ଭୁବନେଶ୍ବର : ‘ସୁଭଦ୍ରା’ ଯୋଜନା ପାଇଁ ସେପ୍ଟେମ୍ବର ୧ ତାରିଖଠାରୁ ଆବେଦନ ଆରମ୍ଭ ହୋଇଛି। ଏହି ଯୋଜନାର ଲାଭ ପାଇବା ପାଇଁ ଅଙ୍ଗନବାଡି କେନ୍ଦ୍ର, ବ୍ଲକ୍ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଆଉ ଏହାରି ମଧ୍ୟରେ ଗତକାଲି ମଧ୍ୟ ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରାଯାଇଛି।
ତେବେ ଲୋକମାନେ ଫର୍ମ ପୂରଣ କରୁଥିଲେ ମଧ୍ୟ ଏବେ ଦାଖଲ ଆରମ୍ଭ ହୋଇନାହିଁ। ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଆସନ୍ତାକାଲି ଅର୍ଥାତ ୪ ସେପ୍ଟେମ୍ୱର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହେବ। ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ଦ୍ୱାରା ନିରୂପିତ ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ଦାଖଲ କରାଯିବ।
ଅନ୍ୟପଟେ ଏହି ଯୋଜନାର ଲାଭ ପାଇବା ପାଇଁ ଲୋକମାନେ ଭିଡ ଜମାଉଥିବା ବେଳେ କିଛି ଲୋକ ଆବେଦନ ଶେଷ ହୋଇଯିବ ବୋଲି କହି ଅଧିକ ଭୟଭିତ କରୁଥିବା ନଜର ଆସିଛି। ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ପର୍ଯ୍ୟନ୍ତ ଶେଷ ହିତାଧିକାରୀ ପଇସା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ। ଏନେଇ ଲୋକ ଚିନ୍ତିତ ହୁଅନ୍ତୁ ନାହିଁ। ସେପଟେ ସୁଭଦ୍ରା ଯୋଜନାର ୱେବସାଇଟ ଜାମ ହେବାକୁ ନେଇ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଯୋଜନା ଏତେ ହାଇଲାଇଟ ହୋଇଛି ଯେଉଁଥିପାଇଁ ଜାମ ହେଉଛି।
କେମିତି ପୂରଣ କରିବେ ‘ସୁଭଦ୍ରା’ ଫର୍ମ?
- ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ।
- ପରେ ସ୍ୱାମୀ କିମ୍ବା ବାପାଙ୍କ ନାମ ଲେଖିବେ
- ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖ ଲେଖିବେ
- ପରେ ଜାତି ସଂପର୍କରେ ଥିବା ବକ୍ସରେ ଟିକ୍ ମାରିବାକୁ ହେବ
- ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ ହୋଇଥିବା ନମ୍ବର ଦେବାକୁ ହେବ
- ବିକଳ୍ପ ଭାବେ ଆପଣ ଅନ୍ୟ ନମ୍ବର ମଧ୍ୟ ଦେଇପାରିବେ
- ତା’ପରେ ଠିକଣା ଲେଖି, ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ
- ପର ପୃଷ୍ଠାରେ ଥବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ
- ଫର୍ମ ଫିଲଅପ୍ ପରେ ଏହା ସହ ନିଜର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଓ ରାସନ କାର୍ଡର ଫଟୋକପି ଦେଇ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ
- ଆବେଦନ କରିବା ପରେ ଗ୍ରହଣ ପତ୍ର ଆଣିବାକୁ ଯେମିତ ନ ଭୁଲନ୍ତି, ଯେଉଁଥିରେ ଆପଣଙ୍କ ଆବେଦନ ପତ୍ରର ନମ୍ବର ରହିଥିବ
ସୋମବାର ଉନ୍ମୋଚିତ ହୋଇଥିବା ୱେବ୍ ପୋର୍ଟଲ www.subhadra.odisha.gov.in ରେ ସମସ୍ତ ତଥ୍ୟ ଉପଲବ୍ଧ ରହିବ। ସୁଭଦ୍ରା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି। ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଦାୟିତ୍ୱ ସହ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି । ସୁଭଦ୍ରା ଯୋଜନା ସମ୍ୱନ୍ଧୀୟ କୌଣସି ନୂଆ ଘୋଷଣା ମଧ୍ୟ ମହିଳାମାନେ ଏହି ୱେବ ପୋର୍ଟାଲରେ ପାଇପାରିବେ ଅନ୍ୟ କିଛି ଜାଣିବାକୁ ହେଲେ ମହିଳମାନେ ଟୋଲ ଫ୍ରୀ ନମ୍ୱର -୧୪୬୭୮ ରେ କଲ କରିପାରିବେ।