କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ପ୍ରବଳ ଭିଡ଼ । ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭୋରରୁ ଅନେକ ଭକ୍ତ ସ୍ନାନ ବି କରିସାରିଲେଣି। ମାଘ ସପ୍ତମୀ ଉପଲକ୍ଷେ, ବିଳମ୍ବିତ ରାତ୍ରିରେ କୋଣାର୍କ ଠାରେପୂଜିତ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀ ଐଶାନେଶ୍ୱର ଏବଂ ଶ୍ରୀ ଦକ୍ଷିନେଶ୍ୱର ମହାଦେବ, ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ଏହି ତୀର୍ଥର ପବିତ୍ର ଜଳରେ, ମହାସ୍ନାନ କରାଯାଇଥିଲା । ୩ ଠାକୁରଙ୍କ ସ୍ନାନପରେ ବୁଡ଼ ପକାଇଲେ ସାଧୁ ଓ ଶ୍ରଦ୍ଧାଳୁ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଜଳ ଅର୍ଘ୍ୟ ସହ ବୁଡ଼ ।
ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଚନ୍ଦ୍ରଭାଗାକୁ ଆସିଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚାରିଜଣ ଆଡିସିନାଲ ଏସ୍ପିଙ୍କ ସମେତ ୩୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଚଳିତ ବର୍ଷ ମାଘ ବୁଡକୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରିଣୀ ଖନନ କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବିଭିନ୍ନ ପାର୍କିଂ ସ୍ଥାନ ମାନଙ୍କରେ ବାରିକେଟ ନିର୍ମାଣ ଓ ମେଳା ପଡିଆରେ ଦୁଇଟି ଅସ୍ଥାୟୀ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ, କୋଣାର୍କ ବଜାର ଆଦି ବିଭିନ୍ନ ସ୍ଥାନ ମାନଙ୍କରେ କୋଣାର୍କ ଏନଏଏସି ପକ୍ଷରୁ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଛି।