ନୂଆଦିଲ୍ଲୀ/କଟକ: ଜାମିନ ପ୍ରଦାନ କରିବା ସମୟରେ ଓଡ଼ିଶାର ବିଭିନ୍ନ କୋର୍ଟ ଯେଭଳି ଜାତି ଭିତ୍ତିକ ସର୍ତ୍ତ ଆରୋପ କରୁଛନ୍ତି ତାହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ । ଏଭଳି ସର୍ତ୍ତକୁ ଅସମ୍ମାନଜନକ ଓ ଅମାନବୀୟ ଦର୍ଶାଇ ଅସିଦ୍ଧ ଘୋଷଣା କରିଛନ୍ତି । ଏହା ମାନବାଧିକାରର ଉଲ୍ଳଂଘନ କରୁଥିବାରୁ ଭବିଷ୍ୟତରେ ଏଭଳି ସର୍ତ୍ତ ଆରୋପ ନଲଗାଇବା ଲାଗି ଦେଶର ସମସ୍ତ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ଦଳିତ ଓ ଆଦିବାସୀ ସଂପ୍ରଦାୟର ଲୋକମାନଙ୍କୁ ଜାମିନ ପ୍ରଦାନ କରିବା ସମୟରେ ଓଡ଼ିଶାର ଅନେକ ଅଦାଲତ ପୁଲିସ ଥାନାରେ ଦୁଇ ମାସ ପାଇଁ ଝାଡ଼ୁ ଲଗାଇବା ଲାଗି ଯେଉଁ ସର୍ତ୍ତ ଆରୋପ କରୁଛନ୍ତି ତାହାର ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମ କୋର୍ଟ ।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ବେଞ୍ଚ ଏକ ମାମଲାର ଶୁଣାଣି ବେଳେ ଏଭଳି ସର୍ତ୍ତ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି । କୋର୍ଟ କହିଛନ୍ତି ଏଭଳି ସର୍ତ୍ତ କେବଳ ଅସମ୍ମାନଜନକ ଓ ଅପମାନଜନକ ନୁହେଁ, ଏହା ମାନବାଧିକାର ମଧ୍ୟ ଉଲ୍ଲଂଘନ କରୁଛି । ଜାତିଭିତ୍ତିକ ସର୍ତ୍ତ ଆରୋପ କରି କୋର୍ଟ ଯେଉଁ ମାନସିକତାର ପ୍ରଦର୍ଶନ କରୁଛନ୍ତି ତାହା ସମ୍ବିଧାନ ସୁନିଶ୍ଚିତ କରିଥିବା ସମାନତା ଓ ଅଭିଯୁକ୍ତର ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି । ଏଭଳି ସର୍ତ୍ତରୁ ଜଣାପଡ଼ୁଛି ଯେ ବିଚାର ବିଭାଗରେ ମଧ୍ୟ ଜାତିଭିତ୍ତିକ ମାନସିକତା ରହିଛି । କାରଣ ଏଭଳି ସର୍ତ୍ତ ଅନ୍ୟ କୌଣସି ଜାତି/ସଂପ୍ରଦାୟର ଅଭିଯୁକ୍ତଙ୍କ ବିରୋଧରେ ପ୍ରୟୋଗ କରାଯିବାର ଦୃଷ୍ଟାନ୍ତ ନାହିଁ । ସମ୍ବିଧାନର ଧାରା ୧୪, ୧୬ ଓ ୧୭ର ଉଲ୍ଲେଖ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ ସମ୍ବେଦନଶୀଳ ସଂପ୍ରଦାୟର ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା ହେଉଛି ବିଚାର ବିଭାଗର ଦାୟିତ୍ବ ।
ଦଳିତ ଓ ଆଦିବାସୀ ସଂପ୍ରଦାୟର ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ବେଳେ ଥାନା ସଫା କରିବା ଭଳି ଜାମିନ ସର୍ତ୍ତ ରଖାଯାଉଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ନିଜ ଆଡ଼ୁ ବିଚାର କରି ସୁପ୍ରିମ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ୨୦୨୫ରେ ଓଡ଼ିଶା ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ସମୟରେ ତାଙ୍କୁ କାଶିପୁର ଥାନାରେ ଦୁଇ ମାସ ପର୍ଯ୍ୟନ୍ତ ଝାଡ଼ୁ ମାରିବାକୁ ସର୍ତ୍ତ ଆରୋପ କରିଥିଲେ । ରାୟଗଡ଼ା ଜିଲ୍ଲାରେ ମଧ୍ୟ ବିଭିନ୍ନ କୋର୍ଟ ଏଭଳି ଜାମିନ ସର୍ତ୍ତ ଆରୋପ କରିଥିବା ଦର୍ଶାଯାଇଥିଲା । ଖଣି ବିରୋଧୀ ଆନ୍ଦୋଳନରେ ସାମିଲ ଦଳିତ ଓ ଆଦିବାସୀ ଲୋକଙ୍କୁ ଜାମିନ ପ୍ରଦାନ କରିବା ସମୟରେ ୨୦୨୫ରୁ ୨୦୨୬ ମଧ୍ୟରେ ୮ଟି ମାମଲାରେ ଏଭଳି ସର୍ତ୍ତ ଆରୋପ କରାଯାଇଥିଲା ।