ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ସ୍ଥିତିରେ ବ୍ୟାପକ ସୁଧାର ଆସିଛି। ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ନାହିଁ ବନ୍ୟା ଆଶଙ୍କା । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଶ୍ରୀ ରାଉତ କହିଛନ୍ତି ଯେ, ଦୁଇ ଦିନ ତଳେ ବନ୍ୟା ସ୍ଥିତି ଶୀର୍ଷରେ ଥିଲା। କିନ୍ତୁ ହୀରାକୁଦ ଡ୍ୟାମରେ ଜଳର ସଠିକ୍ ପରିଚାଳନା ଯୋଗୁଁ ତଳମୁଣ୍ଡରେ ଏକ ବଡ଼ ଧରଣର ବନ୍ୟାକୁ ଏଡ଼ାଇ ଦିଆଯାଇପାରିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ ରହିଥିବାବେଳେ ଉପରମୁଣ୍ଡରୁ ଜଳପ୍ରବାହ କମିଛି। ଗତକାଲି ଡ୍ୟାମର ୨୨ଟି ଗେଟ୍ ଖୋଲା ରହିଥିଲା ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ କୌଣସି ଗେଟ୍ ବନ୍ଦ ହେବାର ସମ୍ଭାବନା ନାହିଁ। ଆଗାମୀ ଅଗଷ୍ଟ ୩ ତାରିଖ ସୁଦ୍ଧା ଜଳଭଣ୍ଡାରର ସ୍ତର ପ୍ରାୟ ୬୧୮ ଫୁଟକୁ ଖସିଆସିବ ବୋଲି ଅନୁମାନ କରାଯାଉଛି।
ଶ୍ରୀ ରାଉତ ସୂଚନା ଦେଇଛନ୍ତି ଯେ ମୁଣ୍ଡଳୀରେ ଏବେ କୌଣସି ବନ୍ୟା ସ୍ଥିତି ନାହିଁ। ତେବେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଲାଗି ରହିପାରେ। ନୂଆ କରି ପ୍ରବଳ ବର୍ଷା ନହେଲେ ମହାନଦୀ ଅବବାହିକାରେ ଆଉ ବନ୍ୟା ଆଶଙ୍କା ନାହିଁ। ଛତିଶଗଡ଼ର କଲମା ବ୍ୟାରେଜ୍ର ଗେଟ୍ ଖୋଲାଯାଇଥିଲେ ମଧ୍ୟ ଓଡ଼ିଶାକୁ ଜଳପ୍ରବାହ କମୁଛି। ଭବିଷ୍ୟତର ବନ୍ୟା ସ୍ଥିତିର ମୁକାବିଲା ପାଇଁ ଆଗାମୀ ତିନି ଦିନ ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛଡାଯାଇ ଖାଲି କରାଯିବ। ଅନ୍ୟପକ୍ଷରେ ବୈତରଣୀ ସମେତ ରାଜ୍ୟର ଅନ୍ୟ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଛି।
ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀବନ୍ଧରେ ୭ଟି ଘାଇ ସୃଷ୍ଟି ହୋଇଥିବା ଇଆଇସି ସୂଚନା ଦେଇଛନ୍ତି। ରାଜ୍ୟ ରିଲିଫ୍ କମିଶନରଙ୍କ ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ମିଳିବାର ଦୁଇ ଦିନ ମଧ୍ୟରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ପରବର୍ତ୍ତୀ ପ୍ରବଳ ବର୍ଷା ଆସିବା ପୂର୍ବରୁ କ୍ଷତିଗ୍ରସ୍ତ ବନ୍ଧଗୁଡ଼ିକର ଅସ୍ଥାୟୀ ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।