ଭୁବନେଶ୍ୱର(ପ୍ରଦୀପ ଭାରତୀ): ଦେଶର ୭୦ ପ୍ରତିଶତ ବଉଳା(ଲୁଣାପାଣି) କୁମ୍ଭୀର ରହୁଥିବା ଜାତୀୟ ଉଦ୍ୟାନ ‘ଭିତରକନିକା’ରେ ଏବେ କୁମ୍ଭୀରଙ୍କ ପାଇଁ ଜାଗା ନିଅଣ୍ଟ ପଡ଼ିଲାଣି। ୨୨୦ କିଲୋମିଟର ପରିଧି ମଧ୍ୟରେ ମାତ୍ର ୯୬ଟି କୁମ୍ଭୀରଙ୍କୁ ନେଇ ୧୯୭୫ ମସିହାରେ ଆରମ୍ଭ ହୋଇଥିବା ବଉଳା କୁମ୍ଭୀର ସଂରକ୍ଷଣ ପ୍ରକଳ୍ପରେ ଏବେ କୁମ୍ଭୀରଙ୍କ ସଂଖ୍ୟା ୧୮୦୦ ନିକଟତର ହେଲାଣି। ଏହି ସଂଖ୍ୟା ଓଡ଼ିଶା ସରକାର ଓ ବନ ବିଭାଗ ପାଇଁ ଏକ ବଡ଼ ଉପଲବ୍ଧି ହୋଇଥିଲେ ହେଁ ଏହାକୁ ନେଇ ନୂଆ ନୂଆ ଆହ୍ବାନ ସୃଷ୍ଟି ହେଲାଣି। ପ୍ରତିବର୍ଷ କୁମ୍ଭୀରଙ୍କ ଅଣ୍ଡାଦାନ ଓ ଏଥିରୁ ଛୁଆ ସୃଷ୍ଟି ହେଉଥିବାରୁ ସୀମିତ ସ୍ଥାନ ମଧ୍ୟରେ ଏତେସଂଖ୍ୟକ ବଉଳା କୁମ୍ଭୀରଙ୍କ ରହଣୀ ଆଗାମୀ ଦିନରେ ବଡ଼ ଆହ୍ୱାନ ସୃଷ୍ଟି କରିବାର ଆଶଙ୍କା ରହିଛି। ସେହିପରି ଏତେସଂଖ୍ୟକ କୁମ୍ଭୀରଙ୍କ ଗତିବିଧି ଉପରେ ଲଗାତାର ନଜର ରଖିବା କଷ୍ଟକର ବ୍ୟାପାର ହୋଇଥିବାରୁ ଏମାନଙ୍କ ମଧ୍ୟରୁ କିଛି ଅଭୟାରଣ୍ୟ ସୀମା ଡେଇଁ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରୁଛନ୍ତି। ଫଳରେ କୁମ୍ଭୀର ଆକ୍ରମଣରେ ଗୋରୁଗାଈଙ୍କ ସମେତ ମଣିଷଙ୍କ ଜୀବନ ହାନି ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଉ ଗୋଟିଏ କଥାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ଯେ ପ୍ରତିବର୍ଷ ଭିତରକନିକାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସଂଖ୍ୟକ ଡଙ୍ଗା ନଦୀ ଭିତରକୁ ପଶୁଛି। ଏହା ଉଭୟ କୁମ୍ଭୀରଙ୍କ ମୁକ୍ତ ବିଚରଣରେ ବାଧା ସୃଷ୍ଟି କରୁଛି।
ତଥ୍ୟ ଅନୁଯାୟୀ, ୨୦୧୩ ମସିହାରୁ ଏଯାବତ୍ କୁମ୍ଭୀର ଆକ୍ରମଣରେ ପ୍ରାୟ ୫୦ଜଣଙ୍କ ଜୀବନ ଯାଇଥିବା ବେଳେ ସେଥିମଧ୍ୟରୁ ଚଳିତ ବର୍ଷ କେବଳ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟତଃ କୁମ୍ଭୀରମାନେ ମିଳନ ସମୟରେ ହିଂସ୍ର ହୋଇଉଠନ୍ତି। ଏହାସହ ଖାଦ୍ୟାଭାବ ମଧ୍ୟ ଏଥିପାଇଁ ଅନେକାଂଶରେ ଦାୟୀ। ତେଣୁ ଦୁର୍ବଳ ଶିକାର ମିଳିଲେ, ସେମାନେ ଝାମ୍ପ ମାରିଥା’ନ୍ତି। ୧୯୭୫ ମସିହାରେ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେତେବେଳେ ଏଠାରେ କୁମ୍ଭୀରଙ୍କ ସଂଖ୍ୟା ପାଖାପାଖି ୯୬ଟି ରହିଥିବା ବେଳେ ୧୯୯୫ରେ କୁମ୍ଭୀର ସଂଖ୍ୟା ପ୍ରାୟ ୧୦୦୦ ଅତିକ୍ରମ କରିଥିଲା। ସଂଖ୍ୟାବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଅଣ୍ଡାଦାନ କାର୍ଯ୍ୟକ୍ରମ ବା ଏ ସମ୍ପର୍କିତ ସଂରକ୍ଷଣକୁ ବନ୍ଦ କରାଯାଇଥିଲା। ମାତ୍ର ଏବେ ବି ବିଭାଗ ପକ୍ଷରୁ ବିଭିନ୍ନ ହ୍ୟାଚେରିରେ ଅଣ୍ଡା ସଂରକ୍ଷଣ କରାଯିବା ସହ ଅଣ୍ଡା ଫୁଟିବା ପରେ କୁମ୍ଭୀର ଛୁଆକୁ ବିଭାଗ ପକ୍ଷରୁ ନଦୀରେ ଛଡ଼ାଯାଉଛି। ଏହା କୁମ୍ଭୀରଙ୍କ ସଂଖ୍ୟାବୃଦ୍ଧିରେ ସହାୟକ ହେଉଛି। ବନ ବିଭାଗର ଗଣନା ଅନୁଯାୟୀ, ୨୦୦୦ ମସିହାରେ ଏଠାରେ କୁମ୍ଭୀରଙ୍କ ସଂଖ୍ୟା ୧, ୧୯୨ ହୋଇଥିବା ବେଳେ ଚଳିତ ବର୍ଷ ସୁଦ୍ଧା ଏହା ବୃଦ୍ଧି ପାଇ ୧୭୯୩ରେ ପହଞ୍ଚିଛି।
