ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତାକୁ ଅସମ୍ମାନ ଅଭିଯୋଗ, କ୍ଷୋଭ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି ବିଶେଷ

ଭୁବନେଶ୍ୱର: ପୁନର୍ବିକଶିତ ଓ ନବୀକୃତ ‘କଳିଙ୍ଗ ଷ୍ଟୁଡିଓ’ର ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ନ ହେବାକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ଏହା ରାଜ୍ୟ ଏବଂ ପ୍ରତିଟି ଓଡ଼ିଆଙ୍କ ଅସମ୍ମାନ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ, ବିଧାୟକ ମାନେ ଯୋଗ ଦେଇଥିଲେ, ମାତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିବା ବିଭାଗ ଆରମ୍ଭ ବା ଶେଷରେ ରାଜ୍ୟ ସଂଗୀତ ପରିବେଷଣ କରିବାକୁ ପୁରାପୁରି ଭୂଲଗଲେ। 

ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭା ଅଧିବେଶନ ଏବଂ ସ୍ୱତନ୍ତ୍ର ଭାବେ ଆୟୋଜିତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ବିନା ବାଦ୍ୟରେ ପ୍ରସ୍ତୁତ ସଂସ୍କରଣ ପରିବେଷଣ ବା ଗାନ କରାଯିବାର ନିୟମ ରହିଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସହ ଏହାକୁ ପରିବେଷଣ କରାଯିବ। ଉଦ୍‌ଘାଟନୀ, ଉଦଯାପନୀ ଓ ଉଦ୍‌ବୋଧନୀ ସଙ୍ଗୀତ ଭାବରେ ଏହାକୁ ଗାନ କରାଯିବା ସମୟରେ ସମ୍ମାନ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ଜନତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବାର ନିୟମ ରହିଛି। ମାତ୍ର ଗତକାଲି ଅନୁଷ୍ଠିତ କଳିଙ୍ଗ ଷ୍ଟୁଡ଼ିଓ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହାକୁ ପରିବେଷଣ ନ କରିବା ପଛରେ କେଉଁ ରହସ୍ୟ ରହିଛି ତାହାକୁ ଦର୍ଶକମାନେ ବୁଝିପାରି ନାହାନ୍ତି। 

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ୧୯୧୨ ମସିହାରୁ  ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗାନ କରାଯାଇଥିଲା। ୧୯୩୬ ମସିହା ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେବା ସମୟରୁ ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଙ୍ଗୀତ ଭାବେ ପ୍ରତିଟି ଓଡ଼ିଆ ହୃଦୟରେ ଓ ଭାବନାରେ ରହି ଆସିଛି। ୧୯୯୪ ମସିହା ନଭେମ୍ବର ୭ ତାରିଖରେ ମହାନ୍‌ ଜନନାୟକ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ତଥା ବିଧାନସଭା ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ସଙ୍ଗୀତକୁ ବିଧାନସଭାର ପ୍ରତି ଅଧିବେସନର ଶେଷ ଦିବସରେ ଉଦ୍‌ଯାପନୀ ସଙ୍ଗୀତ ଭାବେ ଗାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୦ ମସିହା ଜୁନ୍‌ ୭ତାରିଖରେ ଓଡ଼ିଶା ସରକାରଙ୍କ କ୍ୟାବିନେଟ୍‌ ବୈଠକରେ ଏହି ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ମାନ୍ୟତା ଦିଆଯାଇଥିଲା। ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ଏହାକୁ ଗାନ କରାଯିବାର ପରମ୍ପରା ରହିଥିଲେ ହେଁ ଗତକାଲି ଏଥିରେ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି ।

About The Author: Madhusudan Das