ଭୁବନେଶ୍ବର: ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବଜାର ଦର। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ପରେ ଏବେ ପନିପରିବା ଦର ଆକାଶଛୁଆଁ ହୋଇଛି। ମୌସୁମୀର ପ୍ରବେଶ ସହ ହାଟ ବଜାରରେ ପନିପରିବା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଖୁଚୁରା ବଜାରକୁ ମହଙ୍ଗା କରିଦେଇଛି। ଗତ ସପ୍ତାହରେ ୫୦ ଟଙ୍କା ତଳେ ଥିବା ସବୁ ପରିବା ଦର ଏବେ ଶତକ ମୁହାଁ । ଏଥିରେ ବିନ୍ସ ଦର ସବୁ ରେକର୍ଡ ଟପିଯାଇଛି। ବଜାରରେ ବିନ୍ସ କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଛି। ତେବେ ହଠାତ୍ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଛୁଇଁବା ଏବେ ଖାଉଟିଙ୍କ ନିଦ ହଜାଇ ଦେଇଛି। ମାତ୍ର ମାସଟା ଭିତରେ ଅଦା ଓ ରସୁଣ ଦର ଯେଉଁଭଳି ଭାବେ ବଢ଼ିଛି ସେଥିରେ ଖାଉଟି କଲବଲ ହୋଇଥିବାବେଳେ ଏବେ ଅନ୍ୟ ପରିବା ଦର ବଢ଼ିବା ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି। ଚାହିଦା ଏବଂ ଯୋଗାଣ ଜନିତ ସମସ୍ୟା ଯୋଗୁ ଦର ବଢ଼ୁଥିବା ବ୍ୟବସାୟୀ କହୁଥିବାବେଳେ ବାହାର ରାଜ୍ୟରୁ ଆମଦାନୀ କମୁଥିବାରୁ ଯୋଗାଣ ବିଭାଗ ଦୋଷ ଦେଉଛି।
ବଜାରରେ ମାତ୍ର ସପ୍ତାହକ ମଧ୍ୟରେ ସବୁ ପରିବା ଦର ଦୁଇ ଗୁଣ ବଢ଼ିଯାଇଛି। ଏଥିରେ କେବଳ ଆଳୁ ଏବଂ ପିଆଜ ଦର ବାଦ୍ ପଡିଛି। ଖୁଚୁରା ବଜାରରେ ବିନ୍ସ କିଲୋ ପିଛା ୨୦୦, ସଜନା ଛୁଇଁ ୧୨୦, ଝୁଡଙ୍ଗ ୧୦୦, କଲରା ୧୦୦, ବାଇଗଣ ଏବଂ ପୋଟଳ ୮୦ ଟଙ୍କାରେ ବିକ୍ରି ହେଉଛି। ଦୀର୍ଘ ୩ ବର୍ଷ ହେବ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହୋଇଆସୁଥିବା ଅମୃତ ଭଣ୍ଡା ଦର ଏବେ କିଲୋ ପିଛା ୧୫ରୁ ୨୦ ଟଙ୍କା ବଢ଼ିଯାଇଛି। ପ୍ରସଙ୍ଗ ଉପରେ ମତ ରଖି ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଯେ, ଓଡ଼ିଶାକୁ ପ୍ରମୁଖ ପରିବା ଯୋଗାଣକାରୀ ରାଜ୍ୟଗୁଡିକରେ ପ୍ରବଳ ବର୍ଷା ଯୋଗୁ ପରିବହନ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ବର୍ତ୍ତମାନ ବଜାରରେ ଦର ଉଚ୍ଚା