ରଥ ଯାତ୍ରା ପାଇଁ ପୁରୀ ପ୍ରସ୍ତୁତ, ଭକ୍ତ ବି ପ୍ରସ୍ତୁତ। କେମିତି ସୁରୁଖୁରରେ ଏଇ ନବଦିନାତ୍ମକ ଯାତ୍ରା ହେବ, ସେଥିପାଇଁ ସମସ୍ତେ ବ୍ୟସ୍ତ। ଭକ୍ତଙ୍କ ପାଇଁ ତ କାଳିଆର ଏ ଯାତ୍ରା। ଭକ୍ତମାନେ ଯେମିତି ଆସିବା ଓ ଫେରିବାରେ ହଇରାଣ ନ ହେବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଆୟୋଜନ ହୋଇଛି। କେଉଁ ବାଟ ଦେଇ ଗାଡ଼ି ଆସିବ, କେଉଁବାଟ ଦେଇ ବଡ଼ଦାଣ୍ଡରେ ଭକ୍ତ ପହଞ୍ଚିବେ, ସେଥିପାଇଁ ସବୁ ଚୂଡ଼ାନ୍ତ ହୋଇସାରିଛି। ଏବେଠାରୁ ଗହଳି ଲାଗିଗଲାଣି ଶ୍ରୀକ୍ଷେତ୍ରରେ । ତେବେ ଜାଣନ୍ତୁ ଦୁଇଚକିଆ, ଚାରିଚକିଆ, ଯାତ୍ରୀବାହୀ ଓ ପର୍ଯ୍ୟଟକ ବସ୍ କେଉଁଠି ରଖିବେ ଓ କେମିତି ଫେରିବେ…..
ପର୍ଯ୍ୟଟକ ବସ୍ କେଉଁଠି ରହିବ, କେମିତି ଫେରିବ
ଭୁବନେଶ୍ୱର ଆଡୁ ପୁରୀକୁ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ପର୍ଯ୍ୟଟକ ବସ୍, ରିଜର୍ଭ ବସ୍ ମାଳତୀପାଟପୁର ବସ୍ଷ୍ଟାଣ୍ଡ୍ରେ ପାର୍କିଂ କରିବେ। ପରେ ସତ୍ୟବାଦୀ, ପିପିଲି, ଉତ୍ତରା ଦେଇ ଭୁବନେଶ୍ୱର ଫେରିବ। ମାଳତୀପାଟପୁର ବସଷ୍ଟାଣ୍ଡ୍ ପୂରଣ ହୋଇଗଲେ ବସ୍ ଗୁଡ଼ିକ ମାଳତୀପାଟପୁର ବସ୍ ପାର୍କିଂସ୍ଥଳୀରେ ରହିବ। ସେହିପରି କୋଣାର୍କ ଆଡୁ ଆସୁଥିବା ପର୍ଯ୍ୟଟକ ବସ ନାଗାପାଟଣାରେ ପାର୍କିଂ କରାଯିବ। ଏହି ନିୟମ ୧୯ରୁ ଜୁଲାଇ ୧ ଯାଏ ଲାଗୁ ହେବ।
ଭୁବନେଶ୍ୱରରୁ ଆସୁଥିବା ଯାତ୍ରୀବାହୀ ବସ୍
ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତାୟାତ କରୁଥିବା ଦୈନନ୍ଦିନ ଯାତ୍ରୀବାହୀ ବସ୍ ଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟ ବସଷ୍ଟାଣ୍ଡ୍କୁ ଆସିବେ ନାହିଁ। ସେମାନେ ୧୯ତାରିଖ ମଧ୍ୟରାତ୍ରରୁ ମାଳତୀପାଟପୁର ଓଭରବ୍ରିଜ୍ ଦେଇ ଗ୍ରୀଡ଼ ଷ୍ଟେସନ ଛକ ପରେ ଭୂଦାନ ଛକ ଦେଇ ତାଳବଣିଆ ବସଷ୍ଟାଣ୍ଡକୁ ଯିବେ। ସେହିପରି ବସ୍ ଗୁଡ଼ିକ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯିବାବେଳେ ତାଳବଣିଆ ଅସ୍ଥାୟୀ ବସଷ୍ଟାଣ୍ଡ୍ରୁ ବାହାରି କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଗ୍ରୀଡ୍ ଷ୍ଟେସନ ଛକ ପରେ ବାଲିଘାଟ, ଗୋପାଳପୁର, ସମଙ୍ଗରା ରାସ୍ତା ଦେଇ ବୀରହରେକୃଷ୍ଣପୁର ଛକରେ ବାହାରି ଜାତୀୟ ରାଜପଥ-୩୧୬ରେ ଯିବେ। ଏହି ନିୟମ ୧୯ତାରିଖରୁ ୨୦ତାରିଖ ଯାଏ ଲାଗୁ ହେବ।
ଭୁବନେଶ୍ୱର ଆଡୁ ଆସୁଥିବା ଚାରିଚକିଆ, ଅଟୋ
୩୧୬ନମ୍ବର ଜାତୀୟ ରାଜପଥ ବା ଭୁବନେଶ୍ୱର ଆଡୁ ପୁରୀ ଅଭିମୁଖେ ଆସୁଥିବା ଚାରିଚକିଆ ଯାନ ଏବଂ ଅଟୋରିକ୍ସା ମାଳତୀପାଟପୁର ଓଭରବ୍ରିଜ୍ ଦେଇ ଗ୍ରୀଡ୍ ଷ୍ଟେସନ ଛକରେ ପହଞ୍ଚିବେ। ପରେ ବାଇଦାସ ନଗର ଛକ ଦେଇ ସଦାଶିବ ସଂସ୍କୃତ ସଂସ୍ଥାନ ପରିସର ପାର୍କିଂ, ଆଇଟିଆଇ କଲେଜ ପାର୍କିଂ,ହେଲିପ୍ୟାଡ଼ ପାର୍କିଂ, ଭୂଦାନ ଛକ ପାର୍କିଂ, ଇଣ୍ଡୋର ଷ୍ଟାଡିୟମ ପାର୍କିଂ, ତାଳବଣିଆ ପାର୍କିଂରେ ଯାନଗୁଡ଼ିକ ପାର୍କିଂ କରିବେ। ଏହି ନିୟମ ୧୯ତାରିଖରୁ ୨୦ତାରିଖ ଏବଂ ୨୭ତାରିଖରୁ ୩୦ତାରିଖ ଯାଏ ଲାଗୁ ହେବ।
ବ୍ରହ୍ମଗିରି ଆଡୁ ଆସୁଥିବା ବସ୍
ବ୍ରହ୍ମଗିରି ଆଡୁ ଆସୁଥିବା ଦୈନନ୍ଦିନ ଯାତ୍ରୀବାହୀ ବସ୍ ଗୁଡ଼ିକ ଫ୍ଲୋରିସ୍ ଇଣ୍ଡିଆ ପର୍ଯ୍ୟନ୍ତ ଆସି ସେଠାରେ ପାର୍କିଂ କରିବେ। ସେଠାରୁ ଯାତ୍ରୀ ନେଇ ବ୍ରହ୍ମଗିରି ଅଭିମୁଖେ ଯିବେ। ଏହି ନିୟମ ୧୯ତାରିଖରୁ ୨୦ତାରିଖ ଯାଏଁ ଲାଗୁ ହେବ।
କୋଣାର୍କ ଆଡୁ ଆସୁଥିବା ବସ୍
କୋଣାର୍କ ଆଡୁ ଆସୁଥିବା ଦୈନନ୍ଦିନ ଯାତ୍ରୀବାହୀ ବସ୍ ଗୁଡ଼ିକ ଗ୍ରୀଡ୍ ଷ୍ଟେସନ ଛକ ଦେଇ ତାଳବଣିଆ ପାର୍କିଂକୁ ଯିବେ। ସେହିପରି ଫେରିବାବେଳେ ପିକେଆର୍ଆଇଟି, କେନ୍ଦ୍ରୀୟ ବିଦ୍ୟାଳୟ, ଭୂଦାନ, ଗ୍ରୀଡ୍ ଷ୍ଟେସନ ଏବଂ ବାଇଦାସ ନଗର ଛକ ଦେଇ କୋଣାର୍କ ଅଭିମୁଖେ ଯାତ୍ରା କରିବ। ଏହି ନିୟମ ୧୯ତାରିଖରୁ ୨୦ତାରିଖ ଏବଂ ୨୭ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଲାଗୁ ହେବ।
କୋଣାର୍କ ଆଡୁ ଆସୁଥିବା ଚାରିଚକିଆ
କୋଣାର୍କ ଆଡୁ ଆସୁଥିବା ଚାରିଚକିଆ ଯାନ ଏବଂ ଅଟୋରିକ୍ସା ବାଲିଘାଇ, ବାଇଦାସ ନଗର ଛକ, ଗ୍ରୀଡ଼ଷ୍ଟେସନ, ଭୂଦାନ ଏବଂ ଇଣ୍ଡୋର ଷ୍ଟାଡ଼ିୟମ ରାସ୍ତା ଦେଇ ଆସିବା ପରେ ତାଳବଣିଆ ପାର୍କିଂରେ ପାର୍କ କରିବେ।
ବ୍ରହ୍ମଗିରି ଆଡୁ ଆସୁଥିବା ଚାରିଚକିଆ
ବ୍ରହ୍ମଗିରି ଆଡୁ ଆସୁଥିବା ଚାରିଚକିଆ ଏବଂ ଅଟୋରିକ୍ସା ଗୁଡ଼ିକ ମଙ୍ଗଳାଘାଟ ରାସ୍ତା ଦେଇ ଆସିବା ପରେ ଫ୍ଲୋରିସ୍ ଇଣ୍ଡିଆରେ ପାର୍କିଂ କରିବେ।
ଚାରିଚକିଆ ଯାନ ପୁରୀରୁ ଫେରିବେ କେମିତି
ପୁରୀରୁ ଭୁବନେଶ୍ୱର ଯିବାକୁ ଚାହୁଁଥିବା ସମସ୍ତ ଚାରିଚକିଆ ଯାନ ଏବଂ ଅଟୋରିକ୍ସା ନିଜ ପାର୍କିଂସ୍ଥଳୀରୁ ବାହାରି କେନ୍ଦ୍ରୀୟ ବିଦ୍ୟାଳୟ, ଗ୍ରୀଡ୍ ଷ୍ଟେସନ ଛକ, ବାଲିଘାଟ, ଗୋପାଳପୁର, ସମଙ୍ଗରା, ବୀରହରେକୃଷ୍ଣପୁର ଗାଁ ଦେଇ ଜାତୀୟ ରାଜପଥ-୩୧୬ରେ ବାହାରିବେ। ସେହିପରି ପୁରୀରୁ ବାହାରି କୋଣାର୍କ ଆଡେ ଯିବାକୁ ଚାହୁଁଥିବା ଚାରିଚକିଆ ଯାନ ଗୁଡ଼ିକ ଆଇଟିଆଇ ଛକ ଦେଇ ପିକେଆର୍ଆଇଟି, କେନ୍ଦ୍ରୀୟ ବିଦ୍ୟାଳୟ, ଗ୍ରୀଡଷ୍ଟେସନ୍ ଛକ, ବାଲିଗୁଆଳି, ନାଗାପାଟଣା, ତୋଷାଳି ସ୍ୟାଣ୍ଡ୍ସ ରାସ୍ତା ଦେଇ କୋଣାର୍କ ଯିବେ।
ଭୁବନେଶ୍ୱର ଆଡୁ ଆସୁଥିବା ଦୁଇଚକିଆ ଯାନ
ଭୁବନେଶ୍ୱର ଆଡୁ ଦୁଇଚକିଆ ଯାନ ନେଇ ପୁରୀ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ବାଟଗାଁ ଛକରେ ପ୍ରଥମେ ଅଟକାଯିବ। ପରେ ସେହି ଯାନ ଗୁଡ଼ିକ ପୁରୀ ବାଇପାସ୍ ଦେଇ ମଙ୍ଗଳାଘାଟ ଛକ ଆଡକୁ ଛଡାଯିବ। ଏହାପରେ ସେମାନେ ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ମାଟିତୋଟା ପାର୍କିଂ, ମଶାଣୀଚଣ୍ଡି ପାର୍କିଂସ୍ଥଳୀରେ ନିଜ ଦୁଇଚକିଆ ଯାନ ପାର୍କିଂ କରିବେ। ସେହିପରି ଯେଉଁ ଶ୍ରଦ୍ଧାଳୁମାନେ ସେମାନଙ୍କର ଦୁଇଚକିଆ ଯାନ ଗୁଡ଼ିକ ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ମଶାଣୀଚଣ୍ଡି ପାର୍କିଂରେ ପାର୍କ କରିଥିବେ, ସେମାନେ କୁମ୍ଭାରପଡ଼ା ଥାନା, ଅଠରନଳା, ବାଟମଙ୍ଗଳା, ବୀରହରେକୃଷ୍ଣପୁର ରାସ୍ତା ଦେଇ ଭୁବନେଶ୍ୱର ଫେରିବେ। ଏହାସହ ଯେଉଁମାନେ ଶ୍ରୀସେତୁ ଅଞ୍ଚଳରେ ନିଜର ଦୁଇଚକିଆ ପାର୍କିଂ କରିଥିବେ ସେମାନେ ବାଟଗାଁ ଏବଂ ମାଳତୀପାଟପୁର ଦେଇ ଭୁବନେଶ୍ୱର ଫେରିବେ। ଏହି ନିୟମ ୧୯ତାରିଖରୁ ୨୦ତାରିଖ ଯାଏଁ ଲାଗୁ ହେବ।
