ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କେଶରୀ ନଗର RI, ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର କେଶରୀ ନଗର RI ନିରଞ୍ଜନ ସିଂ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗ । ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର (Legal Heir Certificate) କରାଇଦେବା ନାମରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ RI ନିରଞ୍ଜନ ସିଂ। 

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ନିଜ ମାଆ ଏବଂ ସାନ ଭାଇଙ୍କ ମୃତ୍ୟୁ ପରେ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଗତ ସେପ୍ଟେମ୍ବର ୯ ତାରିଖରେ ଅନଲାଇନ୍ ଯୋଗେ ଆବେଦନ କରିଥିଲେ। ସମସ୍ତ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ସତ୍ତ୍ୱେ ତାଙ୍କ ଫାଇଲ୍ ଆଗକୁ ବଢ଼ିନଥିଲା। ଅଭିଯୋଗକାରୀ ଆରଆଇଙ୍କୁ ତିନିରୁ ଚାରିଥର ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତଦନ୍ତ ରିପୋର୍ଟ ପ୍ରଦାନ କରିବାରେ ବିଳମ୍ବ କରିବା ସହ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଫାଇଲ୍ ପଠାଇବା ପାଇଁ ଆରଆଇ ନିରଞ୍ଜନ ସିଂହ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।

ଲାଞ୍ଚ ଦାବି ନେଇ ନିରାଶ ହୋଇଥିବା ଅଭିଯୋଗକାରୀ ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଜାଲ ବିଛାଯାଇଥିଲା ଏବଂ ରବିବାର ଦିନ ଲାଞ୍ଚ ବାବଦ ଅର୍ଥ ଗ୍ରହଣ କରୁଥିବା ସମୟରେ ଆରଆଇଙ୍କୁ ରଙ୍ଗେହାତ କାବୁ କରାଯାଇଥିଲା। ଗିରଫଦାରୀ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ନିରଞ୍ଜନ ସିଂହଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ ଅପରେସନ୍ କିମ୍ବା ଚଢ଼ାଉ ଜାରି ରହିଛି।

About The Author: Madhusudan Das