‘ହକି’ ପାଇଁ ସଜେଇ ହେଉଛି ରାଜଧାନୀ କାନ୍ଥବାଡ଼, ସୃଷ୍ଟି ହେଉଛି କଳାତ୍ମକ ବାତାବରଣ

ଭୁବନେଶ୍ୱର: ସଜେଇ ହେଉଛି ସହରର କାନ୍ଥବାଡ଼। ସୃଷ୍ଟି ହେଉଛି କଳାତ୍ମକ ବାତାବରଣ। କାନ୍ଥବାଡ଼ କହିବ ଓଡ଼ିଶା କଳା ଓ ସଂସ୍କୃତିର କଥା। କେବଳ ସେତିକି ନୁହେଁ, ଐତିହ୍ୟ, ପର୍ଯ୍ୟଟନ, ପରିବେଶ ତଥା କ୍ରୀଡ଼ାର ଗାଥା ବଖାଣିବ କାନ୍ଥ। ବିଶ୍ୱକପ୍‍ ହକି ପାଇଁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରାଯାଉଛି ସହରର ଏଭଳି ସୌନ୍ଦର୍ଯ୍ୟକରଣ। ପାଖେଇ ଆସୁଥିବା ବିଶ୍ୱକପ୍‍ ହକିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପକ୍ଷରୁ ଆରମ୍ଭ ହୋଇଛି ଷ୍ଟାମ୍ପ ପ୍ରକଳ୍ପର […]

ଭୁବନେଶ୍ୱର: ସଜେଇ ହେଉଛି ସହରର କାନ୍ଥବାଡ଼। ସୃଷ୍ଟି ହେଉଛି କଳାତ୍ମକ ବାତାବରଣ। କାନ୍ଥବାଡ଼ କହିବ ଓଡ଼ିଶା କଳା ଓ ସଂସ୍କୃତିର କଥା। କେବଳ ସେତିକି ନୁହେଁ, ଐତିହ୍ୟ, ପର୍ଯ୍ୟଟନ, ପରିବେଶ ତଥା କ୍ରୀଡ଼ାର ଗାଥା ବଖାଣିବ କାନ୍ଥ। ବିଶ୍ୱକପ୍‍ ହକି ପାଇଁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରାଯାଉଛି ସହରର ଏଭଳି ସୌନ୍ଦର୍ଯ୍ୟକରଣ। ପାଖେଇ ଆସୁଥିବା ବିଶ୍ୱକପ୍‍ ହକିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପକ୍ଷରୁ ଆରମ୍ଭ ହୋଇଛି ଷ୍ଟାମ୍ପ ପ୍ରକଳ୍ପର ତୃତୀୟ ସଂସ୍କରଣ। ସ୍ମାର୍ଟସିଟି ତଥା ମନ୍ଦିରମାଳିନୀ ଭୁବନେଶ୍ୱର ମୁଖ୍ୟରାସ୍ତାର ପାର୍ଶ୍ବରେ ଥିବା କାନ୍ଥଗୁଡ଼ିକୁ ଭିନ୍ନରୂପ ଦେବ ଏହି ପ୍ରକଳ୍ପ।

