ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଗଲା ପଞ୍ଚମ କିସ୍ତି, କୋଟିଏରୁ ଅଧିକ ମହିଳାଙ୍କୁ ମିଳିଲା ୫ ହଜାର ଟଙ୍କା

ନୟାଗଡ଼: ମିଳିଲା ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା ଯୋଜନା'ର ପଞ୍ଚମ କିସ୍ତି । ନୟାଗଡ଼ ଜିଲ୍ଲାର ଲାଠିପଡ଼ା ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ପର୍ଯ୍ୟାୟରେ ରାଜ୍ୟର ୧,୦୩,୨୬,୧୬୨ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଇଛି। ଏଥିପାଇଁ ମୋଟ ୫,୧୬୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗ କରାଯାଇଛି। 

ବିଶେଷ କରି ଏହି କିସ୍ତିରେ ପ୍ରଥମ ଥର ପାଇଁ ୨,୨୧,୦୫୪ ମହିଳା ସୁଭଦ୍ରା ସହାୟତା ପାଇଛନ୍ତି। ପୂର୍ବରୁ ସେମାନଙ୍କୁ ମିଳିନଥିବା କିସ୍ତି ସହ ବର୍ତ୍ତମାନର କିସ୍ତିକୁ ମିଶାଇ ଏକକାଳୀନ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟ ଯୋଗ୍ୟ ହିତାଧିକାରୀ ପଞ୍ଚମ କିସ୍ତି ବାବଦରେ ୫ ହଜାର ଟଙ୍କା ପାଇଛନ୍ତି । ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ହିତାଧିକାରୀ ମୋଟ ୫୦ ହଜାର ଟଙ୍କା ପାଇବାର ବ୍ୟବସ୍ଥା ରହିଛି ।

ସୂଚନାଯୋଗ୍ୟ ଯେ, ୨୦୨୪ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଯୋଗ୍ୟ ମହିଳାମାନଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ପ୍ରଦାନ କରାଯାଉଛି। ଏହି ଅର୍ଥ ରାକ୍ଷୀ ପୂର୍ଣ୍ଣିମା ଏବଂ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଦୁଇଟି କିସ୍ତିରେ ୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି।

About The Author: Madhusudan Das