ବିଜେପୁର: ନାରୀ ଶବ ସତ୍କାର କରି ପାରିବ ନାହିଁ। କେବଳ ପୁରୁଷ ହିଁ ଏହା କରି ପାରିବ। ପୁରୁଷ ପ୍ରଧାନ ସମାଜର ଏହି ରୁଢିବାଦି ପରମ୍ପରାକୁ ଭାଙ୍ଗି ଦେଇ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସମଲାଇପଦର ନିକଟସ୍ଥ ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମର ସାମାଜିକ କର୍ମୀ ମହିଳାଦ୍ଵୟ ଶବକୁ କାନ୍ଧ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ନିଜର ସମ୍ପର୍କୀୟ ନ ହୋଇ ସୁଦ୍ଧା ଅପରିଚିତ ବୃଦ୍ଧାଙ୍କୁ କାନ୍ଧ ଦେଇ ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।
ସୂଚନା ମୁତାବକ, ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମରେ ଅସହାୟ ଅବସ୍ଥାରେ ଉଦ୍ଧାର ହୋଇ ବାସ କରୁଥିବା ସୂର୍ୟକାନ୍ତି ବରିହା (୭୮)ଙ୍କର ରବିବାର ମୃତ୍ୟୁ ଘଟିଥିଲା। ସେ ବିଗତ ମାସାଧିକ ସମୟ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ଶଯ୍ୟାଶାୟୀ ହୋଇ ପଡି ରହିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ନିବାର କୁମୁରିଆ, ଯଶୋବନ୍ତୀ ପଟେଲ ଏହି ଅପରିଚିତା ବୃଦ୍ଧାଙ୍କୁ କାନ୍ଧ ଦେବାକୁ ଅଣ୍ଟା ଭିଡିଥିଲେ। ଉଭୟେ ଶବକୁ ସାମ୍ନା ପଟରୁ କାନ୍ଧ ଦେଇଥିବାବେଳେ ଜଳନ୍ଧର ପଟେଲ, ସଫେତ ବାରିକ, ବିକାଶ ପଟେଲ ପ୍ରମୁଖ ସହଯୋଗ କରିଥିଲେ। ବୃଦ୍ଧାଶ୍ରମର ଅନତିଦୂରରେ ତାଙ୍କର ସତ୍କାର କରାଯାଇଥିଲା। ଲାଲସାହେବ ବାରିକ, ଉଷା ପୁରି, ମୁକ୍ତି ଭୁଏ, ଅକ୍ଷୟ ବାରିକ, କୁବେର ଭୁଏ ପ୍ରମୁଖ ସହଯୋଗ କରିଥିଲେ। ଶବ ସତ୍କାରରେ ମହିଳାଙ୍କ ଏତାଦୃଶ ସାହସିକ ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରୁ ପ୍ରଂଶସା କରାଯାଇଛି।