚଳରେ ୪.୯% ମହିଳା ମଦ୍ୟପାନ କରୁଥିବା ବେଳେ ସହରାଞ୍ଚଳରେ ୧.୪% ମହିଳା ମଦ୍ୟପାନ କରୁଛନ୍ତି। ୨୦୨୦-୨୧ ବର୍ଷ ପାଇଁ ଜାରି ଏହି ରିପୋର୍ଟରେ କୁହାଯାଇଛି ଯେ ପୁରୁଷଙ୍କ କ୍ଷେତ୍ରରେ ୨୮.୮% ମଦ୍ୟପାନ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପୁରୁଷ ମଦ୍ୟପାନ ହାର ଯଥାକ୍ରମେ ୩୦.୨% ଏବଂ ୨୭.୭% ରହିଛି। ଅପରପକ୍ଷେ ୧୫ ବର୍ଷରୁ ଅଧିକ ବୟସର ମହିଳାଙ୍କ ମଧ୍ୟରୁ ୨୬% ମହିଳା ବିଭିନ୍ନ ପ୍ରକାର ତମାଖୁଜାତ ନିଶାଦ୍ରବ୍ୟ ସେବନରେ ଅଭ୍ୟସ୍ତ। ଏଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ହାର ଯଥାକ୍ରମେ ୨୮% ଓ ୧୬.୬% ରହିଛି। ବିଶେଷଜ୍ଞଙ୍କ ମତରେ ମଦ୍ୟପାନ ହାର ଏହା ଠାରୁ ଯଥେଷ୍ଟ ଅଧିକ ହେବ। ପରିବର୍ତ୍ତିତ ସମୟରେ ମଦ୍ୟପାନ ଅଭ୍ୟାସରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି ପାଉଛି। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ମଦ୍ୟପାନ ହାର ଅଧିକ ହେବ। ଗ୍ରାମାଞ୍ଚଳରେ ମୁଖ୍ୟତଃ ହାଣ୍ଡିଆ, ମହୁଲି, ସଲପ ଭଳି ପାରମ୍ପାରିକ ନିଶାଦ୍ରବ୍ୟ ସେବନ ହେଉଥିବା ବେଳେ ସହରାଞ୍ଚଳରେ ବିଦେଶୀ ମଦର ଚାହିଦା ଅଧିକ। ପୁରୁଷଙ୍କ ତୁଳନାରେ ମହିଳାଙ୍କ ଉପରେ ନିଶା ଦ୍ରବ୍ୟ ସେବନର ଗୁରୁତର ପ୍ରଭାବ ପଡ଼ିଥାଏ।

ଏହି କ୍ରମରେ ନ୍ୟାସନାଲ ଆକ୍ସନ୍‍ ପ୍ଲାନ୍‍ ଫର ଡ୍ରଗ୍‍ ଡିମାଣ୍ଡ ରିଡକ୍ସନ୍‍ (ଏନ୍‍ଏପିଡିଡିଆର) ଯୋଜନା ଅଧୀନରେ ଜଟଣୀ ସ୍ଥିତ ଆଇଆଇସି ପରିସରରେ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ସେଠାରେ ପୁରୁଷଙ୍କ ସହିତ ମହିଳା ମାନଙ୍କ ପାଇଁ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। କେନ୍ଦ୍ର ପ୍ରତିଷ୍ଠା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୬,୫୧,୧୨,୮୦୦ ଟଙ୍କା ଦିଆଯାଇଛି। ଏଥିସହ ନିଶା ନିବାରଣ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ୫୦,୬୬,୮୦୦ ଟଙ୍କା ମଞ୍ଜୁର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ ଏହି ଅର୍ଥ ବ୍ୟୟ କରାଯିବ। କେବଳ ଜଟଣୀ ଆଇଆଇସି ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଇଆଇସି ନିର୍ମାଣ କରାଯାଇ ସେଠାରେ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି। ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଇଆଇସି ପ୍ରତିଷ୍ଠା କରାଯାଇ ସେଠାରେ ବୃଦ୍ଧାଶ୍ରମ, ଜିଲ୍ଲା ଭିନ୍ନକ୍ଷମ ପୁର୍ନବାସ କେନ୍ଦ୍ର, ନିଶା ନିବାରଣ କେନ୍ଦ୍ର, ମାନସିକ ଅନଗ୍ରସର କେନ୍ଦ୍ର ଏବଂ କିନ୍ନର ମାନଙ୍କ ପାଇଁ ସାମାଜିକ-ଧନ୍ଦାମୂଳକ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ତେବେ ଜଟଣୀ ଠାରେ ରାଜ୍ୟର ପ୍ରଥମ ଆଇଆଇସି ପ୍ରତିଷ୍ଠା କରାଯାଇଛି।

About The Author: The Sakala