ଆଜିଠୁ ୩ ଦିନ ତାତିରେ ଜଳିବ ଓଡ଼ିଶା : ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ହିଟୱେଭ ଆଲର୍ଟ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଗତକାଲିଠୁ ତାପମାତ୍ରା ୪୦ ଡିଗ୍ରି ଟପିଛି। ଗୁରୁବାର ଝାରସୁଗୁଡାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। ଝାରସୁଗୁଡ଼ା ସମେତ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ତେବେ ୨୮ରୁ ୩୦ ତାରିଖ ଯାଏଁ ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ। ଏଥିପାଇଁ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ହିଟ ୱେଭ […]

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଗତକାଲିଠୁ ତାପମାତ୍ରା ୪୦ ଡିଗ୍ରି ଟପିଛି। ଗୁରୁବାର ଝାରସୁଗୁଡାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। ଝାରସୁଗୁଡ଼ା ସମେତ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ତେବେ ୨୮ରୁ ୩୦ ତାରିଖ ଯାଏଁ ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ। ଏଥିପାଇଁ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ହିଟ ୱେଭ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ ଗୁରବାର ସମ୍ୱଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୦.୧, ବଲାଙ୍ଗୀରରେ ୪୦.୮, ଟିଟିଲାଗଡରେ ୪୦ ଡିଗ୍ରୀ, ସୋନପୁରରେ ୪୦.୨, ବୌଦ୍ଧରେ ୪୦.୫, ପାରଳାଖେମୁଣ୍ଡିରେ ୪୦ ଜିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ମାର୍ଚ୍ଚ ୨୮ ତାରିଖ ପାଇଁ ସମ୍ୱଲପୁର ଏବଂ ବୌଦ୍ଧ ଜିଲ୍ଲାରେ ହିଟ ୱେଭ ସ୍ଥିତି ଅନୁଭୂତ ହୋଇପାରେ। ସେଥିପାଇଁ ଉପରୋକ୍ତ ଜିଲ୍ଲା ଦ୍ୱୟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯ ତାରିଖରେ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ହିଟ ୱେଭ ସମ୍ଭାବନା ରହିଥିବା ବେଳେ ଉପରୋକ୍ତ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖରେ ତାପମାତ୍ରାର ପ୍ରକୋପ ଆହୁରି ବଢ଼ିବ। ରବିବାର ଝାରସୁଗୁଡ. ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ବରଗଡ ଓ ସୁନ୍ଦରଗଡରେ ହିଟ ୱେଭ ପରିସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଉପରୋକ୍ତ ଜିଲ୍ଲାଗୁଡ଼ିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଏହାପରଠାରୁ ତାପମାତ୍ରା କମିବାକୁ ଥିବାବେଳେ ଏପ୍ରିଲ ୨ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

About The Author: The Sakala