IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

ଭୁବନେଶ୍ୱର: ରାଜ୍ୟରେ IAS ସ୍ତରରେ ହେଲା ଅଦଳବଦଳ । ରାଜ୍ୟ ସରକାର ୭ ଜଣ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ବଦଳି କରିଛନ୍ତି। ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଏବଂ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ନୂତନ ବିଜ୍ଞପ୍ତି ଅନୁଯାୟୀ କେତେକ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ ହୋଇଥିବା ବେଳେ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ-ଶାସନ ସଚିବ ଭାବେ କାର୍ଯ୍ୟରତ ଅନ୍ୟା ଦାସ (୨୦୧୯ ବ୍ୟାଚ୍)ଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ବଦଳି କରାଯାଇଛି। ସେହିପରି ମାତୃତ୍ୱ ଅବକାଶ ପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଯୋଗ ଦେଇଥିବା ମଧୁମିତା (୨୦୨୦ ବ୍ୟାଚ୍)ଙ୍କୁ ନୂଆପଡ଼ା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଦାୟିତ୍ୱ ପ୍ରଦାନ କରାଯାଇଛି।

ପୂର୍ବରୁ ନବରଙ୍ଗପୁର ଜିଲ୍ଲାପାଳ ଥିବା ଡ. ମହେଶ୍ୱର ସ୍ୱାଇଁ (୨୦୧୪ ବ୍ୟାଚ୍)ଙ୍କୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ନୂଆପଡ଼ା ଜିଲ୍ଲାପାଳ ଥିବା ମଧୁସୂଦନ ଦାଶ (୨୦୧୪ ବ୍ୟାଚ୍)ଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (GA & PG) ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି। ଭୁବନେଶ୍ୱରର ଅତିରିକ୍ତ ରିଭିଜନାଲ କୋର୍ଟର ଅତିରିକ୍ତ କମିଶନର ଥିବା ପ୍ରଦୀପ କୁମାର ନାୟକ (୨୦୧୪ ବ୍ୟାଚ୍)ଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁ ସଚିବ ଥିବା ଅସ୍‌ନୀ ଏ. ଏଲ୍‌ (୨୦୨୩ ବ୍ୟାଚ୍)ଙ୍କୁ ଭବାନୀପାଟଣା ଉପ-ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଭବାନୀପାଟଣା ଉପ-ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା କସ୍ତୁରୀ ଶା (୨୦୨୪ ବ୍ୟାଚ୍)ଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅନୁ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ଜିଲ୍ଲା ତଥା ରାଜ୍ୟ ସ୍ତରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟ ସରକାର ଏହି ବଡ଼ ଧରଣର ଅଦଳବଦଳ କରିଛନ୍ତି।

About The Author: Madhusudan Das