ଓଡ଼ିଶା ଲଳିତ କଳା ଏକାଡେମୀ ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିଳ୍ପୀମାନଙ୍କୁ ନିୟୋଜିତ କରାଯାଇ ସେମାନଙ୍କ ଉପଦେଶକ୍ରମେ ସହରର ମୁଖ୍ୟରାସ୍ତା ପାର୍ଶ୍ବରେ ଥିବା କାନ୍ଥଗୁଡ଼ିକୁ ଚିତ୍ରରେ ସଜେଇ ଦିଆଯିବ। ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ରାସ୍ତା ସହିତ ବିଜୁ ପଟ୍ଟନାୟକ ବିମାନବନ୍ଦର ନିକଟରୁ ଆରମ୍ଭ କରି ନନ୍ଦନକାନନ ରୋଡ୍‍ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ଓଡ଼ିଶା ଲଳିତକଳା ଏକାଡେମୀ ଅଧୀନରେ ରାଜ୍ୟର ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀଙ୍କୁ ନେଇ ୨୮ଟି ଗ୍ରୁପ୍‍ କରାଯାଇଛି। ପ୍ରତିଗ୍ରୁପରେ ୨୦-୨୫ ଚିତ୍ରଶିଳ୍ପୀ ରହିଛନ୍ତି। ଏକାଡେମୀ ତତ୍ତ୍ୱାବଧାନରେ ଅନୁଧ୍ୟାନ ବୋର୍ଡ ଶିଳ୍ପୀଙ୍କ ଦ୍ୱାରା ହୋଇଥିବା ଚିତ୍ରକଳା ଡିଜାଇନ୍‍କୁ ଯାଞ୍ଚ କରିବେ। ଏହି ଚିତ୍ରକଳାଗୁଡ଼ିକ କେଉଁ ବିଷୟ ଆଧାରିତ ହେବ, ତାହା ବିଏମ୍‍ସି ସୋସିଆଲ ମିଡିଆ ମାଧ୍ୟମରେ ପ୍ରସାର କରାଯାଇ ନାଗରିକମାନଙ୍କର ମତାମତ ଅଣାଯାଇଛି। ପ୍ରାୟ ୧ମାସ ଧରି ଚିତ୍ରଶିଳ୍ପୀମାନେ ସହରର କାନ୍ଥକୁ ଭିନ୍ନରୂପ ଦେବେ। ବିଶ୍ୱକପ୍‍ ହକି ପୂର୍ବରୁ ସହରକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ। ଏହାକୁ ୨୫ ଦିନରୁ ଏକମାସ ଭିତରେ ନିଶ୍ଚିତ ଭାବେ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ଏଥିପାଇଁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ନାଗରିକଙ୍କ ମତାମତ ଅନୁସାରେ ୧୨ଟି ବିଷୟବସ୍ତୁକୁ ଆଧାର କରି ବିଭିନ୍ନ ସ୍ଥାନରେ ସେହି ବିଷୟବସ୍ତୁଗୁଡ଼ିକର ଚିତ୍ରବିନ୍ୟାସ କରାଯିବ।

ଚିତ୍ର କରୁଥିବା ଶିଳ୍ପୀଙ୍କୁ ଏକ ସ୍ୱତନ୍ତ୍ର କିଟ୍‍ ଦିଆଯାଇ ସେଥିରେ ଥିବା ଟି-ସାର୍ଟ, କ୍ୟାପ୍‍, ଆଇକାର୍ଡ ଇତ୍ୟାଦି ପ୍ରଦାନ କରାଯାଇଛି। ଯାହା କି ସହର ସାରା ଚିତ୍ର ଆଙ୍କୁଥିବା ସମସ୍ତ ଶିଳ୍ପୀଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିବ। ଏଥିପାଇଁ ବିଏମ୍‍ସି ପକ୍ଷରୁ ସେମାନଙ୍କୁ କାର୍ଯ୍ୟ ନିର୍ଦ୍ଦେଶ ଅନୁସାରେ ପାରିଶ୍ରମିକ ପ୍ରଦାନ କରାଯିବ ବୋଲି ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ କହିଛନ୍ତି। ଏଥିପାଇଁ ଚିତ୍ରଶିଳ୍ପୀମାନେ କାମ ଆରମ୍ଭ କରିଦେଇଛନ୍ତି। ଏବେ କାନ୍ଥରେ କେବଳ ଚିତ୍ର ଆଙ୍କୁଥିବାବେଳେ ଅଳ୍ପ କିଛି ବ୍ୟବଧାନ ମଧ୍ୟରେ ଏଥିରେ ରଙ୍ଗ ଦେବେ। ପୂର୍ବବର୍ଷ ଅପେକ୍ଷା କାନ୍ଥରେ କିଛି ଭିନ୍ନଚିତ୍ର କରିବାର ପ୍ରୟାସ କରାଯାଉଛି। ଏଥିରେ ଚିତ୍ରଶିଳ୍ପୀମାନେ ହକି, କ୍ରୀଡ଼ା, ଓଡ଼ିଶା କଳା ଓ ସଂସ୍କୃତି, ପରିବେଶ, ପର୍ଯ୍ୟଟନ, ଐତିହ୍ୟ, ଖାଦ୍ୟ, ମନ୍ଦିର ସହିତ ଆଧୁନିକ ଚିନ୍ତାଧାରାର ଚିତ୍ର ଆଙ୍କିବେ ବୋଲି ଶ୍ରୀ ସାମଲ କହିଛନ୍ତି।

About The Author: The Sakala