ଏ ସଂପର୍କରେ ଅବସରପ୍ରାପ୍ତ ବରିଷ୍ଠ ବନ୍ୟପ୍ରାଣୀ ଗବେଷକ ଲାଲା ଏ.କେ ସିଂହ କହିଛନ୍ତି ଯେ ସେତେବେଳେ ସୀମିତ ଜାଗାକୁ ଲକ୍ଷ୍ୟ କରି ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଦେଶରେ ବର୍ତ୍ତମାନ ଭିତରକନିକା, ସୁନ୍ଦରବନ ଓ ଆଣ୍ଡାମାନରେ ହିଁ ଏହି ଲୁଣାପାଣି କୁମ୍ଭୀରଙ୍କ ସଂଖ୍ୟା ସିଂହଭାଗ ରହିଛି। ଏଠାରେ ବହୁ ସୁନ୍ଦର ଭାବେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାରୁ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ଭିତରକନିକାରେ ଅନେକ ସଂଖ୍ୟାରେ ବୋଟ୍ ଚାଳନା ଓ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ କୁମ୍ଭୀରଙ୍କ ଗତିବିଧିରେ ସମସ୍ୟା ସୃଷ୍ଟି ହୋଇଛି ଓ ଏଠାରୁ ଗୋଟିଏ ଦୁଇଟି କୁମ୍ଭୀର ବାହାରକୁ ଚାଲିଯାଇ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ପହଞ୍ଚିଛନ୍ତି। କୁମ୍ଭୀରଙ୍କ ସଂଖ୍ୟା ବଢ଼ିଲେ ଭଲ କଥା। ପ୍ରକଳ୍ପ ଆରମ୍ଭ ବେଳେ କୁମ୍ଭୀର ଚାଷକୁ ନେଇ ଭିନ୍ନ ଲକ୍ଷ୍ୟ ରଖାଯାଇଥିଲା। ସଂଖ୍ୟା ବଢ଼ିଗଲେ କୁମ୍ଭୀର ହତ୍ୟା କରି ତାହାର ଚମଡ଼ା ଓ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ବ୍ୟବସାୟ କାର୍ଯ୍ୟରେ ଲଗାଯାଇଥା’ନ୍ତା। ବିଶେଷ କରି ବିଦେଶରେ ଏହାର ଚାହିଦା ଅଧିକ ଥିବାରୁ ଏହାକୁ ରପ୍ତାନୀ କରାଯାଇ ଭାରତୀୟ ରାଜକୋଷରେ ବିଦେଶୀ ମୁଦ୍ରା ବୃଦ୍ଧି ପାଇଁ ଉଦ୍ଦେଶ୍ୟ ଥିଲା। କିନ୍ତୁ ସେତେବେଳର ସମୟ ଓ ଏବେକା ସମୟ ମଧ୍ୟରେ ବହୁତ ଫରକ୍। ମୁଖ୍ୟତଃ କୁମ୍ଭୀର ବର୍ତ୍ତମାନ ବନ୍ୟପ୍ରାଣୀ ସିଡ୍ୟୁଲ୍-୧ ଅଧୀନରେ ଆସୁଛି, ଯାହାଦ୍ବାରା କୁମ୍ଭୀରଙ୍କୁ ଆଇନତଃ ମରାଯାଇପାରିବ ନାହିଁ। ଅପରପକ୍ଷେ ଆମ ଭାରତୀୟ ସଂସ୍କୃତି ସର୍ବଦା ‘ଜୀବେଦୟା’ ଉପରେ ବିଶ୍ବାସ କରିଆସିଛି। ତେଣୁ କୁମ୍ଭୀରଙ୍କ ସଂଖ୍ୟାବୃଦ୍ଧି ପ୍ରସଙ୍ଗକୁ ପ୍ରକୃତି ଉପରେ ଛାଡ଼ି ଦିଆଯିବା ଉଚିତ।
ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି ଯେ ଏଠାରେ(ଭିତରକନିକା) କେତେ କୁମ୍ଭୀର ରହିପାରିବେ, ତାହା ଜାଣିବା ପାଇଁ ଗବେଷଣାର ଆବଶ୍ୟକତା ରହିଛି। ମାତ୍ର ବର୍ତ୍ତମାନ ହ୍ୟାଚେରିରୁ କୁମ୍ଭୀର ଛାଡ଼ିବା ପ୍ରକ୍ରିୟା ବନ୍ଦ କରିଦିଆଯାଇଛି। ଆଗକୁ ଏକ କିମିଟି ମାଧ୍ୟମରେ ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯିବ ଓ ଯଦି କୁମ୍ଭୀରଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଅଧିକ ଥାଏ, ତେବେ ଆବଶ୍ୟକ ପଦକ୍ଷେପ ନିଆଯିବ।