ସୁବର୍ଣ୍ଣପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଦୈନିକ ବଜାରରେ ପାରମ୍ପରିକ ଖାଦ୍ୟ ପୂର୍ନୀ କନ୍ଦାର ବହୁତ ଚାହିଦା ରହିଛି। ପଦ୍ମଫୁଲ ଏକ ଜଳଜ ଉଦ୍ଭିଦ ହୋଇଥିବା ବେଳେ ଏହାର ଯେଉଁ ଅଂଶ ମାଟି ଭିତରେ ଥାଏ ତାହାକୁ ପୂର୍ନୀ କନ୍ଦା କୁହାଯାଏ।
ଗ୍ରୀଷ୍ମ ଋତୁରେ ଯେଉଁ ପଦ୍ମ ପୋଖରୀ ଶୁଖିଯାଏ, ସେଠାରେ ମାଟି ଖୋଳି ଏହାକୁ ସଂଗ୍ରହ କରାଯାଏ। ପ୍ରାୟ ଏକ ଇଞ୍ଚରୁ ଦେଢ଼ ଇଞ୍ଚ ବ୍ୟାସ ବିଶିଷ୍ଟ ଟ୍ୟୁବ୍ ଆକୃତି ଇଷତ ମାଟିଆ ରଙ୍ଗର ଏହି ଲମ୍ୱାଳିଆ ପଦାର୍ଥ ଖାଦ୍ୟ ରୂପରେ ମଧ୍ୟ ବ୍ୟବହାର କରାଯାଏ। କିଛି ଲୋକ ଏହାକୁ କଞ୍ଚାରେ ଚୋବାଇ ଖାଆନ୍ତି। ଖରାଦିନେ ଖାଇଲେ ପେଟ ଥଣ୍ଡା ରହେ। ସ୍ଥାନୀୟ ବଜାରରେ ପ୍ରାୟ ୧ ଫୁଟ ଲମ୍ୱର ୬ ରୁ ୭ ଖଣ୍ଡ ପୂରନୀ କନ୍ଦା ବିଡା ପ୍ରତି ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଯାହାର କେଜି ପ୍ରତି ୩୦୦ ଟାଙ୍କ ମୂଲ୍ୟରେ ବିକ୍ରି ହେଉଛି।ଏହା ପଡୋଶୀ ଜିଲ୍ଲାକୁ ମଧ୍ୟ ସ୍ଥାନୀୟ ବଜାରରୁ ବେପାରୀମାନେ ଆସି ବିକ୍ରି ପାଇଁ ନେଇଥାନ୍ତି।
ଗ୍ରୀଷ୍ମ ଋତୁରେ ଆରମ୍ଭରେ ଗାଡିଆ ପୋଖରୀ ପାଣି ଶୁଖିଯିବା ପରେ କନ୍ଦା ମିଳିବା ଆରମ୍ଭ ହୋଇଥାଏ। ଗ୍ରୀଷ୍ମ ଋତୁରେ ଶେଷ ଆଡକୁ ଏହା ଅପେକ୍ଷାକୃତ ଅଧିକ ପରିମାଣରେ ମିଳିଥାଏ। ଫଳରେ ସଂଗ୍ରାହକାରୀଙ୍କ ଭଲ ରୋଜଗାର ମାଧ୍ୟମ ପାଲଟିଛି। ଏହା ସଂଗ୍ରହ କରି ବିକ୍ରି କରି ତିନି ମାସର ଗଜୁରାଣ୍ଟ ମେଣ୍ଟାଇଥାନ୍ତି। ଏହାକୁ ଧନୀ ଓ ଗରିବ ସମସ୍ତେ ଖାଦ୍ୟ ରୂପେ ପ୍ରଚୁର ପରିମାଣରେ କିଣି ଥାନ୍ତି।
ଏହାକୁ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର କୈଶଳର ଆବଶ୍ୟକତା ରହିଥାଏ। ପଦ୍ମପୋଖରୀ ଶୁଖି ଯିବା ପରେ କୁଶଳୀ ଲୋକେ ମାଟି ଭିତରୁ କନ୍ଦା ଖୋଳି ବାହାର କରନ୍ତି। ତାପରେ ଭଲ ଭାବେ ଧୋଇ ନିର୍ଦ୍ଦିଷ୍ଟ ଦୈର୍ଘ୍ୟରେ କାଟି ବିଡାବାନ୍ଧି ସ୍ଥାନୀୟ ବଜାରରେ ବିକ୍ରି କରନ୍ତି।ଏହା ଏକ ପାରମ୍ପାରିକ ଜୈବିକ ଖାଦ୍ୟ ଭାବେ ପରିଚିତ ହୋଇଛି। ସମ୍ପୂର୍ଣ୍ଣ ପ୍ରାକୃତିକ ଢଙ୍ଗରେ ସୃଷ୍ଟି ହେଉଥିବା ଏହି ଋତୁକାଳୀନ ଖାଦ୍ୟ କୃତ୍ରିମ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ପ୍ରାୟତଃ ଆସିନଥାଏ। ଏହାର ଲଭ୍ୟତା ବହୁତ କମ୍ ଥିବା ସ୍ଥଳେ ଏହାର ବ୍ୟଞ୍ଜନ କୌଣସି ହୋଟେଲରେ ମିଳେ ନାହିଁ।ଦେଶୀ ତଥା ସୌଖିନ ଖାଦ୍ୟ ପ୍ରିୟ ଲୋକେ ଏହାକୁ ରୋଷେଇ କରି ସ୍ୱାଦିଷ୍ଟ ବ୍ୟଞ୍ଜନ ଭାବେ ମୁଖ୍ୟ ଖାଦ୍ୟ ସହିତ ଗ୍ରହଣ କରିଥାନ୍ତି। ସ୍ଥଳ ବିଶେଷରେ ଯଦିଓ ଏହାକୁ ଘାଣ୍ଟ ତରକାରୀ ବା ଦେଶୀ ମୁଗଡାଲିରେ ବ୍ୟବହାର କରାଯାଏ ତଥାପି ଅଧିକାଂଶ ଲୋକ ପୂରନୀ କନ୍ଦା ଭଜା ଖାଇବାକୁ ବିଶେଷ ପସନ୍ଦ କରିଥାନ୍ତି। ଗୋଲାକାର ଆକୃତିରେ ଛୋଟ ଛୋଟ କଟାଯାଇ ଥିବା ପୂରନୀ କନ୍ଦା ପତଳା ପିଠଉ ଗୋଳେଇ ତାୱାରେ ଅନ୍ୟ ଭଜା ଭଳି ଘରେ ରୋଷେଇ କରି ଏହା ଖିଆଯାଏ। ବର୍ତ୍ତମାନ ଜୈବିକ ଏବଂ ପାରମ୍ପରିକ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢୁଥିବା ବେଳେ ପୂରନୀକନ୍ଦା ପ୍ରତି ମଧ୍ୟ ଲୋକଙ୍କ ଆଦର ଢେର ବଢୁଛି।