ଭୁବନେଶ୍ୱର ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଶତପ୍ରତିଶତ ସଫଳତା: ୯୭% ମାର୍କ ସହ ଟପ୍ପର ହେଲେ ସାଗରିକା

ଭୁବନେଶ୍ୱର: ସିବିଏସଇ (CBSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଶତପ୍ରତିଶତ ସଫଳତା ହାସଲ କରିଛି। ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ଏବଂ ପାସ୍ ହାର ୧୦୦ ପ୍ରତିଶତ ରହିଛି।

ଚଳିତ ବର୍ଷ ବିଦ୍ୟାଳୟର ମେଧାବୀ ଛାତ୍ରୀ ସାଗରିକା ପ୍ରଧାନ ୯୭ ପ୍ରତିଶତ ମାର୍କ ରଖି ସ୍କୁଲ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ବିଦ୍ୟାଳୟର ୧୦ ଜଣରୁ ଅଧିକ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଏହି ଅଭୂତପୂର୍ବ ସଫଳତା ପାଇଁ ସ୍କୁଲ ପରିସରରେ ତଥା ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି।

ବିଦ୍ୟାଳୟର ଏହି ଉଜ୍ଜ୍ୱଳ ଫଳାଫଳ ସମ୍ପର୍କରେ ସ୍କୁଲ ମ୍ୟାନେଜିଂ କମିଟିର ଟ୍ରଷ୍ଟି ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକ, ମ୍ୟାନେଜର ଶ୍ରୀଯୁକ୍ତ ସତ୍ୟାନନ୍ଦ ରାଜ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ, ନିରନ୍ତର ଅଧ୍ୟବସାୟ ଏବଂ ଶିକ୍ଷକମାନଙ୍କ ଉପଯୁକ୍ତ ମାର୍ଗଦର୍ଶନ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏଥିସହିତ ସମସ୍ତ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସେମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଏହି ଫଳାଫଳ ବିଦ୍ୟାଳୟର ସୁନାମକୁ ଆହୁରି ବୃଦ୍ଧି କରିଛି।

About The Author: Tapas Ranjan Nanda