ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର ପକ୍ଷରୁ ୩୦ ତାରିଖ ପାଇଁ ମୋଟ ୧୯ଟି ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ୬ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ରବିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡିରେ ବିଜୁଳି, ଘଡଘଡି ସହ ସ୍ଥଳ ବିଶେଷରେ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବହିପାରେ। କନ୍ଧମାଳ, ସୋନପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଦେବଗଡ଼ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଅନ୍ୟପଟେ ଆସନ୍ତା ମେ ୫ ତାରିଖ ପାଖାପାଖି ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ କ୍ଷେତ୍ରଟି ନିର୍ଦ୍ଦିଷ୍ଟ କେଉଁ ଦିନ ସୃଷ୍ଟି ହେବ, ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ଏହି ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇପାରେ। କିନ୍ତୁ ଏହା ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ବୋଲି ଭାରତୀୟ ପାଣିପାଗବିଭାଗ(ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ହିଁ ଏହାର ଗତିବିଧି ସ୍ପଷ୍ଟ ହେବ। ବର୍ତ୍ତମାନର ଆକଳନ ଅନୁସାରେ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ଦକ୍ଷିଣ ବଙ୍ଗୋପସାଗର ଉପରେ ପଡ଼ିବ। କିନ୍ତୁ ଓଡ଼ିଶା ଉପରେ ଏହା କୌଣସି ପ୍ରଭାବ ପଡ଼ିବ ନାହିଁ। ତଥାପି ମତ୍ସ୍ୟଜୀବୀମାନେ ସେହି ସମୟରେ ଦକ୍ଷିଣ ବଙ୍ଗୋପସାଗରକୁ ଯାଆନ୍ତୁ ନାହିଁ। ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଉପରେ ନିରନ୍ତର ଭାବେ ଦୃଷ୍ଟି ରଖାଯାଇଛି। ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେଲେ ସଠିକ୍ ଭାବରେ ତଥ୍ୟ ଦିଆଯିବ ବୋଲି ଡିଜି ଶ୍ରୀ ମହାପାତ୍ର କହିଛନ୍ତି।