ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେବ ପରିବର୍ତ୍ତନ । ଦଶମ ଓ ଦ୍ବାଦଶ ପାଇଁ ଏଣିକି ଗୋଟିଏ ବୋର୍ଡ କାର୍ଯ୍ୟ କରିବ । ଆଉ ଆଗକୁ BSE ଓ CHSE ଅଲଗା ଅଲଗା ବୋର୍ଡ ରହିବ ନାହିଁ । CBSE ଢାଞ୍ଚାରେ ଗୋଟେ ବୋର୍ଡ ହିଁ ପରୀକ୍ଷା କରିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ । CHSE କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା । ସିଲାବସ କମିଟି ବି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ।
ସେ ଆହୁରି ମଧ୍ୟ କହିଛନ୍ତି, ୧୮ ବର୍ଷ ଯାଏଁ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ମାଗଣା ଡିଜିଟାଲ ଶିକ୍ଷା ପାଇଁ CHSEକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ CHSEକୁ ୧୦ କୋଟି ଟଙ୍କା ମଧ୍ୟ ଦିଆଯାଇଛି । ଓଡ଼ିଆରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ । ନୂତନ କାର୍ଯ୍ୟାଳୟ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ସରକାର । ୪୪ତମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଡାକ୍ତର ଏନ୍. ଥିରୁମାଲା ନାୟକ ।
ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶ୍ରଣ କରି ଗୋଟିଏ ନୂଆ ଏକକ ବୋର୍ଡ ଗଠନ କରିବା ନେଇ ପ୍ରସ୍ତୁତି ଚାଲିଛି । CBSE ଢାଞ୍ଚାରେ ଏହି ବୋର୍ଡ ଅଧୀନରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ଓ ପରୀକ୍ଷା ପରିଚାଳନା କରାଯିବ । ବୋର୍ଡ ମିଶ୍ରଣ ପାଇଁ ଆଇନର ଚିଠା ପ୍ରସ୍ତୁତି ଚାଲିଛି । ଚିଠା ଆଇନ କାର୍ଯ୍ୟକାରୀ ହେବା ପରେ ନୂଆ ବୋର୍ଡ ଗଠନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆଗକୁ ବଢ଼ିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ।