ଭୁବନେଶ୍ୱର : ପବିତ୍ର ମାଘସପ୍ତମୀ ଅର୍ଥାତ୍ ଜାନୁଆରୀ ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ। ଏଥିପାଇଁ ପୁରୀଠାରେ ରବିବାର ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୬ ତାରିଖ (ମାର୍ଗଶିର ପୂର୍ଣ୍ଣିମା)ରୁ ଦେଶର ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ପଠାଯିବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଚନ୍ଦ୍ର ଏହି ଦିନ ବୃଷ ରାଶିରୁ ମିଥୁନ ରାଶିକୁ ଗମନ କରୁଥିବାରୁ ଦେବନିମନ୍ତ୍ରଣ ନିମନ୍ତେ ଏହି ତାରିଖ ଶୁଭଙ୍କର ବୋଲି ପଣ୍ଡିତମାନେ ମତବ୍ୟକ୍ତ କରିଛନ୍ତି।
ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତା ୨୬ ତାରିଖ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୩୩ଟି ଗାଡ଼ିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧି ଓ ସେବାୟତମାନେ ଯାତ୍ରା ଆରମ୍ଭ କରିବେ। ୧୩ଟି ଟିମ୍ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ ପାଇଁ ଯାତ୍ରା କରିବେ ଓ ରାଜ୍ୟ ବାହାରକୁ ୧୭ଟି ଟିମ୍ ବିଭିନ୍ନ ଦେବପୀଠକୁ ନିମନ୍ତ୍ରଣ ପାଇଁ ଯାତ୍ରା କରିବ। ସବୁ ପ୍ରତିନିଧି ଦଳ ଓ ସେବାୟତ ଭୁବନେଶ୍ୱରରେ ପହଞ୍ଚି ପ୍ରଥମ ନିମନ୍ତ୍ରଣ ପତ୍ର ଏକାମ୍ର ପୀଠାଧୀଶ୍ବର ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରଦାନ କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ କରି ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା କରିବେ।
ରାଜ୍ୟମଧ୍ୟରେ ବିଭିନ୍ନ ଜିଲ୍ଲାର ଧାର୍ମିକ ପୀଠ ଓ ଶ୍ରୀଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଗଠିତ ୧୩ଟି ଟିମ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଥମ ଟିମ୍ଟି ଚିଲିକା, ଖଲ୍ଳିକୋଟ, କୋଦଳା ଅଞ୍ଚଳକୁ ଯାତ୍ରା କରିବ । ୨ୟ ଟିମ୍ ପୁରୀ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା, ୩ୟ ଟିମ୍ ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ୪ର୍ଥ ଦଳ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ୫ମ ଦଳ ଢେ଼ଙ୍କାନାଳ, ଅନୁଗୋଳ, ଦେବଗଡ଼, ୬ଷ୍ଠ ଦଳ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ୭ମ ଦଳ କନ୍ଧମାଳ, ବୌଦ୍ଧ, ସୋନପୁର, ୮ମ ଦଳ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ୯ମ ଦଳ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ୧୦ମ ଦଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ୧୧ତମ ଟିମ୍ ଗଞ୍ଜାମ, ଗଜପତି, ରାୟଗଡ଼ା, ଦ୍ୱାଦଶ ଟିମ୍ ଦାରୁକ୍ଷେତ୍ର ପୁରୀ,କାକଟପୁର, ଖୋର୍ଦ୍ଧା, ଜଗତସିଂହପୁର, ସାଲେପୁର ଓ ୧୩ତମ ଟିମ୍ ଦାରୁକ୍ଷେତ୍ର ଦଧିମାଛଗଡ଼ିଆ, ଅସ୍ତରଙ୍ଗ, ନିଆରି, ରାୟଚକ୍ରଧରପୁର ଓ ଢେ଼ଲାଙ୍ଗରେ ବିଭିନ୍ନ ଦେବାଦେବୀ ପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିବାକୁ ଯିବେ ।
ଅନୁରୂପ ଭାବରେ ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର, ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ଘୃଣେଶ୍ୱର ଜ୍ୟୋତିର୍ଲିଙ୍ଗ, ତିରୁପତି ବାଲାଜୀ, ପଦ୍ମାବତୀ ମନ୍ଦିର, ତିରୁପତି ବିଶ୍ୱବିଦ୍ୟାଳୟ ଜଗନ୍ନାଥ ମନ୍ଦିର, କାଞ୍ଚିପୁରମ୍ କାମାକ୍ଷୀ ଦେବୀ ମନ୍ଦିର, ରାମେଶ୍ୱରମ୍ ଜ୍ୟୋତିର୍ଲିଙ୍ଗ, ମଦୁରାଇ ମିନାକ୍ଷୀ ମନ୍ଦିର, ଚେନ୍ନାଇ ଜଗନ୍ନାଥ ମନ୍ଦିର, ବଦ୍ରିନାଥ, କେଦାରନାଥ, ଯୋଶୀମଠ, ଉତ୍ତରକାଶୀ ଜଗନ୍ନାଥ ମନ୍ଦିର, ଦ୍ୱାରକାରେ ଦ୍ୱାରକାଧୀଶ, କେଦାରନାଥ, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ସୁରତ୍ ଓ ଜମାଲପୁର ଜଗନ୍ନାଥ ମନ୍ଦିର, କାଶୀ ବିଶ୍ୱନାଥ, ଅଯୋଧ୍ୟା ମନ୍ଦିର, ଚିତ୍ରକୂଟ, ବୈଷ୍ଣୋଦେବୀ, ଅମରନାଥ ମନ୍ଦିର, ରଘୁନାଥ ମନ୍ଦିର, ନେପାଳର ପଶୁପତିନାଥ, ଶକ୍ତିପୀଠ, ସିଂହାଚଳମ୍, ଥିରୁବନନ୍ତପୁରମ୍ ପଦ୍ମନାଭ ସ୍ୱାମୀ ମନ୍ଦିର, ସାବରୀମାଳା, ଗୁରୁନାରାୟଣ, ମହାକାଳେଶ୍ୱର, ଓଁକାରେଶ୍ୱର, ବଡ଼ଧାମ, କାଳିଘାଟ, ଦକ୍ଷିଣେଶ୍ୱର କାଳୀପୀଠ, ତାରାପୀଠ, ଚାମୁଣ୍ଡେଶ୍ୱରୀ ମନ୍ଦିର ସହ ଦେଶର ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ୧୭ଟି ଟିମ୍ ବିଭିନ୍ନ ଅଧିକାରୀ ଓ ସେବାୟତଙ୍କୁ ନେଇ ଗଠିତ ହୋଇଥିବା ସୂଚନା ମିଳିଛି ।
ଦିନକ ତଳେ ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ପରିଚାଳନା କମିଟିର ସଦସ୍ୟ ଅଶୋକ ମହାପାତ୍ର, ଦୁର୍ଗାପ୍ରସାଦ ମହାପାତ୍ର, ମାଧବ ମହାପାତ୍ର, ଜଗନ୍ନାଥ କର ପ୍ରମୁଖ ଉଜ୍ଜୟିନୀରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ପ୍ରକଳ୍ପର ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।