ରହିଛି। ଚନ୍ଦ୍ରଶେଖରପୁର ଅଞ୍ଚଳର ଖାଉଟି ବୈଜୟନ୍ତୀ ସ୍ବାଇଁ କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଦର ମହଙ୍ଗା। ଏହାସହ ଏବେ ପନିପରିବା ଦର ଯେଉଁ ଭଳି ହେଲାଣି ଏଥିରେ ଚଳିବା ବେଶ କଷ୍ଟକର। ଏହାସାଙ୍ଗକୁ ଟମାଟୋ ଦର ଏବେ ଶହେ ଟଙ୍କା ଛୁଇଁବା ବେଶ କଷ୍ଟକର। ଅପରପକ୍ଷେ ରସୁଲଗଡ଼ର ଖୁଚୁରା ବ୍ୟବସାୟୀ ନାରାୟଣ ସାହୁ କହିଛନ୍ତି ଯେ, ଦୁଇ ଦିନ ହେବ ଆମକୁ ସବୁ ପରିବା କିଣା ଅଧିକ ପଡ଼ୁଛି। ତେଣୁ ଆମେ ତାହାକୁ ଅଧିକ ଦରରେ ବିକ୍ରି କରୁଛୁ। ମଣ୍ଡିରେ ଯୋଗାଣ କମୁଥିବା କୁହାଯାଉଛି, ତେଣୁ ଦର ଅଧିକ ପଡ଼ୁଥିବା ସେ କହିଛନ୍ତି। ମୌସୁମୀ ଆରମ୍ଭରୁ ସ୍ଥିତି ଏମିତି, ଆଗକୁ ଅଧିକ ବର୍ଷାରେ ବନ୍ୟା ହେଲେ ସେତେବେଳେ ଦରଦାମ୍ କେଉଁ ଅବସ୍ତାରେ ଥିବା ତାହା ଏବେଠାରୁ କହିବା ଅସମ୍ଭବ।
ଗତବର୍ଷ ଟମାଟୋ କିଲୋ ୪ ଟଙ୍କାରୁ କମ୍ ହେବା ଯୋଗୁ ନାସିକ୍ ଏବଂ ଔରଙ୍ଗାବାଦ୍ରେ ଚାଷୀମାନେ ରାସ୍ତାରେ ଟମାଟୋ ଫିଙ୍ଗି ଦେଇଥିଲେ। ଚଳିତବର୍ଷ ମଧ୍ୟ ଉତ୍ପାଦନ ସମୟରେ ପାଇକାରୀ ବଜାରରେ ଦର କିଲୋ ପିଛା ୬-୭ ଟଙ୍କା ରହିଥିଲା। ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ପଲଟିଯାଇଛି। କିଲୋ ଟମାଟୋ ପାଇଁ ଖାଉଟି ଏବେ ଗଣିବେ ୧୦୦ ଟଙ୍କା। ୧୫ ଦିନ ତଳେ ଟମାଟୋ କିଲୋ ପିଛା ୨୦ ଟଙ୍କା ରହିଥିଲା। ମାତ୍ର ସପ୍ତାହକ ମଧ୍ୟରେ ଟମାଟୋ କିଲୋ ପିଛା ତିନି ଗୁଣରୁ ଅଧିକ ହୋଇ ଶତକ ମାରିଛି। ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ ଏବେ ଟମାଟୋ ଯୋଗାଣ ବନ୍ଦ ହୋଇଯାଇଛି। ଏବେ କେବଳ ବେଙ୍ଗାଲୁରୁ ଟମାଟୋ ଉପରେ ଭରସା। ତଥାପି ସେଠାରୁ ଯୋଗାଣ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁଠାରେ ସୋମବାର ଟମାଟୋ କ୍ବିଣ୍ଟାଲ ପିଛା ହାରାହାରି ୭୦ ଟଙ୍କା ଉପରେ ରହିଛି। ଏହାର ପ୍ରଭାବ ସ୍ବରୂପ ଇତିମଧ୍ୟରେ ରାଜଧାନୀ ଭୁବନେଶ୍ବରର ହାଟ ବଜାରଗୁଡିକରେ ଟମାଟୋ କିଲୋ ପିଛା ୭୦ରୁ ହଠାତ୍ ୧୦୦ ଟଙ୍କାରେ ପହଞ୍ଚିଛି। ତେବେ ଦୁଇ ଦିନର ବ୍ୟବଧାନରେ ହଠାତ୍ ଟମାଟୋ କିଲୋ ପିଛା ଦୁଇ ଗୁଣ ହୋଇ ଖାଉଟିଙ୍କୁ ହତାଶ କରିଛି।