ବ୍ରହ୍ମଗିରି ଆଡୁ ଆସୁଥିବା ଦୁଇଚକିଆ
ବ୍ରହ୍ମଗିରି ଆଡୁ ଆସୁଥିବା ଦୁଇଚକିଆ ଯାନ ଗୁଡ଼ିକ ଜଗନ୍ନାଥ ବଲ୍ଲଭ ଏବଂ ମଶାଣୀଚଣ୍ଡୀ ପାର୍କିଂସ୍ଥଳୀ ପାର୍କ ହେବ। ସେମାନେ ଏହି ରାସ୍ତା ଦେଇ ପୁଣି ବ୍ରହ୍ମଗିରି ଫେରିବ।
କୋଣାର୍କ ଆଡୁ ଆସୁଥିବା ଦୁଇଚକିଆ
କୋଣାର୍କ ଆଡୁ ଆସୁଥିବା ଦୁଇଚକିଆ ଯାନ ଗୁଡ଼ିକ ଗ୍ରୀଡ୍ ଷ୍ଟେସନ, ସିଟି ରୋଡ୍ ଏବଂ ସୁବାଷ ବୋଷ ଛକ ଦେଇ ବ୍ଲୁ-ଫ୍ଲାଗ୍ ବିଚ୍ରେ ପାର୍କିଂ କରିବେ। ବ୍ଲୁ-ଫ୍ଲାଗ୍ ବିଚ୍ ପାର୍କିଂ ପୂରଣ ହେବା ପରେ ଦୁଇଚକିଆ ଯାନ ଗୁଡ଼ିକ ହୋଟେଲ ନୀଳାଚଳ ଅଶୋକରେ ପାର୍କିଂ କରାଯିବ। ଏହି ଯାନ ଗୁଡ଼ିକ ସେହି ରାସ୍ତା ଦେଇ କୋଣାର୍କ ଫେରିବେ। ଏମାନଙ୍କୁ ତୋଷାଳି ଛକରୁ ଆର୍ଓବି ଅଭିମୁଖେ ଛଡ଼ାଯିବ ନାହିଁ।
ବଡ଼ଦାଣ୍ଡକୁ ଯିବାକୁ ସଟଲ୍ ସେବା
ସହର ଭିତରକୁ ବା ବଡ଼ଦାଣ୍ଡକୁ ଯିବା ପାଇଁ ସଟଲ୍ ସେବାର ସୁବିଧା କରାଯାଇଛି। ତାଳବଣିଆରୁ ସୁନାରଗୌରାଙ୍ଗ ଛକ, ଗାନ୍ଧାର ହୋଟେଲ,ୟୁଥ୍ ହଷ୍ଟେଲ ଛକ, ନୀଳାଚଳ ଅର୍ବାନ ହାଟ ଦେଇ ଅଟୋରିକ୍ସା ଓ ବସ୍ ଗୁଡ଼ିକ ଶ୍ରଦ୍ଧାଳୁଙ୍କୁ ଧରି ଜିଲ୍ଲା ସ୍କୁଲ ଛକରେ ପହଞ୍ଚାଇବ। ଏହାପରେ ଶ୍ରଦ୍ଧାଳୁମାନେ ଚାଲିକି ବଡ଼ଦାଣ୍ଡକୁ ଯିବେ। ସେହିପରି ଫେରିବାବେଳେ ଜିଲ୍ଲା ସ୍କୁଲ୍ ଛକରୁ ଅଟୋରିକ୍ସା ଗୁଡ଼ିକ ଶ୍ରଦ୍ଧାଳୁଙ୍କୁ ବସାଇ ଘୋଡ଼ାବଜାର, ରାମମନ୍ଦିର ଛକ, ଓଡ଼ିଶା ବେକେରୀ, ମଙ୍ଗଳାମନ୍ଦିର ଦେଇ ହେଲିପ୍ୟାଡ଼ ନିକଟରେ ପହଞ୍ଚାଇବେ।
ସେହିପରି ବସ୍ ଗୁଡ଼ିକ ସଦର ବ୍ଲକ ଅଫିସ ଦେଇ ହେଲିପ୍ୟାଡ୍ ନିକଟକୁ ଯିବ। ଅନ୍ୟପକ୍ଷେ ମାଳତୀପାଟପୁର ବସଷ୍ଟାଣ୍ଡରୁ ଅଠରନଳା ପର୍ଯ୍ୟନ୍ତ ବସ୍ ଓ ଅଟୋରିକ୍ସାର ସଟଲ୍ ସେବାର ବ୍ୟବସ୍ଥା ହୋଇଛି।