ଭୁବନେଶ୍ୱର: ୨୭ ଅଗଷ୍ଟ ନୁହେଁ, ୨୮ରେ ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ 'ସୁଭଦ୍ରା ଯୋଜନା'ର ପଞ୍ଚମ କିସ୍ତି ପ୍ରଦାନ କରାଯିବ। ଶ୍ରୀମନ୍ଦିର ସ୍ୱୀକୃତିପ୍ରାପ୍ତ ପଞ୍ଜିକା ଅନୁଯାୟୀ, ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁଯାୟୀ ୨୮ ତାରିଖରେ ପୂର୍ଣ୍ଣିମା ପାଳନ ହେବାକୁ ଥିବା ବେଳେ ରକ୍ଷାବନ୍ଧନ କିନ୍ତୁ ୨୭ ତାରିଖରେ ପାଳନ କରିବାକୁ ଜ୍ୟୋତିର୍ବିଦ୍ ପରାମର୍ଶ ଦେଇଛନ୍ତି।
ନୟାଗଡ଼ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏଥର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ ।
ସବୁଠାରୁ ବଡ଼ କଥା ହେଉଛି, ଏଥର ୨ ଲକ୍ଷ ୨୧ ହଜାର ୫୪ ଜଣ ହିତାଧିକାରୀ ପ୍ରଥମ ଥର ପାଇଁ ସୁଭଦ୍ରା ଟଙ୍କା ପାଇବେ । ଅର୍ଥାତ୍, ପୂର୍ବରୁ ଯେଉଁମାନେ ଟଙ୍କା ପାଇନଥିଲେ, ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କୁ ଏଥର ସାମିଲ କରାଯାଇଛି । ଆଉ ଯେଉଁ ହିତାଧିକାରୀଙ୍କର ଏକାଧିକ କିସ୍ତି ବାକି ରହିଛି, ସେମାନଙ୍କୁ ମଧ୍ୟ ଫିଲ୍ଡ ଯାଞ୍ଚ ପରେ ବକେୟା ସମସ୍ତ କିସ୍ତି ମିଳିବ ବୋଲି ସୂଚନା ମିଳିଛି ।
ଏହି ବିତରଣ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଏକ ପ୍ରସ୍ତୁତି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ଓ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଡିରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ପ୍ରକ୍ରିୟା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ହିତାଧିକାରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।
ସୁଭଦ୍ରା ଯୋଜନା ମାଧ୍ୟମରେ ରାଜ୍ୟର ଯୋଗ୍ୟ ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଆଗାମୀ ପଞ୍ଚମ କିସ୍ତି ଦ୍ୱାରା ସମଗ୍ର ଓଡ଼ିଶାର ବହୁ ସଂଖ୍ୟକ ମହିଳା ହିତାଧିକାରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ହିତାଧିକାରୀଙ୍କ ଖାତାକୁ ଠିକ୍ ସମୟରେ ଏବଂ ତ୍ରୁଟିମୁକ୍ତ ଭାବେ ଅର୍ଥ ହସ୍ତାନ୍ତର କରିବା ପାଇଁ ବିଭିନ୍ନ ବିଭାଗ ଓ ବ୍ୟାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।