କଟକ: ତାରକା-ଦମ୍ପତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ହାଇକୋର୍ଟରେ ପହଞ୍ଚିଛି। ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ ହୋଇଥିବା ଆବେଦନକୁ ଗତ ସେପ୍ଟେମ୍ବର ୨୨ ତାରିଖରେ କଟକ ପରିବାର ଅଦାଲତ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତଳ କୋର୍ଟର ରାୟ ବିରୁଦ୍ଧରେ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। ପ୍ରତିପକ୍ଷ ବର୍ଷାଙ୍କୁ ନୋଟିସ୍ ହୋଇଛି। ପରିବାର ଅଦାଲତକୁ ମଧ୍ୟ ରେକର୍ଡ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣୀ ହେବ।
ସୂଚନାଯୋଗ୍ୟ, ବର୍ଷାଙ୍କ ପକ୍ଷରୁ ପତି-ପତ୍ନୀ ହୋଇ ଏକତ୍ର ରହିବା ପାଇଁ ପରିବାର ଅଦାଲତରେ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଯାଇଥିଲା। ଗତ ଜୁଲାଇ ୧୩ରେ ଛାଡ଼ପତ୍ର ମାମଲାର ଶୁଣାଣି ୩ମାସ ମଧ୍ୟରେ ଶେଷ କରିବା ପାଇଁ ପରିବାର ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଣୁ ପରିବାର ଅଦାଲତ ଗତ ସେପ୍ଟେମ୍ବର ୨୨ରେ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।