ପୁରୀ: ଶ୍ରୀମନ୍ଦିର ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ରରେ ଏକାଠି ହେବେ ଦେଶର ପ୍ରମୁଖ ଦେବପୀଠର ମୁଖ୍ୟ। ପୁଣି ଧର୍ମଗୁରୁ, ସାଧୁସନ୍ଥ, ବିଶିଷ୍ଟ ବ୍ୟକ୍ତି ବି ଯୋଗଦେବେ। ବିଗତ ଦିନରେ ସବୁ ଧର୍ମ ଓ ମତବାଦର ବ୍ୟକ୍ତିଙ୍କୁ ଆପଣାଇ ସମଗ୍ର ବିଶ୍ୱକୁ ବାର୍ତ୍ତା ଦେଇ ଶ୍ରୀଜଗନ୍ନାଥଙ୍କ ଧାମ ଏବେ ପୁଣିଥରେ ସମସ୍ତଙ୍କୁ ଆପଣାଇବା ଲାଗି ନିଜକୁ ପ୍ରସ୍ତୁତ କରୁଛି। ପରିକ୍ରମା ଲୋକାର୍ପଣରେ ଯୋଗ ଦେବାକୁ ଆସୁଥିବା ଅତିଥିମାନଙ୍କ ଆତିଥେୟତାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର ପୁରୀ। ଏହି ସାଜସଜ୍ଜା ଭିତରେ ସହରର ବିଭିନ୍ନ ପ୍ରମୁଖ ଜାଗାର କାନ୍ଥ, ପ୍ରାଚୀରରେ ଅଙ୍କାଯାଉଛି ଆକର୍ଷଣୀୟ ଚିତ୍ରକଳା। ଓଡ଼ିଆ ଶିଳ୍ପୀଙ୍କ କଳା, ଚାତୁର୍ଯ୍ୟ ଓ ସୂକ୍ଷ୍ମ କାରୁକାର୍ଯ୍ୟ ଫୁଟିଉଠୁଛି ଏହି ଚିତ୍ରରେ। ଯିଏ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦେଉଳକୁ ଯାଉଛନ୍ତି, ସେମାନଙ୍କ ନଜର ଏବେ ଅଟକି ଯାଉଛି ଗଡ଼ନ୍ତି ଛକର ପୁରୁଣା ପାଣିଟାଙ୍କି ଉପରେ। ବ୍ରିଟିଶ୍ ଅମଳର ଏହି ପାଣିଟାଙ୍କି ପରିକ୍ରମା ପ୍ରକଳ୍ପ ଭିତରେ ଛିଡ଼ା ହୋଇଥିବା ବେଳେ ଏହାକୁ ଆକର୍ଷଣୀୟ ପରିପାଟୀରେ ସଜ୍ଜା ଯାଉଛି। ଏହି ପାଣିଟାଙ୍କିଙ୍କୁ ସମ୍ପୂର୍ଣ୍ଣ ଭାବେ ଫିକା ଗୋଲାପି ରଙ୍ଗରେ ରଙ୍ଗାୟିତ କରାଯାଇଥିବା ବେଳେ ଏହା ଉପରେ ସୁନ୍ଦର ଭାବେ କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ କାହାଣୀ ଅଙ୍କାଯାଉଛି। ପାରମ୍ପରିକ ପଟ୍ଟଚିତ୍ର ଶୈଳୀରେ ଆକର୍ଷଣୀୟ ଭାବେ ଫୁଟିଉଠୁଛି ଏହି ଚିତ୍ରକଳା। ପରିକ୍ରମା ପ୍ରକଳ୍ପକୁ ଯୋଗଦେବା ପାଇଁ ଆସୁଥିବା ଅତିଥିମାନେ ଏହି ବ୍ରିଟିଶ୍ ଅମଳର ପାଣିଟାଙ୍କି ଉପରେ ଦେଖିପାରିବେ ରାଜା ପୁରୁଷୋତ୍ତମ ଦେବ ଏବଂ କାଞ୍ଚି ରାଜକନ୍ୟାଙ୍କ ପ୍ରେମ କାହାଣୀ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଲାଗି ପୁରୀ ସହରର ୨୭ଟି ସ୍ଥାନର କାନ୍ଥ, ପ୍ରାଚୀରରେ ପାରମ୍ପରିକ ଚିତ୍ରକଳା କରାଯାଉଛି। ଏଥିପାଇଁ ୧୪ଟି ସଂସ୍ଥାର