କାଲି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି ଟଙ୍କା, ଉପକୃତ ହେବେ ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ

ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୭୦୭.୮୬ କୋଟି ଟଙ୍କା ହସ୍ତାନ୍ତର କରାଯିବ। ଶୁକ୍ରବାର ‘ପିଏମ କିଷାନ ଉତ୍ସବ ଦିବସ’ ଅବସରରେ ଏହି ବୃହତ ପାଣ୍ଠି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ପ୍ରେରଣ କରାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ଓୟୁଏଟି (OUAT) କୃଷି ଶିକ୍ଷା ସଦନ ପରିସରରେ ଶୁକ୍ରବାର ପୂର୍ବାହ୍ନ ୯ଟାରେ ଏକ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିବେ। ଏହି ଯୋଜନା ଅଧୀନରେ ରାଜ୍ୟର ସମୁଦାୟ ୩୫,୩୯,୨୯୭ ଜଣ ପଞ୍ଜୀକୃତ ଚାଷୀଙ୍କୁ ୭୦୭,୮୫,୯୪,୦୦୦ ଟଙ୍କା ପ୍ରଦାନ କରାଯିବ।

ଜାତୀୟ ସ୍ତରରେ ଏହି କାର୍ଯ୍ୟକ୍ରମ ଗୁଜରାଟର ବନସକାଣ୍ଠା ଜିଲ୍ଲାରେ ଆୟୋଜନ କରାଯାଇଛି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମଗ୍ର ଦେଶର ଯୋଗ୍ୟ ଚାଷୀମାନଙ୍କ ପାଇଁ ଏହି କିସ୍ତି ଅର୍ଥ ରାଶି ଜାରି କରିବେ। କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ସହାୟତା ରାଶି ପାଇ ଚାଷୀମାନେ ନିଜ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଖର୍ଚ୍ଚ ସହଜରେ ତୁଲାଇ ପାରିବେ।

About The Author: Madhusudan Das