ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ‘ଚିଫ୍ ମିନିଷ୍ଟର୍ସ ସ୍କିମ୍ ଫର ରିମ୍ବର୍ସମେଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ ଟୁ ଏମ୍ଏସ୍ଏମଇ (ସିଏମ୍-ଏସ୍ଆରଆଇଏମ୍) ଯୋଜନା। ଏହି ଯୋଜନା ଅଧିନରେ ଉତ୍ପାଦନ ଆରମ୍ଭ କରିଥିବା ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକୁ ସରକାର ଚାରିଟି ବର୍ଗରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ଆଜି ଏ ସମ୍ପର୍କରେ ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଉତ୍ପାଦନ ଆରମ୍ଭ କରିଥିବା ୟୁନିଟ୍ ଗୁଡିକ ଆର୍ଥିକ ପ୍ରୋତ୍ସାହନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।
କାର୍ଯ୍ୟଶୈଳୀ ପୁଞ୍ଜିଋଣ ଉପରେ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୧୦୦% ଅର୍ଥ ଫେରସ୍ତ ଦିଆଯିବ। ସେହିପରି ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଋଣ କରିଥିବା ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକୁ ସରକାର ୭୫% ଅର୍ଥ ଫେରସ୍ତ ଦେବେ। ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ଋଣକରି କାମ ଆରମ୍ଭ କରିଥିବା କମ୍ପାନୀଙ୍କୁ ୫୦% ଏବଂ ୧ କୋଟିରୁ ୩ କୋଟି ଟଙ୍କା ଋଣ ଉପରେ ୨୫% ଅର୍ଥ ଫେରସ୍ତ ମିଳିବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରିକରାଯିବ ବୋଲି କୁହାଯାଇଛି। ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକୁ ବ୍ୟାଙ୍କ ଋଣ ଉପରେ ସବ୍ସିଡି ପ୍ରଦାନ କରିବା ପାଇଁ ଗତ ବଜେଟ ଅଧିବେସନରେ ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ। ଏହି କ୍ରମରେ ସେମାନଙ୍କୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ (ୱାର୍କିଂ କ୍ୟାପିଟାଲ) ଉପରେ ୨୫%ରୁ ୧୦୦% ପର୍ଯ୍ୟନ୍ତ ସବ୍ସିଡି ମିଳିବ ବେଲି କୁହାଯାଇ ଥିଲା। ଏବାବଦରେ ରାଜ୍ୟ ସରକାର ଏମ୍ଏସ୍ଏମ୍ଇ ୟୁନିଟ୍କୁ ୧୫୦ କୋଟିରୁ ୨୦୦ କୋଟି ଟଙ୍କା ଦେବେ।
ବୃହତ ଶିଳ୍ପାନୁଷ୍ଠାନ ତୁଳନାରେ ଏମ୍ଏସ୍ଏମ୍ଇ କ୍ଷେତ୍ର ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ଦେଶ ଓ ରାଜ୍ୟର ଆର୍ଥିକ ବିକାଶରେ ଏମ୍ଏସ୍ଏମ୍ଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ମହତ୍ୱାକାଂକ୍ଷୀ ପଦକ୍ଷେପ ନେଇଛନ୍ତି। ଗତବର୍ଷ ଡିସେମ୍ବରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ବିକାଶ ନୀତି-୨୦୨୨କୁ ଅନୁମୋଦନ କରାଯାଇଛି। ଏହି ନୀତି ଏମ୍ଏସ୍ଏମ୍ଇର ପ୍ରଗତି ନିମନ୍ତେ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଘୋଷଣା କରୁଛି ଯାହା ଏହି ଉଦ୍ୟୋଗର ଅଭିବୃଦ୍ଧି କରିବା ସହିତ ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧିରେ ସହାୟକ ହେବ। ସେହିପରି ରପ୍ତାନିକୁ ପ୍ରୋତ୍ସାହନ ଦେବା ଲାଗି ବିଭାଗ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି), ଭୁବନେଶ୍ୱର ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ (ଏଫ୍ଆଇଇଓ) ସହିତ ରାଜ୍ୟ ସରକାର କାମ କରୁଚନ୍ତି। ସାଧାରଣତଃ ରପ୍ତାନି ପୂର୍ବରୁ ଉତ୍ପାଦ ପରୀକ୍ଷଣ, ଦେଶ ଅନୁସାରେ ପ୍ରମାଣପତ୍ର ଯୋଗାଡ଼ ଆଦି କାର୍ଯ୍ୟ ପାଇଁ ଏମ୍ଏସ୍ଏମଇ ୟୁନିଟ୍ ନିଜ ପକେଟରୁ ଖର୍ଚ୍ଚ କରୁଥିବା ୭/୮ ପ୍ରକାର ଖର୍ଚ୍ଚ ରାଜ୍ୟ ସରକାର ଭରଣା କରିବେ। ୨୦୨୨-୨୩ ଆର୍ଥିକ ବର୍ଷରେ ୪୪୪ଟି ଏମ୍ଏସ୍ଏମଇ ୟୁନିଟ୍କୁ ସରକାର ୪୯ କୋଟି ଟଙ୍କା ସହାୟତା ଦେଇଥିବା ବେଳେ ୨୦୧୭-୧୮ରୁ ଏପର୍ଯ୍ୟନ୍ତ ୨୫୦୦ ୟୁନିଟ୍କୁ ୨୮୦ କୋଟି ଟଙ୍କା ସହାୟତା ଦିଆଯାଇଛି। ଅପରପକ୍ଷେ ରାଜ୍ୟ ସରକାର ଷ୍ଟାର୍ଟଅପ୍ ସଂସ୍ଥାଙ୍କୁ ସହାୟତା ବାବଦରେ ୧୮.୬୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟରେ ଉତ୍ତମ ଗମନାଗମନ ଓ ପରିବହନ ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଆମଦାନୀ ଓ ରପ୍ତାନି ଉପରେ ପଡୁଛି। ବିଭିନ୍ନ ପ୍ରକାରକ କୃଷିଜାତ ଦ୍ରବ୍ୟ, ପ୍ରସାଧନ ସାମଗ୍ରୀ, ସାମୁଦ୍ରିକ ଖାଦ୍ୟ, ହସ୍ତଶିଳ୍ପ ଓ ହସ୍ତକଳା ଭଳି ବିଭିନ୍ନ କ୍ଷେତ୍ରରୁ ରପ୍ତାନି ବୃଦ୍ଧି ପାଉଛି।