ପ୍ରାୟ ୧୦୦ ଶିଳ୍ପୀ ନିୟୋଜିତ ରହିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପ ପରିସର ବ୍ରିଟିଶ ଅମଳର ପାଣିଟାଙ୍କି ଉପରେ ପାରମ୍ପରିକ ପଟ୍ଟଚିତ୍ର ଶୈଳୀରେ ପଦ୍ମାବତୀ ଉପାଖ୍ୟାନ ଅଙ୍କନ କରୁଛନ୍ତି ଐତିହ୍ୟ ଗ୍ରାମ ରଘୁରାଜପୁରର ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ୟୁନିଭର୍ସ ମହାରଣା। ତାଙ୍କ ସହ ଆଉ ୬ଜଣ ଏଥିରେ ସାମିଲ ଅଛନ୍ତି। ଏଥିରେ ଅଙ୍କାଯାଉଥିବା ଚିତ୍ରକଳା ସମ୍ପର୍କରେ ଶିଳ୍ପୀ ୟୁନିଭର୍ସ କହିଛନ୍ତି, ୮ଟି ଭାଗରେ କାଞ୍ଚି ରାଜ୍ୟର ରୂପସୀ ରାଜଜେମା ପଦ୍ମାବତୀ ଏବଂ ସୂର୍ଯ୍ୟବଂଶୀ ରାଜା ଗଜପତି ପୁରୁଷୋତ୍ତମ ଦେବଙ୍କ ବିବାହକୁ ସେମାନ ଚିତ୍ରଣ କରିଛନ୍ତି। ଏଥିରେ ଏକ ନଦୀକୂଳରେ ପୁରୁଷୋତ୍ତମ ଦେବ ରାଜଜେମା ପଦ୍ମାବତୀଙ୍କୁ ସାକ୍ଷାତ କରିବା, ଦୁହେଁ ପରସ୍ପରକୁ ପସନ୍ଦ କରି ବିବାହ ପାଇଁ ମନସ୍ଥ କରିବା, କାଞ୍ଚି ରାଜା ଜାଣିବା ପରେ ସହମତି ପ୍ରକାଶ କରି ତାଙ୍କର ଜଣେ ମନ୍ତ୍ରୀଙ୍କୁ ରଥଯାତ୍ରା ଦେଖିବା ପାଇଁ ପଠାଇବାକୁ ଅତି ନିଚ୍ଛକ ଭାବେ ଅଙ୍କାଯାଇଛି। ସେହିପରି ପୁରୁଷୋତ୍ତମଦେବ ରଥ ଉପରେ ଛେରାପହଁରା କରୁଥିବା ଖବର ପାଇ କାଞ୍ଚି ରାଜା ଅମଙ୍ଗ ହେବା, ଉଭୟଙ୍କ ମଧ୍ୟରେ ଯୁଦ୍ଧ ହେବା, ଯୁଦ୍ଧରେ ପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ର କଳା, ଧଳା ଘୋଡାରେ ଚଢ଼ି ଯିବା, ଗଜପତି ପୁରୁଷୋତ୍ତମଦେବ ଯୁଦ୍ଧରେ ବିଜୟୀ ହୋଇ ପଦ୍ମାବତୀଙ୍କୁ ବିବାହ କରିବା; ଏହି ସବୁକୁ ଅତି ନିଖୁଣ ଭାବେ ଚିତ୍ରକଳାରେ ସ୍ଥାନ ଦିଆଯାଇଛି ବୋଲି ଶିଳ୍ପୀ ୟୁନିଭର୍ସ କହିଛନ୍ତି। ଏଥିରେ ମଧୁସୂଦନ ସ୍ୱାଇଁ, ସୁରେଶ ମହାରଣା, ସୁକାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର, ଚରଣ ନାୟକ, ହେମନ୍ତ ବରାଳ ପ୍ରମୁଖ ଶିଳ୍ପୀ ଓ ସହଯୋଗୀ କାମ କରିଛନ୍ତି। ବନ୍ଧା ଯାଇଥିବା ଭାରାରେ ଚଢ଼ି ଚିତ୍ର ଆଙ୍କିବା ବେଶ୍ କଷ୍ଟକର। କିନ୍ତୁ ମହାପ୍ରଭୁଙ୍କୁ ଆଶୀର୍ବାଦ ଥିବାରୁ ସେମାନେ ଏତେ ଉଚ୍ଚରେ ଚଢ଼ି କାମ କରୁଛନ୍ତି ବୋଲି କହିଛନ୍ତି ୟୁନିଭର୍ସ।