ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ ବିଜେପି ସରକାର ତାଙ୍କର ସରକାରୀ କଳ ଓ ବଳ ଲଗାଇ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟବ୍ୟାପୀ କ୍ୟାମ୍ପସରେ ନିର୍ବାଚନ ପରିଚାଳନା ଓ ପ୍ରଶାସନର ଭୂମିକା ସନେ୍ଦହ ଘେରରେ ରହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ଓ ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।
BCJD ସଭାପତି ଇପ୍ସିତା ସାହୁ କହିଛନ୍ତି ଯେ, ଛାତ୍ର ସଂଘ ନିର୍ବାଚନକୁ ତରବରିଆ ଭାବେ ଘୋଷଣା କରିବା ନେଇ ବିଜେପି ସରକାରଙ୍କ ସନେ୍ଦହ ଘେରରେ ରହିଛନ୍ତି । ଲିଙ୍ଗଡୋ ଆୟୋଗର ନିଦେ୍ର୍ଦଶାବଳୀକୁ ବିଜେପି ସରକାର ଖୁଲମଖୁଲା ଭାବେ ଉଲ୍ଲଂଘନ କରୁଥିବାର ଅଭିଯୋଗ କରିଛନ୍ତି । ବିଜେପି ସରକାର ରାଜ୍ୟର ଅଧିକାଂଶ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏବିଭିପି ପରାଜୟକୁ ନେଇ ଭୟଭିତ ହୋଇଛନ୍ତି । ତେଣୁ ବିଜେପି ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରି ରାଜନୈତିକ ହସ୍ତକ୍ଷେପ କରୁଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟରେ ଏହିପରି କାର୍ଯ୍ୟକଳାପ ନେଇ ଏକ ଅଡିଓ ଟେପ୍ ଭାଇରାଲ ହୋଇଛି । ଯେଉଁଥିରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନରେ ରମାଦେବୀ ବିଶ୍ୱବିଦ୍ୟାଳୟ ବିଜେପି ସରକାରଙ୍କ ଦଖଲ ନିହାତି ଭାବେ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକ । ସେଠାରେ ଏବିଭିପି ପ୍ରାର୍ଥୀଙ୍କୁ ଯେକୌଣସି ମୂଲ୍ୟରେ ବିଜୟ କରାଇ ନିଜ ଦଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ରହିଛି । ଯାହାକୁ ନେଇ ଛାତ୍ର ସଂସଦ ନିର୍ବାଚନରେ ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଟଙ୍କାର ବର୍ଷା କରୁଛନ୍ତି ବୋଲି ରମାଦେବୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ସଞ୍ଜୟ ରାଉଳ କହିଥିବାର ଅଡିଓ ଭାଇରାଲ ହେଉଛି ।
ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଛି । ବିଜେପି ସରକାରରେ ନାରୀ ଅସୁରକ୍ଷିତ ହୋଇ ପଡିଛନ୍ତି । ବିଜେପି ସରକାର ତାହାକୁ ଲୁଚାଇବା ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟର ନିର୍ବାଚନ ସାହାରା ନେଇଛନ୍ତି । ଛାତ୍ର ସଂସଦ ନିର୍ବାଚନ ବିଜୟ ପାଇଁ ବିଜେପି ସରକାର କୂଳପତି ଓ ଅଧ୍ୟକ୍ଷ ମାନଙ୍କୁ ଫୋନ କରି ସପକ୍ଷରେ ଭୋଟ କରିବା ପାଇଁ ଲାଗି ପଡିଛନ୍ତି । ଯାହାକୁ ନେଇ ଉକ୍ତ ପ୍ରାଧ୍ୟାପକ ମଧ୍ୟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମାନଙ୍କ ତଥ୍ୟ ସଂଗ୍ରହ କରି ବିଜେପି ସରକାରଙ୍କୁ ପ୍ରଦାନ କରୁଛନ୍ତି । ବିଜେପି ସରକାରଙ୍କ ଗୁଡ ବୁକରେ ରହିବା ପାଇଁ ସେ ଲାଗି ପଡିଛନ୍ତି । ବିଜେପି ସରକାରଙ୍କୁ ଯଦି ଛାତ୍ର ସଂସଦ ନିର୍ବାଚନ ପରାଜୟ ଭୟ ରହିଛି, ତେବେ ନିର୍ବାଚନ କରୁଛ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ପରାଜୟ ଭୟରେ ବିଜେପି ହିଂସାକୁ ପ୍ରୋତ୍ସାହିତ କରିଛି । ଶିକ୍ଷକ ଓ ସରକାରୀ କର୍ମଚାରୀ ମାନଙ୍କୁ ବ୍ୟବହାର କରି, ଭୋଟ ଚୋରି ଓ ପ୍ରାର୍ଥୀ ଚୋରି କରୁଛନ୍ତି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚାଙ୍କୁ ଜିତାଇବା ପାଇଁ ସରକାରୀ କଳ ଓ ବଳ ଲାଗି ପଡିଛନ୍ତି ।
ସେହିପରି ନୟାଗଡ଼ କଲେଜରେ ପ୍ରାର୍ଥୀ ପତ୍ର ଦାଖଲ ପରେ ଯାଞ୍ଚ୍ ତାଲିକା ଆସିଥିଲା । କିନ୍ତୁ ତାହାକୁ ଘୋଷଣା ପୂର୍ବରୁ ଜିଲ୍ଲାପାଳ ଫୋନ କରି ବୁଝିଥିଲେ । ବିସିଜେଡି ପ୍ରାର୍ଥୀ ମାନେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହେଉଥିଲେ । ଯାହାକୁ ଜାଣିବା ପରେ ସେଠାରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଘୋଷଣା କରାଯାଇଥିଲା । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ପ୍ରାର୍ଥୀ ବିଜୟ ସମ୍ଭାବନା ନଥିଲେ । ବିଜେପି ସରକାର ପ୍ରଶାସନିକ ହସ୍ତକ୍ଷେପ କରି ବିନା ଗଣ୍ଡଗୋଳରେ ନିର୍ବାଚନକୁ ବାତିଲ କରାଉଛନ୍ତି । ବିଜେପି ସରକାର ଛାତ୍ରଛାତ୍ରୀ ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ଯାହାକି ଅତି ନିନ୍ଦନୀୟ । ଯେଉଁଠି ବିସିଜେଡି ବିଜୟ ସମ୍ଭାବନା ରହିଛି ସେଠାରେ ସରକାରୀ କଳ ଓ ବଳ ଲଗାଇ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଉଛନ୍ତି । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ପ୍ରାର୍ଥୀଙ୍କ ପାଇଁ ଅଧ୍ୟାପକ ଓ ଅଧ୍ୟାପିକା ମାନେ କ୍ୟାମ୍ପେନ କରୁଛନ୍ତି ।
ହ୍ୱାଟ୍ସଅପ୍ ଗ୍ରୁପରେ କ୍ୟାମ୍ପେନ ନେଇ ଫଟୋ ମଧ୍ୟ ଭାଇରାଲ ହୋଇଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ବିଜେପି ବିଧାୟକ ମାନସ ଦତ୍ତ ଓ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଲିଙ୍ଗଡୋ କମିଶନଙ୍କ ନିୟମକୁ ଖୁଲମଖୁଲା ଭାବେ ଅବମାନନା କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ସାମିଲ ହୋଇ ଏବିଭିପି ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିଛନ୍ତି । ପିପିଲି କଲେଜରେ ବିଜେପି ଗୁଣ୍ଡା ମାନେ ପ୍ରାର୍ଥୀଙ୍କୁ ଉଠାଇ ନେଇ ଭୟଭୀତ କରାଇବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏହିପରି ରାଜ୍ୟ ବ୍ୟାପୀ ବିଜେପି ସରକାରଙ୍କ ମନଇଚ୍ଛା ଛାତ୍ର ସଂସଦ ନିର୍ବାଚନ ଜାରି ରହିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟ ରାଜ୍ୟ ସରକାରଙ୍କ ହାତ ବାରିସି ସାଜି ନିଦେ୍ର୍ଦଶ ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ବିସିଜେଡି ପ୍ରାର୍ଥୀ ମାନେ ରାଜ୍ୟର ୧୦୦ଟି ମହାବିଦ୍ୟାଳୟରେ ବିଜୟୀ ହୋଇସାରିଛନ୍ତି । ବିଜେପି ସରକାର ସମସ୍ତ ଅବୈଧ ପଦକ୍ଷେପ ସତ୍ତ୍ୱେ ବିସିଜେଡି ପ୍ରାର୍ଥୀ ମାନେ ବିପୁଳ ଭୋଟରେ ଜିତିବେ ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ବିଜେପି ସରକାର ଅଗଣତାନ୍ତ୍ରିକ ଉପାୟରେ ଛଡାଇ ନେବାକୁ ଲାଗିଛି । କିନ୍ତୁ ବିଜେପି ସରକାରଙ୍କ ପରାଜୟ ନିଶ୍ଚିତ ହେବ ।
ଡ଼ ମହାନ୍ତି କହିଛନ୍ତି ଯେ, ବିଜେପି ସରକାର ଓଡ଼ିଶା ବାସୀଙ୍କ ପାଇଁ କାଳ ସାଜିଛି । ଏବେ ଛାତ୍ର ସଂସଦ ନିର୍ବାଚନକୁ ଅଗଣତାନ୍ତ୍ରିକ ଉପାୟରେ ବିଜୟ ହାସଲ କରିବା ପାଇଁ ଲାଗି ପଡ଼ିଛନ୍ତି । ଏମଏମଡିଆର ଭଳି କଳା ଆଇନ, ପାଠ୍ୟପୁସ୍ତକରେ ୧୮୦୦ରୁ ଅଧିକ ତ୍ରୁଟି ଉପରେ ଜନରୋଷକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଛାତ୍ର ସଂଘ ନିର୍ବାଚନ ଘୋଷଣା କରିଛନ୍ତି । ଓଡ଼ିଶା ବାସୀଙ୍କୁ ମୁହଁ ଦେଖାଇବା ପାଇଁ ବିଜେପି ସରକାରଙ୍କ ପାଖରେ ଆଉ ସାହସ ନାହିଁ । ଜେନ-ଜି ମାନେ ବିଜେପି ସରକାର ବିମୁଖ ହୋଇଛନ୍ତି । ଏହାକୁ ଏଡାଇ ଦେବାକୁ ଛାତ୍ର ସଂସଦ ନିର୍ବାଚନର ସାହାରା ନେଇଛନ୍ତି । ତେଣୁକରି ବିଜେପି ସରକାର ତରବରିଆ ଭାବେ ନିର୍ବାଚନ ଘୋଷଣା କରିଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ ସଞ୍ଜୟ ରାଉଳ ଛାତ୍ରୀ ମାନଙ୍କ ଗୋପନୀୟ ରେକର୍ଡ ସଂଗ୍ରହ କରିବାକୁ ଚେଷ୍ଟା କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ଉଲ୍ଲେଖ କରିଛନ୍ତି । ଏହା ଗୁରୁତର ବିଷୟ । ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବିଜେପି ଏ ବିଷୟରେ ସ୍ପଷ୍ଟୀକରଣ ଦେବା ଉଚିତ ।
ଲିଙ୍ଗଡୋ ଆୟୋଗର ନିୟମ ବାହାରେ ଟଙ୍କା ବ୍ୟବହାର ହେଉଛି । ଏହା ସମ୍ପୂର୍ଣ୍ଣ ଭାବେ ବୈଧ ନିର୍ବାଚନ କି ପ୍ରଶ୍ନ କରିଛନ୍ତି । ସହକାରୀ ପ୍ରଫେସର ଡକ୍ଟର ସଞ୍ଜୟ ରାଉଳଙ୍କୁ ନିଲମ୍ୱିତ କରି ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ । ବିଜେପି ସରକାର ପରାଜୟର ଭୟରେ ସମସ୍ତ କୁତ୍ସିତ ପନ୍ଥା ଅବଲମ୍ୱନ କରୁଛନ୍ତି । ବିପୁଳ ପାଣ୍ଠି ଖର୍ଚ୍ଚ କରାଯାଉଛି ଏବଂ ଶାସକ ଦଳର ପ୍ରାର୍ଥୀଙ୍କୁ ସୁବିଧା ଦେବା ପାଇଁ ଅପରାଧୀ ମାନଙ୍କୁ ବ୍ୟବହାର କରାଯାଉଛି । ଏନେଇ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଛାତ୍ର ସଂସଦ ନିର୍ବାଚନରେ ଏହିପରି ରାଜନୀତିକ ହସ୍ତକ୍ଷେପ ଛାତ୍ର ନିର୍ବାଚନ ପାଇଁ ଏକ କଳା ଦିନ । ଯାହାକି ଅତି ନିନ୍ଦନୀୟ ବୋଲି ଡ. ମହାନ୍ତି କହିଛନ୍ତି ।