ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଗତକାଲି ରାତି ୨ଟା ୫୦ ମିନିଟ୍ରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ସଅଳ ନୀତି ଯୋଗୁ ସୁନା ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ପୁରୀରେ ଭକ୍ତଙ୍କ ଭିଡ଼ ଲାଗିଛି। ଦିନ ୨ଟା ୩୮ ପର୍ଯ୍ୟନ୍ତ ଦର୍ଶନ କରିପାରିବାର ସୌଭାଗ୍ୟ ପାଇବେ ଭକ୍ତ । ଧର୍ମ ମାସ କାର୍ତ୍ତିକର ଆଜି ଅନ୍ତିମ ଦିବସ ଥିବାରୁ ଶ୍ରୀକ୍ଷେତ୍ରରେ ମହୋଦଧି ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀ ମାନଙ୍କରେ ଡଙ୍ଗା ଭସାଇବା ପାଇଁ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।
ତେବେ ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଭୋର ସମୟରୁ ୫ଟା୫୪ ମଧ୍ୟରେ ଭକ୍ତ ମାନେ ଡଙ୍ଗା ଭସାଇବା ନୀତି ଶେଷ କରି ବ୍ରତ ଉଦଯାପିତ କରିଥିଲେ । ତେବେ ଗ୍ରହଣକୁ ନେଇ ଶ୍ରୀମନ୍ଦିର ରାତ୍ର ୧୨ଟା ୮ରୁ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବା ସହିତ ପରେ ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ଅବକାଶ ସାରି ଶ୍ରୀଜିଉଙ୍କୁ ରାଜାଧିରାଜ ବା ସୁନାବେଶରେ ଭୂଷିତ କରାଯାଇଥିଲା । ବେଶ ପରେ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳଧୂପ ଓ ଭୋଗ ମଣ୍ଡପ ନୀତି ଶେଷ କରାଯାଇଥିଲା । ଅନ୍ୟପକ୍ଷରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ନୀତି ଅନୁସାରେ ଶ୍ରୀଜିଉଙ୍କ ଦେବନୀତି ଆରମ୍ଭ କରାଯିବା ସହ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ଆଦି କରାଯିବ ।
ଅନ୍ୟପଟେ ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜଳାଶୟରେ ଲୋକ ଡଙ୍ଗା ଭସାଇଛନ୍ତି । ନଦୀ, ପୁଷ୍କରିଣୀରେ ଡଙ୍ଗା ଭସାଇଛନ୍ତି ଲୋକ । କରୋନା ଯୋଗୁ ଦୁଇ ବର୍ଷ ହେବ ବୋଇତ ବନ୍ଦାଣ ବନ୍ଦ ରହିଥିଲା । ପୂର୍ବରୁ ବୋଇତ ଯାତ୍ରାରେ ଦୂର ଦେଶକୁ ଯାଉଥିଲେ ସାଧବ ପୁଅ । ସେମାନଙ୍କର ଗୌରବମୟ ଗାଥାର ସ୍ମତି ଚାରଣ କରି ଆଜି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି ।