ଆରମ୍ଭ ହେଲା ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର:  ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ  । ଜନତା ମଇଦାନରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁଗଯୁଗରୁ ପୁଷ୍ଟିଶସ୍ୟ ବା ମିଲେଟ୍‌ ଆମ ଖାଦ୍ୟପେୟର ଏକ ବିଶେଷ ଅଂଶ ହୋଇ ରହିଆସିଛି । ଓଡ଼ିଶାରେ ଏହାକୁ ବିଶେଷତ ଆଦିବାସୀ ସମ୍ପ୍ରଦାୟର କୃଷକମାନେ ଚାଷ କରି ଆସୁଛନ୍ତି । ସେମାନଙ୍କ ପାଇଁ ଏହି ମୂଲ୍ୟବାନ ଶସ୍ୟ ଆଜି ବି ବଞ୍ଚି ରହିଛି ଓ ବର୍ତ୍ତମାନର ପିଢି ପାଖରେ […]

ଭୁବନେଶ୍ବର:  ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ  । ଜନତା ମଇଦାନରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁଗଯୁଗରୁ ପୁଷ୍ଟିଶସ୍ୟ ବା ମିଲେଟ୍‌ ଆମ ଖାଦ୍ୟପେୟର ଏକ ବିଶେଷ ଅଂଶ ହୋଇ ରହିଆସିଛି । ଓଡ଼ିଶାରେ ଏହାକୁ ବିଶେଷତ ଆଦିବାସୀ ସମ୍ପ୍ରଦାୟର କୃଷକମାନେ ଚାଷ କରି ଆସୁଛନ୍ତି । ସେମାନଙ୍କ ପାଇଁ ଏହି ମୂଲ୍ୟବାନ ଶସ୍ୟ ଆଜି ବି ବଞ୍ଚି ରହିଛି ଓ ବର୍ତ୍ତମାନର ପିଢି ପାଖରେ ପହଞ୍ଚି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ।

ପୁଷ୍ଟିଶସ୍ୟ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୭ରେ ମୋ ସରକାର ଓଡ଼ିଶା ମିଲେଟ ମିଶନର ଶୁଭାରମ୍ଭ କରିଥିଲେ। ଏହି ମିଶନ ଜରିଆରେ ଆମେ ଏସବୁ ପୁଷ୍ଟିକର ଶସ୍ୟକୁ ବର୍ତ୍ତମାନର ଖାଦ୍ୟ ପ୍ରଣାଳୀରେ ଏକ ଅନିର୍ବାଯ୍ୟ ଅଂଶ ଭାବେ ଗ୍ରହଣ କରି ପୁନରୁଦ୍ଧାର କରିବା ଲାଗି ଲକ୍ଷ୍ୟ ରଖିଛୁ । ମିଲେଟ୍‌ ଆମକୁ ଅନେକ ବିଶେଷ ସ୍ଵାସ୍ଥ୍ୟଗତ ସୁବିଧାମାନ ପ୍ରଦାନ କରିଥାଏ । ଜଳବାୟୁ ଅନୁକୂଳ ଏହି ଶସ୍ୟ ଯେକୌଣସି ଜଳବାୟୁ ଏବଂ ଭୂଭାଗରେ ଅମଳ ହୋଇପାରୁଥିବାରୁ କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କୁ ଏହା ବିଶେଷ ଭାବରେ ସାହାଯ୍ୟ କରିଥାଏ । ମିଲେଟ୍‌ ଚାଷରେ ସ୍ଵଳ୍ପ ପାଣି ବ୍ୟବହାର ହେଉଥିବାରୁ ଓ ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଉତ୍ପନ କମ୍ ରହୁଥିବା କାରଣରୁ ଏହା ପରିବେଶ ଅନୁକୂଳ ଅଟେ ।

୨୦୨୩ ମସିହାକୁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ (ମିଲେଟ୍) ବର୍ଷ ଭାବରେ ଘୋଷଣା କରି ମିଳିତ ଜାତିସଂଘ ଓ ଖାଦ୍ୟ ଓ କୃଷି ସଂଗଠନ ବିଶ୍ଵସ୍ତରରେ ଏହି ଶସ୍ୟପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଇ ପାରିଛନ୍ତି ଏବଂ ଏହି ପ୍ରାଚୀନ ଶସ୍ୟ ଆଧୁନିକ ସମୟର ସମସ୍ୟା ଓ ଆହ୍ବାନଗୁଡିକ ଲାଗି ପ୍ରକୃଷ୍ଟ ଉତ୍ତର ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ଏଥିଲାଗି ମୁଁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି । ଏହି ପ୍ରଚେଷ୍ଟାକୁ ଆଉ ପାଦେ ଆଗକୁ ନେବାକୁ ଯାଇ ଓଡିଶାର କୃଷକ, ମିଲେଟୁ ମା’, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଖେଳାଳୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଏଫ.ପି.ଓ, ଉଦ୍ୟୋଗୀ, ଡାକ୍ତର, ହୋଟେଲ ଏବଂ ଅନ୍ୟମାନଙ୍କର ସକ୍ରିୟ ସହଯୋଗରେ ପ୍ରଥମ ମାଣ୍ଡିଆ ଦିବସ ୧୦ ନଭେମ୍ବର ୨୦୨୨ ରୁ ଆରମ୍ଭ କରି ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ( ୯ ଓ ୧୦ ନଭେମ୍ବର ୨୦୨୩) ପର୍ଯ୍ୟନ୍ତ ଏକ ସଫଳ ଯାତ୍ରା ସମ୍ପନ୍ନ କରିବାକୁ ଯାଉଛି ।

ପୁଷ୍ଟିଶସ୍ୟର ପୁନରୁଦ୍ଧାର କରିବା ସହିତ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶା ସରକାର ଉଭୟ ପ୍ରଶାସନ ଓ ସମାଜକୁ ନେଇ ଏକ ସାମଗ୍ରୀକ ଆଭିମୁଖ୍ୟ ଗ୍ରହଣ କରିଛି । ଏହି ମହତ ପ୍ରୟାସ ସହିତ ପ୍ରତ୍ୟେକ ସାଧାରଣ ଲୋକର ଖାଇବା ଥାଳିରେ ମିଲେଟ୍ ଭଳି ଏକ ସର୍ବୋତ୍ତମ ଖାଦ୍ୟ ପହଞ୍ଚାଇବାକୁ ଆମ ରାଜ୍ୟ ସର୍ବୋତ୍ତଭାବେ କାର୍ଯ୍ୟ କରିବ । ମିଲେଟ୍‌ ଓ ମିଲେଟ୍‌ ଭିଭିକ ଉଦ୍ୟୋଗ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଆମର ଉଦ୍ଦେଶ୍ୟ ।

ଆମେ ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ନାଗରିକମାନଙ୍କ ମଧ୍ୟରେ ଏକ ସକରାତ୍ମକ ଦୃଷ୍ଟିକୋଣ ବିକଶିତ କରି ରାଜ୍ୟ ସ୍ଵାସ୍ଥ୍ୟ ସୂଚକାଙ୍କକୁ ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ । ମୁଁ ଆଶା କରୁଛି, ଏହି ଅନନ୍ୟ ଶସ୍ୟ ଆଜିର ସମାଜରେ ତା’ର ଯୋଗ୍ୟ ସ୍ଵୀକୃତି ଫେରିପାଇବ ଏବଂ ସୁସ୍ଥ ଜୀବନଯାପନ କରିବାରେ ଆମ୍ଭମାନଙ୍କୁ ସହାୟକ ହେବ ।

About The Author: The Sakala